www.samajalive.in
Tuesday, December 9, 2025
19.1 C
Bhubaneswar

ଆଇପିଏଲ୍‍ର ପ୍ରଥମ ପର୍ଯ୍ୟାୟ କେବଳ ଦୁବାଇରେ !

ନୂଆଦିଲ୍ଲୀ : ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ୧୩ଶ ସଂସ୍କରଣ ଖେଳିବା ପାଇଁ ୮ଟିଯାକ ଫ୍ରାଞ୍ଚାଇଜ ଏବେ ୟୁନାଇଟେଡ୍‍ ଆରବ ଏମିରେଟ୍‍ସ (ୟୁଏଇ)ରେ। ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଆଇପିଏଲ୍‍ ଆରମ୍ଭହେବାକୁ ଆଉ ମାତ୍ର ୩ ସପ୍ତାହ ବାକିଥିବା ବେଳେ ଟୁର୍ଣ୍ଣାମେଣ୍ଟର ଖେଳସୂଚୀ ପ୍ରକାଶ କରିନାହିଁ ବିସିସିଆଇ। ଏହା ଶନିବାର ଘୋଷଣା ହେବାର ଥିବା ବେଳେ ଚେନ୍ନଇ ସୁପର କିଙ୍ଗ୍‍ସ (ସିଏସ୍‍କେ)ର ୨ ଖେଳାଳିଙ୍କ ସହ ମୋଟ ୧୩ ଜଣ କରୋନାରେ ସଂକ୍ରମିତ ହେବା ବିସିସିଆଇର ମୁଣ୍ଡବିନ୍ଧା ବଢ଼ାଇ ଦେଇଛି। ଏଥିପାଇଁ ବିସିସିଆଇ ଖେଳସୂଚୀରେ କିଛି ପରିବର୍ତ୍ତନ କରିବାକୁ ଯୋଜନା କରୁଛି।
ଜାଣିବାକୁ ମିଳିଛି ଯେ ଆଇପିଏଲ୍‍ ଅଧ୍ୟକ୍ଷ ବ୍ରିଜେଶ ପଟେଲ ଓ ସିଇଓ ହେମାଙ୍ଗ ଅମିନ୍‍ ୟୁଏଇ ସରକାରଙ୍କ ସହ ଆଲୋଚନା କରୁଛନ୍ତି। ଏହି ଆଲୋଚନାରେ ଏକ ପ୍ରମୁଖ ପ୍ରସଙ୍ଗ ହେଉଛି ଦୁବାଇରେ ଆଇପିଏଲ୍‍ର ପ୍ରଥମ ପର୍ଯ୍ୟାୟ ଖେଳାଯିବା। ୮ଟିରୁ ୬ଟି ଦଳ ଏବେ ଦୁବାଇରେ ଡେରା ପକାଇଛନ୍ତି। ସେମାନେ ଆଇସିସି ଏକାଡେମୀରେ ଅଭ୍ୟାସ କରୁଛନ୍ତି। ମ୍ୟାଚ୍‍ ପୂର୍ବରୁ କେବଳ ସେମାନଙ୍କୁ ଷ୍ଟାଡିୟମରେ ଅଭ୍ୟାସର ଅନୁମତି ମିଳିବ। କରୋନା ସଂକ୍ରମଣକୁ ଦେଖି ଯାତାୟାତ କମ୍‍ କରିବାକୁ ବିସିସିଆଇ ଯୋଜନା କରୁଛି। ୬ଟି ଦଳ ଦୁବାଇରେ ଥିବାରୁ ପ୍ରଥମ ୨୦ଟି ମ୍ୟାଚ୍‍ ଏହି ସହରରେ କରିବାକୁ ବୋର୍ଡର ଯୋଜନା ରହିଛି। ଫଳରେ ଆବୁଧାବିରେ ଡେରା ପକାଇଥିବା କଲକାତା ନାଇଟ ରାଇଡର୍ସ ଓ ମୁମ୍ବଇ ଇଣ୍ଡିଆନ୍‍ସକୁ କେବଳ ଦୁବାଇ ଆସିବାକୁ ପଡ଼ିବ। ଗତ କିଛିଦିନ ହେଲା ୟୁଏଇରେ କରୋନା ସଂକ୍ରମଣ ବଢ଼ିଚାଲିଛି। ଫଳରେ ୟୁଏଇ ସରକାର କିଛି କଠୋର ନିଷ୍ପତ୍ତି ନେଇଛନ୍ତି। ଦୁବାଇ-ଆବୁଧାବି ସୀମାରେ କୋଭିଡ୍‍ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ଏହି ୨ଟି ସହର ମଧ୍ୟରେ ଯିବା ଆସିବା କରିବା ଲାଗି ସମସ୍ତଙ୍କୁ ୪୮ ଘଣ୍ଟା ପୂର୍ବରୁ କୋଭିଡ୍‍ ପରୀକ୍ଷା କରିବାକୁ ପଡ଼ିବ ଏବଂ ରିପୋର୍ଟ ନେଗେଟିଭ୍‍ ଆସିଲେ ସହର ମଧ୍ୟକୁ ପ୍ରବେଶର ଅନୁମତି ମିଳିବ। ଏହା ହିଁ ବିସିସିଆଇ ପାଇଁ ଚିନ୍ତାର କାରଣ। ପ୍ରତିଥର ଦୁବାଇରୁ ଆବୁଧାବି ଏବଂ ଆବୁଧାବିରୁ ଦୁବାଇ ଆସିବାର ୪୮ ଘଣ୍ଟା ପୂର୍ବରୁ କୋଭିଡ୍‍ ପରୀକ୍ଷା କଲେ ମ୍ୟାଚ୍‍ ଖେଳାଯିବା ଅସମ୍ଭବ। ତେଣୁ ୮ଟିଯାକ ଫ୍ରାଞ୍ଚାଇଜିଙ୍କୁ ଦୁବାଇରେ ରଖି ଏଠାରେ ଆଇପିଏଲ୍‍ର ପ୍ରଥମ ଚରଣର ସମସ୍ତ ମ୍ୟାଚ୍‍ ଖେଳାଯିବା ହେଉଛି ଏକମାତ୍ର ବିକଳ୍ପ। ବିସିିସିଆଇର ଆଉ ଏକ ଯୋଜନା ହେଉଛି ଅନୌପଚାରିକ ଭାବେ ୮ଟି ଦଳଙ୍କୁ ୨ଟି ଗ୍ରୁପ୍‍ରେ ବିଭକ୍ତ କରିବା। ଯଦି ଏକ ଦଳରେ କେହି କରୋନା ସଂକ୍ରମିତ ହୁଅନ୍ତି; ତେବେ ଅନ୍ୟ ଗ୍ରୁପ୍‍ର ମ୍ୟାଚ୍‍ସବୁ ଚାଲିବ। ପରେ ଅନ୍ୟ ଗ୍ରୁପ୍‍ର ବାକିଥିବା ମ୍ୟାଚ୍‍ ଖେଳାଯିବ। ତେଣୁ ଖେଳସୂଚୀକୁ ବାରମ୍ବାର ପରିବର୍ତ୍ତନ କରିବାକୁ ପଡ଼ିବ। ଏହି ବିକଳ୍ପ ମଧ୍ୟ ବିସିସିଆଇ ପାଖରେ ରହିଛି। ସେ ଯାହାହେଉନା କାହିଁକି; ଯଦି ଟୁର୍ଣ୍ଣାମେଣ୍ଟ ସମୟରେ କରୋନା ସଂକ୍ରମଣ ହୁଏ; ତେବେ ପୂରା ଟୁର୍ଣ୍ଣାମେଣ୍ଟର ଖେଳସୂଚୀ ଏପଟ ସେପଟ ହୋଇପାରେ। ବିସିସିଆଇ ପାଖରେ ଆଉ ଏକ ସମସ୍ୟା ହେଉଛି; ଅଧିକାଂଶ ଫ୍ରାଞ୍ଚାଇଜି ଅପରାହ୍‍ଣ ମ୍ୟାଚ୍‍ ଖେଳିବା ନେଇ ଅରାଜି ଅଛନ୍ତି। ଏହି ମ୍ୟାଚ୍‍ସବୁ ଭାରତୀୟ ସମୟ ୩.୩୦ରେ; ଅର୍ଥାତ୍‍ ୟୁଏଇ ସମୟ ଦିନ ୨ଟାରେ ଆରମ୍ଭ ହେବ। ୟୁଏଇର ଭୀଷଣ ଗରମରେ ଅପରାହ୍‍ଣ ମ୍ୟାଚ୍‍ ଖେଳିବା ନିଷ୍ପତ୍ତିର ପୁନର୍ବିଚାର କରିବାକୁ ବିସିସିଆଇ ପାଖରେ ଫ୍ରାଞ୍ଚାଇଜିମାନେ ଦାବି କରିଛନ୍ତି। ଏବେ ବିସିସିଆଇର ନିଷ୍ପତ୍ତିକୁ ଅପେକ୍ଷା।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories