www.samajalive.in
Tuesday, December 9, 2025
16.1 C
Bhubaneswar

ଏକବିଂଶ ଶତାବ୍ଦୀର ଭିନ୍ନ ଏକ ଲଢ଼େଇ

(ଶର୍ମିଷ୍ଠା ସେଠୀ, ଲୋକସଭା ସାଂସଦ, ଯାଜପୁର ) : ଏକବିଂଶ ଶତାବ୍ଦୀରେ ବିଶ୍ୱ ଏଭଳି ଏକ ଅଦୃଶ୍ୟ ଶତ୍ରୁ ସହିତ ଲଢ଼େଇ କରୁଛି, ଯାହା ସମ୍ପୂର୍ଣ୍ଣ ବିଶ୍ୱର ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ଢାଞ୍ଚାକୁ ଦୋହଲେଇ ଦେଇଛି। ପାଞ୍ଚମାସର ଏ ଲଢ଼େଇ ପରେ ଓଡ଼ିଶା ଏହା ପ୍ରମାଣିତ କରିଦେଲା ଯେ ଠିକ୍‍ ସ୍ୱାସ୍ଥ୍ୟ ନୀତି, ନେତୃତ୍ୱ ଏବଂ ପଦକ୍ଷେପର ମାର୍ଗରେ ଆମେ ଏଭଳି ମହାମାରୀକୁ ସାହସର ସହ ସମ୍ମୁଖୀନ କରିପାରିବା ଓ ସଫଳ ମଧ୍ୟ ହୋଇପାରିବା। ଅତୀତରେ ଓଡ଼ିଶା ଅନେକ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ସଫଳତାର ସହିତ କରିପାରିଛି ଏବଂ ବର୍ତ୍ତମାନ ମଧ୍ୟ କରୋନା ଭୂତାଣୁକୁ ରୋକିବାରେ ବହୁମାତ୍ରାରେ ସଫଳ ହୋଇଛି। ତୁଳନାତ୍ମକ ଭାବେ ଅନୁଶୀଳନ କଲେ ଆମେ ଜାଣିପାରିବା ଯେ ଏ ଲଢ଼େଇରେ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ଅନେକ ଆଗରେ।

୧୬ ମାର୍ଚ୍ଚରେ ରାଜ୍ୟରେ କରୋନା ସଂକ୍ରମଣର ପ୍ରଥମ ମାମଲା ରିପୋର୍ଟ କରାଯାଇଥିଲା। ଏହା ପୂର୍ବରୁ ଓଡ଼ିଶା ସରକାର ଏହାକୁ ‘ରାଜ୍ୟ ବିପର୍ଯ୍ୟୟ’ ଘୋଷଣା କରିବା ସହିତ ‘ଓଡ଼ିଶା କୋଭିଡ୍‍-୧୯ ରେଗୁଲେସନ ୨୦୨୦’କୁ ଅନୁମୋଦନ କରିଥିଲେ। ବିଦ୍ୟାଳୟ, କଲେଜ ଏବଂ ପ୍ରେକ୍ଷାଳୟ ବନ୍ଦ କରିବାକୁ ଘୋଷଣା କରିଥିଲେ ଏବଂ ଏହି ଜନସ୍ୱାସ୍ଥ୍ୟ ଆହ୍ୱାନର ମୁକାବିଲା ପାଇଁ ୨୦୦କୋଟି ଟଙ୍କାର ପ୍ୟାକେଜ୍‍ ମଞ୍ଜୁର କରିଥିଲେ। ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଆହୁରି ମଜଭୁତ କରିବା ପାଇଁ ଏକହଜାର ଶଯ୍ୟା ବିଶିଷ୍ଟ ଭାରତର ସର୍ବବୃହତ କୋଭିଡ ହସ୍ପିଟାଲ ଓଡ଼ିଶା ସରକାର ସ୍ଥାପନ କରିଥିଲେ। ଲକ୍‍ଡାଉନ୍‍ ଘୋଷଣା ପୂର୍ବରୁ କୋଭିଡ୍‍-୧୯ ହେଲ୍‌ପଲାଇନ ନମ୍ବର ସ୍ଥାପନ କରିଥିଲେ। ଏସବୁ ପଦକ୍ଷେପ ପରବର୍ତ୍ତୀ ସମୟରେ ଭୂତାଣୁଜନିତ ସଂକ୍ରମଣକୁ ପ୍ରତିହତ କରିବାରେ ବହୁମାତ୍ରାରେ ସହାୟକ ହୋଇଥିଲା।

- Advertisement -

କୋଭିଡ୍‍-୧୯ ବିରୋଧରେ ଓଡ଼ିଶାର ରଣନୀତିର ଆଉ ଏକ ଅଭିନବ ଦିଗ ଥିଲା ପଞ୍ଚାୟତିରାଜ ଅନୁଷ୍ଠାନକୁ ସଶକ୍ତ କରିବା। ସଂଗରୋଧ କେନ୍ଦ୍ରଠାରୁ ଆରମ୍ଭ କରି ପ୍ରବାସୀ ଶ୍ରମିକ ଏବଂ ଗ୍ରାମକୁ ଫେରୁଥିବା ଅନ୍ୟମାନଙ୍କୁ ଚିହ୍ନଟ ପର୍ଯ୍ୟନ୍ତ, ଗ୍ରାମ ପଞ୍ଚାୟତର ଭୂମିକା ଏବଂ ବିଶେଷକରି ସରପଞ୍ଚଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସମସ୍ୟାର ଗଭୀରତା ଓ ମାନବୀୟ ଦିଗ ଉଭୟକୁ ଦେଖି ସରକାର ଅନୁଭବ କରିଥିଲେ ଯେ ଗ୍ରାମ ପଞ୍ଚାୟତ ଓ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ମନିଟରିଂ ଓ ସଚେତନତା ପାଇଁ ଆହୁରି ଅଧିକ ସକ୍ରିୟ କରିବାର ଆବଶ୍ୟକତା ରହିଛି। ଗ୍ରାମ ପଞ୍ଚାୟତଗୁଡ଼ିକୁ ପ୍ରଶାସନିକ ଏକକ ଭାବରେ ନେବା ଓ ସରପଞ୍ଚମାନଙ୍କୁ ଜିଲାପାଳଙ୍କ କ୍ଷମତା ଦେବା ମୂଳରେ ମୁଖ୍ୟ କାରଣ ଥିଲା ଜରୁରୀକାଳୀନ ନିଷ୍ପତ୍ତିକୁ ତ୍ୱରାନ୍ୱିତ କରି ଗ୍ରାମାଞ୍ଚଳରେ କରୋନା ଭୁତାଣୁକୁ ରୋକିବା। ବିକାଶ ଏବଂ ସାମୂହିକ କାର୍ଯ୍ୟରେ ମିଶନ ଶକ୍ତି ଭଳି ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ଜଡ଼ିତ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ମଧ୍ୟ ଏହି ସଙ୍କଟ ସମୟରେ ବହୁତ ସାହାଯ୍ୟ କରିଥିଲା। ସବୁଠାରୁ ବଡ଼ କଥା ହେଲା ରାଜ୍ୟ ସରକାର କୋଭିଡ୍‍ ମୁକାବିଲା ତନ୍ତ୍ରକୁ ଜବାବଦେହୀ କରିଥିଲେ। ମୁଖ୍ୟମନ୍ତ୍ରୀ ନିଜେ ନିୟମିତ ଭାବରେ ସମୀକ୍ଷା ବୈଠକ କରି ପରିସ୍ଥିତିର ଆକଳନ କରି ପଦକ୍ଷେପ ଗ୍ରହଣ କରିଥିଲେ।

ମହାମାରୀ ଯୋଗୁଁ ଲକ୍ଷଲକ୍ଷ ଲୋକ ଜୀବିକା ହରାଇବା ପରେ ନିଜ ଗ୍ରାମକୁ ଫେରିବା ବ୍ୟତୀତ ସେମାନଙ୍କର ଅନ୍ୟ କୌଣସି ବିକଳ୍ପ ନ ଥିଲା। ଯେତେବେଳେ କିଛି ରାଜ୍ୟ ତାଙ୍କ ରାଜ୍ୟବାସୀଙ୍କୁ ଫେରେଇ ଆଣିବା ପାଇଁ ସେତେଟା ଆଗ୍ରହୀ ନ ଥିଲେ, ଓଡ଼ିଶା ସରକାର ପ୍ରବାସୀ ଓଡ଼ିଆମାନଙ୍କୁ ଫେରାଇ ଆଣିବା ପାଇଁ ସର୍ବସମ୍ଭବ ଉପାୟ କରିଥିଲେ। ଶିଳ୍ପ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ଯୋଗାଇବା ଉଦ୍ଦେଶ୍ୟରେ ଓଡ଼ିଶା ସରକାର ସମସ୍ତ ପ୍ରବାସୀ ଶ୍ରମିକଙ୍କ ଦକ୍ଷତାର ମୂଲ୍ୟାଙ୍କନ କରୁଛନ୍ତି ଏବଂ ଓଡ଼ିଶାରେ ପୁଞ୍ଜି ବିନିଯୋଗ ପାଇଁ କ୍ରିୟାଶୀଳ ଅଛନ୍ତି। ଆବଶ୍ୟକ ସ୍ଥଳେ ସେମାନଙ୍କୁ ଉପଯୁକ୍ତ ତାଲିମ୍‍ ଦିଆଯିବ ଯାହାଦ୍ୱାରା ସେମାନେ ନିଯୁକ୍ତି ପାଇପାରିବେ କିମ୍ବା ନିଜକୁ ଆତ୍ମନିର୍ଭର କରିପାରିବେ।

କୋଭିଡ୍‍ ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଏ ପର୍ଯ୍ୟନ୍ତ ୬୭୯୮ ଗ୍ରାମ ପଞ୍ଚାୟତରେ ୬୧୨୮ କୋଭିଡ୍‍ କେୟାର କେନ୍ଦ୍ର ଖୋଲାଯାଇଛି ଏବଂ ସେଗୁଡ଼ିକର ସୁପରିଚାଳନା ପାଇଁ ଆବଶ୍ୟକ ଅର୍ଥ ଏବଂ ପାଞ୍ଚଲକ୍ଷ କୋଭିଡ୍‍ ଯୋଦ୍ଧାଙ୍କୁ ତାଲିମ ଦିଆଯାଇଛି। ଏସ୍‍ସିବି ମେଡିକାଲ ଓ ବ୍ରହ୍ମପୁର ଏମ୍‍କେସିଜେ ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କ ଖୋଲାଯିବା ରାଜ୍ୟ ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ। ପ୍ରତିଟି ଲୋକର ଜୀବନ ମୂଲ୍ୟବାନ, ଏ ସିଦ୍ଧାନ୍ତକୁ ପାଥେୟ କରି ମୁଖ୍ୟମନ୍ତ୍ରୀ ରାଜ୍ୟର ମନ୍ତ୍ରୀ ଓ ଲୋକପ୍ରତିନିଧିମାନଙ୍କୁ ଜିଲା ଦାୟିତ୍ୱ ଦେଇଛନ୍ତି ଯେ ସେମାନେ କୋଭିଡ୍‍ରୁ ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କୁ ପ୍ଲାଜ୍‍ମା ଦାନ କରିବା ପାଇଁ ଉତ୍ସାହିତ କରିବେ। ଏଥିସହିତ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବରେ ନବୀନ ପଟ୍ଟନାୟକ ସେରମ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଇଣ୍ଡିଆ ସହିତ କଥାବାର୍ତ୍ତା କରି ଅକ୍ଟୋବର-ନଭେମ୍ବର ସୁଦ୍ଧା ଓଡ଼ିଶାରେ ଟିକା ଉପଲବ୍ଧ କରେଇବାର ଚେଷ୍ଟା ତାଙ୍କର ଲୋକସେବା ପ୍ରତିଶ୍ରୁତିବଦ୍ଧତାର ଏକ ଜ୍ୱଳନ୍ତ ନମୁନା।

ସଂକ୍ରମଣ ମାମଲାକୁ ଶୀଘ୍ର ଚିହ୍ନଟ, ଉତ୍ପତ୍ତି ଅନୁସନ୍ଧାନ (ଟ୍ରେସିଂ) ଏବଂ ଉପଯୁକ୍ତ ଚିକିତ୍ସା ମାଧ୍ୟମରେ ଓଡ଼ିଶା ଏ ପର୍ଯ୍ୟନ୍ତ ସଫଳତାର ସହ କୋଭିଡ୍‍ର ମୁକାବିଲା କରିଛି। ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ବ୍ୟବହାର ମଧ୍ୟ ସଫଳତାର ଆଉ ଏକ ପାର୍ଶ୍ବ। ତଥାପି କୋଭିଡ୍‍-୧୯ ବିରୋଧରେ ଆମର ସଂଗ୍ରାମରେ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କୋଭିଡ୍‍ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ୩୦ ମେ’ରେ ମୁଖ୍ୟମନ୍ତ୍ରୀଙ୍କ ନିବେଦନ କ୍ରମେ ଓଡ଼ିଶା ସମେତ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ଓଡ଼ିଆ ଭାଇଭଉଣୀମାନେ ଯେଭଳି ଏକ ସ୍ୱରରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରି ଜାତିପ୍ରେମର ନିଦର୍ଶନ ଦେଖାଇଛନ୍ତି ତାହା ଅତୁଳନୀୟ।

ମୁଖ୍ୟମନ୍ତ୍ରୀଙ୍କ ତିନିଟି ମନ୍ତ୍ର- ତ୍ୟାଗ, ସଂଯମ ଓ ଶୃଙ୍ଖଳାକୁ ଅନୁସରଣ କରି ଆମେ ବ୍ୟକ୍ତିଗତ ସ୍ୱଚ୍ଛତା ଏବଂ ସାମାଜିକ ଦୂରତା ବଜାୟ ରଖିବା ଉଚିତ। ଏହା ହେଉଛି ଆମର ଆମ ପ୍ରତି, ଆମ ପରିବାର ଏବଂ ସମାଜ ପ୍ରତି ଦାୟିତ୍ୱ। ଆମକୁ ସତର୍କତା ଏବଂ ମାନବିକତା ମଧ୍ୟରେ ସନ୍ତୁଳନ ରଖିବାକୁ ପଡ଼ିବ। ସରକାରଙ୍କ କଠିନ ପରିଶ୍ରମ ସହିତ ସମାଜ ଏବଂ ନାଗରିକଙ୍କ ସହଯୋଗ ନିଶ୍ଚିତ କରିବ ଯେ ଆମେ କୋଭିଡ୍‍-୧୯ ଉପରେ ସଫଳତାର ସହ ବିଜୟ ଲାଭ କରିବା।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories