ସିକ୍ସପ୍ୟାକ୍ ବନେଇବା ଚକର୍ରେ କିଡ଼୍ନୀ ରୋଗର ଶୀକାର ହେଉଛନ୍ତି ଯୁବପିଢି
ଆଜିକାଲିର ଯୁବ ପିଢି ସଲମାନ ଖାନ, ହ୍ରିତୀକ ରୋଶନ ଓ ଟାଇଗର ସ୍ରଫ୍ଙ୍କ ଭଳି ସିକ୍ସପ୍ୟାକ୍ ଯୁକ୍ତ ଶରୀର ପାଇବା ପାଇଁ ଖୁବ୍ ଚେଷ୍ଟାରତ। ଏଥିପାଇଁ ସେମାନେ ଜିମ୍ କିମ୍ବା ଘରେ ବିଶେଷ ପ୍ରକାର ବ୍ୟାୟାମ କରିବା ସହ ଅଧିକ ପୁଷ୍ଟିସାର ଯୁକ୍ତ ଖାଦ୍ୟ ଖାଇଥା’ନ୍ତି। କେତେଜଣ ଜିମ୍ ପ୍ରଶିକ୍ଷକ ମଧ୍ୟ ଅଧିକ ପୁଷ୍ଟିସାର ଯୁକ୍ତ ଖାଦ୍ୟ ସହିତ ହର୍ମୋନ ଇଞ୍ଜେକ୍ସନ୍ ନେବା ପାଇଁ ପରାମର୍ଶ ଦେଇଥା’ନ୍ତି। ହେଲେ ଏହିସବୁର ପ୍ରଭାବରେ କିଡ୍ନୀ ଜନିତ ସମସ୍ୟା ସୃଷ୍ଟିହୁଏ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ବ୍ୟାୟାମକୁ ନେଇ ଯୁବପିଢିଙ୍କ ମନରେ ରହିଛି ଭ୍ରାନ୍ତ ଧାରଣା-
ଡା. ଜିତେନ୍ଦ୍ର କୁମାରଙ୍କ ମତ ଅନୁସାରେ ଆଜିକାଲିର ଯୁବପିଢିଙ୍କ ମନରେ ବ୍ୟାୟାମକୁ ନେଇ ବହୁତ ଭ୍ରାନ୍ତ ଧାରଣା ରହିଛି। ସେମାନେ ନିଜ ଶରୀରକୁ ସୁସ୍ଥ ଓ ବଳିଷ୍ଠ ରଖିବା ପାଇଁ ବ୍ୟାୟାମ କରୁନାହାନ୍ତି, ବରଂ ବିଭିନ୍ନ ଟିଭି ତାରକାଙ୍କ ଶରୀର ପ୍ରତି ଆକୃଷ୍ଟ ହୋଇ ସେମାନଙ୍କ ଭଳି ଆକର୍ଷଣୀୟ ଶରୀର ପାଇବା ପାଇଁ ବ୍ୟାୟାମ କରୁଛନ୍ତି। ଜିମ୍ର ପ୍ରଶିକ୍ଷକମାନଙ୍କ ନିର୍ଦ୍ଦେଶ ଅନୁସାରେ ବିଶେଷ ଧରଣର ବ୍ୟାୟାମ କରିବା ସହ ବିଶେଷ ଖାଦ୍ୟସୂଚୀ ତିଆରି କରୁଛନ୍ତି। କିଛି ଯୁବକ ଆଗକୁ ଯାଇ ଷ୍ଟେରୋଇଡ଼୍ ଓ ହର୍ମୋନ୍ ଇଞ୍ଜେକ୍ସନ୍ ନେଇଥା’ନ୍ତି। ଏପରି କରିବା ଦ୍ୱାରା ସେମାନଙ୍କ ଶରୀର ସୁସ୍ଥ ହେବା ପରିବର୍ତ୍ତେ ଅଧିକ ଖରାପ ଆଡ଼କୁ ଗତି କରୁଛି ବୋଲି ସେମାନେ ଜାଣିପାରୁ ନାହାନ୍ତି।
କରନ୍ତୁ ପ୍ରାକୃତିକ ବ୍ୟାୟାମ-
ବ୍ୟାୟାମ ଓ ଯୋଗ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ, କିନ୍ତୁ ଏହାକୁ ବିକୃତ କରିବା ଉଚିତ ନୁହେଁ। ଏହାଛଡ଼ା ଲୋକଙ୍କୁ ଶାରିରୀକ ପରିଶ୍ରମ କରିବା ଆବଶ୍ୟକ। ଯେତେ ଦୂର ସମ୍ଭବ ଚାଲିବା ଆବଶ୍ୟକ। ଆଜିକାଲି ଲୋକ ପରିବା ଆଣିବା ପାଇଁ ମଧ୍ୟ କାର୍ରେ ଯାଉଛନ୍ତି, କିନ୍ତୁ ପରେ ଟ୍ରେଡ଼୍ମିଲ୍ ଭଳି ବ୍ୟାୟାମ ଯନ୍ତ୍ର ଦ୍ୱାରା ଝାଳ ବୁହାଉଥିବା ନଜର ଆସୁଛନ୍ତି।
ଡା. ଜିତେନ୍ଦ୍ରଙ୍କ କହିବା ଅନୁସାରେ ପ୍ରତ୍ୟେକ ବ୍ୟକ୍ତିଙ୍କର ଶରୀର ଗଠନ ଭିନ୍ନ ହୋଇଥାଏ। ତେଣୁ ଅନ୍ୟ କାହା ଶରୀର ଭଳି ନିଜ ଶରୀରକୁ ତିଆରି କରିବା ପରିବର୍ତ୍ତେ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ସମୁଚିତ ଯୋଗ, ବ୍ୟାୟାମ, ଚଲାବୁଲା ଓ ସମୁଚିତ ଆହାର ଆପଣେଇବା ଆବଶ୍ୟକ।