www.samajalive.in
Sunday, December 7, 2025
23.1 C
Bhubaneswar

କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷ ଓ ସଫଳତା ଆଣିବା କେବଳ ସରକାରଙ୍କର ଦାୟିତ୍ୱ ନୁହେଁ – ରାଷ୍ଟ୍ରପତି

ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଅନ୍‍ଲାଇନ ମାଧ୍ୟମରେ ୨୦୨୦ ମସିହା ପାଇଁ ଜାତୀୟ କ୍ରୀଡ଼ା ଓ ଦୁଃସାହସିକ ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି କୋବିନ୍ଦ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର, ଅର୍ଜ୍ଜୁନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ପୁରସ୍କାର, ଧ୍ୟାନଚାନ୍ଦ ପୁରସ୍କାର, ତେଞ୍ଜିଙ୍ଗ୍‍ ନର୍ଗେ ଜାତୀୟ ସାହସିକତା ପୁରସ୍କାର ଓ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାରଗୁଡ଼ିକୁ ପ୍ରଦାନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷ ଓ ସଫଳତା ଆଣିବା କେବଳ ସରକାରଙ୍କର ଦାୟିତ୍ୱ ନୁହେଁ।

ସେ କହିଛନ୍ତି, ପ୍ରତ୍ୟେକ ଶ୍ରେଣୀ ଓ ଅଞ୍ଚଳର ଲୋକମାନଙ୍କ ଅଂଶଗ୍ରହଣ ଦ୍ୱାରା ଦେଶରେ କ୍ରୀଡ଼ା ସଂସ୍କୃତିର ବିକାଶ ହୋଇପାରିବ। ବର୍ତ୍ତମାନର ଯୁବପିଢ଼ି ସୁସ୍ଥ ରହିବା ଓ କ୍ରୀଡ଼ା ପ୍ରତି ଆଗ୍ରହ ପ୍ରକାଶ କରିବାକୁ ନେଇ ରାଷ୍ଟ୍ରପତି ସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ପିତାମାତା, ଅଭିଭାବକ ଓ ଶିକ୍ଷକମାନଙ୍କର କ୍ରୀଡ଼ା ପ୍ରତି ମନୋଭାବରେ ମଧ୍ୟ ପରିବର୍ତ୍ତନ ଘଟିଲାଣି। ଶ୍ରୀ କୋବିନ୍ଦ କହିଛନ୍ତି, ସାମୂହିକ ଉଦ୍ୟମରେ ଭାରତ କ୍ରୀଡ଼ା କ୍ଷେତ୍ରରେ ଏକ ମହାଶକ୍ତିରେ ପରିଣତ ହୋଇପାରିବ। ସେ କହିଛନ୍ତି, ଭାରତ ୨୦୨୮ ଅଲମ୍ପିକ୍‍ କ୍ରୀଡ଼ାରେ ପ୍ରମୁଖ ୧୦ଟି ଦେଶ ମଧ୍ୟରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛି। ରାଷ୍ଟ୍ରପତି କହିଛନ୍ତି, ଆମେ ନିଶ୍ଚିତ ରୂପେ ଏହି ଲକ୍ଷ୍ୟ ହାସଲ କରିପାରିବା। ଶ୍ରୀ କୋବିନ୍ଦ କହିଛନ୍ତି, ଖେଳରତ୍ନ ପୁରସ୍କାର ପାଇଥିବା କ୍ରୀଡ଼ାବିତ୍‍ମାନଙ୍କ ମଧ୍ୟରେ ୩ ଜଣ କନ୍ୟା ମନିକା ବାତ୍ରା, ଦିନେଶ ଓ ରାଣୀ ଏବଂ ଜଣେ ଭିନ୍ନକ୍ଷମ କ୍ରୀଡ଼ାବିତ୍‍ ଥିବାରୁ ଏହା ଏକ ଗୌରବର ବିଷୟ। ମେଜର ଧ୍ୟାନଚାନ୍ଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ରାଷ୍ଟ୍ରପତି କହିଛନ୍ତି, ସେ ଉଭୟ କ୍ରୀଡ଼ାବିତ୍‍ ଓ ଦେଶବାସୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛନ୍ତି। ମେଜର ଧ୍ୟାନଚାନ୍ଦ ହକିରେ ଅଭୂତପୂର୍ବ ସଫଳତା ହାସଲ କରିଥିଲେ ବୋଲି ଶ୍ରୀ କୋବିନ୍ଦ କହିଛନ୍ତି।

- Advertisement -

କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ପୁରସ୍କୃତ ହୋଇଥିବା କ୍ରୀଡ଼ାବିତ୍‍ମାନେ ବେଙ୍ଗାଲୁରୁ, ପୁଣେ, ସୁନିପଥ୍‍, ଚଣ୍ଡୀଗଡ଼, କୋଲକାତା, ଲକ୍ଷ୍ନୌ, ଦିଲ୍ଲୀ, ମୁମ୍ବାଇ, ଭୋପାଳ, ହାଇଦ୍ରାବାଦ ଓ ଇଟାନଗର ଭଳି ଦେଶର ବିଭିନ୍ନ ପ୍ରାନ୍ତରୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ପ୍ରଥମଥର ପାଇଁ ଜାତୀୟ କ୍ରୀଡ଼ା ଓ ଦୁଃସାହସିକ ପୁରସ୍କାର କାର୍ଯ୍ୟକ୍ରମ ଅନ୍‍ଲାଇନ ମାଧ୍ୟମରେ ଅନୁଷ୍ଟିତ ହୋଇଛି। ଜାତୀୟ କ୍ରୀଡ଼ା ଓ ଦୁଃସାହସିକ ପୁରସ୍କାରର ୭ଟି ବର୍ଗ ମଧ୍ୟରୁ ୪ଟି ବର୍ଗ ପାଇଁ ପୁରସ୍କାର ଅର୍ଥ ବୃଦ୍ଧି କରାଯାଇଛି। ଆଜି ଜାତୀୟ କ୍ରୀଡ଼ା ଦିବସ ଅବସରରେ ଯୁବବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ଏହି ଘୋଷଣା କରିଛନ୍ତି। ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ, ପୁରସ୍କାର ଅର୍ଥ ୨୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ପୁରସ୍କାର ବାବଦରେ ୭ଲକ୍ଷ ୫୦ ହଜାର ଟଙ୍କା ଦିଆଯାଉଥିଲା। ଅର୍ଜ୍ଜୁନ ପୁରସ୍କାରଗୁଡ଼ିକ ପାଇଁ ପୁରସ୍କାର ରାଶି ପରିମାଣ ୫ଲକ୍ଷ ଟଙ୍କାରୁ ୧୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଦ୍ରୋଣାଚାର୍ଯ୍ୟ ଲାଇଫ୍‍ ଟାଇମ୍‍ ପୁରସ୍କାର ପାଇଁ ପୁରସ୍କାର ରାଶି ପରିମାଣ ମଧ୍ୟ ୫ ଲକ୍ଷ ଟଙ୍କାରୁ ୧୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଦ୍ରୋଣାଚାର୍ଯ୍ୟ ରେଗୁଲାର ପୁରସ୍କାର ରାଶି ଦଶଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଧ୍ୟାନଚାନ୍ଦ ପୁରସ୍କାର ରାଶିକୁ ମଧ୍ୟ ୫ଲକ୍ଷ ଟଙ୍କାରୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ଅବସରରେ ଶ୍ରୀ ରିଜିଜୁ କହିଛନ୍ତି, ୨୦୦୮ ମସିହାରେ ଶେଷଥର ପାଇଁ ପୁରସ୍କାର ରାଶି ପରିମାଣ ବୃଦ୍ଧି କରାଯାଇଥିଲା। ସେ କହିଛନ୍ତି, ପ୍ରତି ୧୦ବର୍ଷରେ ଥରେ ଏଥିରେ ବୃଦ୍ଧି କରାଯାଇଥାଏ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories