ଟିଟିଲାଗଡ : ଟିଟିଲାଗଡ଼ ପୌରପରିଷଦ ପକ୍ଷରୁ ସ୍ଥାନୀୟ ରାଜକାନ୍ୱର୍ ପାର୍କ ପରିସରରେ ସ୍ୱାୟତ୍ତ ଶାସନ ଦିବସ ଉତ୍ସବ ପାଳିତ ହୋଇଯାଇଛି। ଏ ଅବସରରେ ଟିଟିଲାଗଡ଼ ଉପଜିଲ୍ଲାପାଳ ତଥା ଭାରପ୍ରାପ୍ତ ପୌର ନିର୍ବାହୀ ଅଧିକାରୀ ସୋମେଶ ଉପାଧ୍ୟାୟ ଯୋଗ ଦେଇ ଜାତୀୟ ପତକା ଉତ୍ତୋଳନ କରିଥିଲେ। ନାଗରିକଙ୍କ ମୌଳିକ ଅଧିକାର, ଆବଶ୍ୟକତା ଯୋଗାଇଦେବାକୁ ଦେଶରେ ସ୍ୱାୟତ୍ତ ପରିଷଦ ଜରିଆରେ ସ୍ଵ ଶାସନ ପ୍ରତିଷ୍ଠା ମୁଖ୍ୟ ଲକ୍ଷରୁ ପୌର କର୍ମଚାରୀ ବିଚ୍ୟୁତ ନହେବାକୁ ଉପଜିଲ୍ଲାପାଳ ନିଜ ଉଦବୋଧନରେ ସତର୍କ କରେଇଥିଲେ। ଦେଶରେ ଅଗ୍ରଣୀ ରାଜ୍ୟ ଭାବରେ ଓଡିଶା ସ୍ଥାନ ପାଇବା ଗର୍ବର ବିଷୟ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ପୌର ହିସାବ ରକ୍ଷକ ବାବୁଲାଲ ମିସ୍ତ୍ରୀ, ଯନ୍ତ୍ରୀ କମଳ ଲୋଚନ ସାହୁ, ନୀଳକଣ୍ଠ ସାହୁ, ବରିଷ୍ଠ କିରାଣି ସାଧୁ ଚରଣ ବେହେରାଙ୍କ ସମେତ ସମସ୍ତ କର୍ମଚାରୀ, କୋଭିଡ଼ ଯୋଦ୍ଧା ସଫେଇ କର୍ମଚାରୀ ଉପସ୍ଥିତ ଥିଲେ। କରୋନା ମହାମାରୀ କଟକଣା ନେଇ ଚଳିତ ବର୍ଷ ସ୍ଥାନୀୟ ନାଗରିକଙ୍କୁ ଉତ୍ସବକୁ ନିମନ୍ତ୍ରଣ କରାଯାଇନଥିବା ଦେଖା ଯାଇଥିଲା। ପ୍ରତି ବର୍ଷ ଆୟୋଜିତ ହୋଇଆସୁଥିବା ବିଭିନ୍ନ ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ, ବିଶିଷ୍ଟ ନାଗରିକ, କୃତି ଶିକ୍ଷର୍ଥୀମାନଙ୍କୁ ସମ୍ୱର୍ଦ୍ଧନା ଆଦି ସମସ୍ତ ପ୍ରକାର କାର୍ଯକ୍ରମକୁ ଚଳିତ ବର୍ଷ ବାତିଲ କରାଯାଇଥିବା ଜଣାଯାଇଛି।



