www.samajalive.in
Sunday, December 7, 2025
14.1 C
Bhubaneswar

ପିଡିଏସ ଚାଉଳ ଯୋଗାଣରେ ଅନିୟମିତତା, ବିଡିଓଙ୍କ ଦ୍ୱାରସ୍ଥ ହେଲେ ସରପଞ୍ଚ

କଲମପୁର: ଖାଦ୍ୟ ଅଭାବରୁ ଆମ୍ବ ଟାକୁଆ, ଜଙ୍ଗଲି କନ୍ଦା ଓ ଅନ୍ୟ ଅଖାଦ୍ୟ ଶାଗ ଖାଇ ଅତୀତରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି। ଖାଦ୍ୟ ଅଭାବରୁ ଏଭଳି ଅଖାଦ୍ୟ ଖାଇବାରୁ ଝାଡା ବାନ୍ତି ଭଳି ମାରାତ୍ମକ ରୋଗର ଶିକାର ହୋଇ ଅନେକ ଜୀବନ ଅଦିନରେ ଚାଲି ଯାଇଛି। ଯେତେବେଳେ ଏଭଳି ଅଘଟଣ ଘଟେ ସେତେବେଳେ କଳାହାଣ୍ଡିର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଥୁଆମୁଳ ରାମପୁର ଚର୍ଚ୍ଚାର ପରିଧିକୁ ଆସିଥାଏ। ରାଜ୍ୟ ସରକାର ଓ ପ୍ରଶାସନ ଏହାର ସମାଧାନ ପାଇଁ ଅଣ୍ଟା ଭିଡନ୍ତି, ନେତା ମନ୍ତ୍ରୀ ଲୋକଙ୍କୁ ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରତିଶୃତି ଦିଅନ୍ତି। କିନ୍ତୁ କିଛି ଦିନ ପରେ ନିରବି ଯାଏ ଏହି ଚର୍ଚ୍ଚା। କେହି ଯେମିତି ଭୋକ ଉପାସରେ ରହି ମୃତ୍ୟୁବରଣ ନ କରନ୍ତି ସେଥିପାଇଁ କେନ୍ଦ୍ର ସରକାର ଆରମ୍ଭ କଲେ ଖାଦ୍ୟ ସୁରକ୍ଷା ଯୋଜନା। ଏଥିରୁ ବାଦ ପଡିଥିବା ଅସହାୟ ପରିବାର ସାମିଲ ହେଲେ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ। କିନ୍ତୁ ଏବେ ମଧ୍ୟ କଳାହାଣ୍ଡି ଜିଲାକୁ ଶଷ୍ୟ ଶ୍ୟାମଳାରେ ଭରପୁର କରି ନିଜ ଜୀବନକୁ ବିପନ୍ନ କରିଥିବା ଇନ୍ଦ୍ରାବତି ଜଳଭଣ୍ଡାର ମଧ୍ୟରେ ବାସ କରୁଥିବା ୨୦ ଖଣ୍ଡ ଗ୍ରାମବାସୀ ଖାଦ୍ୟ ସାମଗ୍ରୀ ଅଭାବରେ ଦିନ ଅତିବାହିତ କରି ଆସୁଛନ୍ତି। ବର୍ଷା ପୂର୍ବରୁ ଏହି ଇନ୍ଦ୍ରାବତି ଜଳ ଭଣ୍ଡାର ଅଞ୍ଚଳରେ ବାସ କରୁଥିବା ପ୍ରାୟ ୫ହଜାର ଲୋକଙ୍କ ପାଇଁ ୪ ମାସର ଖାଦ୍ୟ ସାମଗ୍ରୀ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦେଉଥିଲେ ମଧ୍ୟ ଦାୟିତ୍ୱରେ ଥିବା କେହି କର୍ମଚାରୀ ଏହାକୁ ଖାତିର କରୁ ନାହାଁନ୍ତି। ଯାହାକୁ ନେଇ ଖୋଦ ପୋଡାପଦର ପଂଚାୟତର ସରପଞ୍ଚ ମୀନା ମାଝୀ ଓ ତାଙ୍କର କିଛି ସହଯୋଗୀ ବିଡିଓ ନିଶାନ ମିଶ୍ରଙ୍କ ଦ୍ୱାରସ୍ଥ ହେବା ସହ ସମାଧାନ ପାଇଁ ଅନୁରୋଧ କରିଛନ୍ତି।

ସୁଚନାଯୋଗ୍ୟ ଯେ, ଇନ୍ଦ୍ରାବତି ଜଳ ଭଣ୍ଡାର ମଧ୍ୟରେ ରହିଛଇ ପୋଡାପଦର ଗ୍ରାମ ପଂଚାୟତର ୧୬ ଖଣ୍ଡ ଗ୍ରାମ। ଯାହା କୋରାପୁଟ ଜିଲା ସୀମାନ୍ତ ଦସମନ୍ତପୁର ବ୍ଲକକୁ ଲାଗି ରହିଛି। ଲୋକଙ୍କ ନିତ୍ୟ ନୈମିତ୍ୟ ତେଲ ଲୁଣ ପାଇଁ ଦେଶୀ ଡଙ୍ଗାରେ ପାର ହେବାକୁ ପଡିଥାଏ। କିନ୍ତୁ ପରିତାପର ବିଷୟ ଏହି ପଂଚାୟତକୁ ଅଦ୍ୟବଧି ଚାଉଳ ଯୋଗାଣ ହେଇ ପାରି ନ ଥିବାରୁ ଲୋକେ ଆମ୍ବଟାକୁଆ, ଜଙ୍ଗଲି କନ୍ଦା ଆଦି ଅଖାଦ୍ୟ ଖାଇବାକୁ ବାଧ୍ୟ ହେଉଛନ୍ତି। ଏହି ପଂଚାୟତ ପୁନଃ ଗଠନ ହେବା ପୂର୍ବରୁ ତଲନାଗୀ ପଂଚାୟତରେ ସାମିଲ ଥିଲା। ବର୍ତମାନ ପର୍ଯ୍ୟନ୍ତ ନୁତନ ପଂଚାୟତର ପିଡିଏସ ସାମଗ୍ରୀ ଉଠାଣ ପାଇଁ ଆବଶ୍ୟକ ଥିବା ଲାଇସେନ୍ସ ନ ଥିବାରୁ ପୂର୍ବ ପରି ତଲନାଗୀ ପଂଚାୟତର ଲାଇସେନ୍ସ ମାଧ୍ୟମରେ ପିଡିଏସ ଉଠାଣ କରାଯାଉଛି। କିନ୍ତୁ ଦାୟିତ୍ୱରେ ଥିବା ଯୋଗାଣ ସହାୟକଙ୍କ କାର୍ଯ୍ୟରେ ଅବହେଳା କାରଣରୁ ପୋଡାପଦର ପଂଚାୟତର ହିତାଧିକାରୀ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ତେଣୁ ତୁରନ୍ତ ଏହାର ସମାଧାନ ପାଇଁ ପୋଡାପଦର ପଂଚାୟତ ପାଇଁ ଅଲଗା ଲାଇସନ୍ସ ପ୍ରଦାନର ବ୍ୟବସ୍ଥା କରାଯିବ ବୋଲି ବିଡିଓ ଶ୍ରୀ ମିଶ୍ର ମତବ୍ୟକ୍ତ କରିଛନ୍ତି। ଏହାସହ ପିଡିଏସ ଯୋଗାଣରେ ଅବହେଳା କରୁଥିବା ସଂପୃକ୍ତ କର୍ମଚାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମତବ୍ୟକ୍ତ କରିଛନ୍ତି।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories