ପ୍ରଭୁଙ୍କ ସୁସ୍ଥ ହେବା ଖବର ଜାଣିଲେ ଗଜପତି

0

ପୁରୀ : ଶ୍ରୀକ୍ଷେତ୍ରରେ ମଙ୍ଗଳବାର ରାଜପ୍ରାସାଦ ବିଜେ ନୀତି ଅନୁଷ୍ଠିତ ହୋଇଛି । ସେବକମାନେ ଶ୍ରୀନଅରକୁ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁସ୍ଥହେବା ଖବର ଗଜପତି ମହାରାଜାଙ୍କୁ ଜଣାଇଛନ୍ତି । ଅଣସର ଗୁପ୍ତସେବା ବେଳେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରୁ ମିଳିଥିବା ଚନ୍ଦନ, କରାଳ ଓ ପାଟଡୋର ଗଜପତିଙ୍କୁ ପ୍ରଦାନ କରାଯାଇଛି । ପଟ୍ଟିଦିଅଁଙ୍କ ଭୋଗମଣ୍ଡପ ନୀତି ପରେ ରୁପାଥାଳିରେ ଚନ୍ଦନ କରାଳ ଓ ପାଟଡୋର ଧରି ଦଇତାପତି ଏବଂ ପତିମହାପାତ୍ର ସେବକ ଘଣ୍ଟ, ଛତା ଓ କାହାଳି ସହ ଶୋଭାଯାତ୍ରାରେ ଶ୍ରୀନଅରକୁ ଯାଇଥିଲେ । ସେଠାରେ ପାହାଡ଼ା ଉପରେ ସେସବୁ ଦିବ୍ୟପଦାର୍ଥ ରଖାଯାଇଥିଲା । ଗଜପତିଙ୍କ ଶ୍ରୀହସ୍ତ ସ୍ପର୍ଶ ଶାଢ଼ି ଦଇତାପତି, ପତିମହାପାତ୍ର, ତଡ଼ଉକରଣ, ଦେଉଳକରଣ, ତଳିଛ, ବେହେରା ଓ ଖୁଣ୍ଟିଆ ସେବକଙ୍କ ମସ୍ତକରେ ବନ୍ଧା ଯାଇଥିଲା । ଅଣସର ଘରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ତୁଳସୀ ଓ ବିଭିନ୍ନ ରଙ୍ଗର ଫୁଲ ଲାଗି କରାଯାଇଛି। ବୁଧବାର ତ୍ରୟୋଦଶୀ ତିଥିରେ ଶ୍ରୀଜୀଉଙ୍କୁ ଘଣାଲାଗି କରାଯିବ । ଗୁରୁବାର ବନକଲାଗି (ଶ୍ରୀମୁଖସିଂହାର) ପରେ ଶୁକ୍ରବାର ଅମାବାସ୍ୟା ତିଥିରେ ନେତ୍ରୋତ୍ସବ ଅନୁଷ୍ଠିତ ହେବ । ଶ୍ରୀଜଗନ୍ନାଥ ମହାପ୍ରଭୁ ନବଯୌବନ ରୂପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ।

Leave A Reply