ବ୍ରହ୍ମପୁର: ଗଞ୍ଜାମ ଜିଲାରେ କରୋନା ରୋଗୀ ସଂଖ୍ୟା ୫ ହଜାର ପାର୍ ହୋଇଛି। ଶୁକ୍ରବାର ନୂତନ ୨୩୧ ରୋଗୀ ଚିହ୍ନଟ ଓ ୨ ଜଣ ରୋଗୀଙ୍କ ମୃତ୍ୟୁ ପରେ ମୋଟ ରୋଗୀ ସଂଖ୍ୟା ୫୦୯୮ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୫୦ରେ ପହଞ୍ଚିଛି। ଦିନକୁ ଦିନ ସ୍ଥିତି ଅଣାୟତ୍ତ ହେଉଥିଲେ ମଧ୍ୟ କରୋନା ମୁକାବିଲା ପାଇଁ ଜିଲାରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ଶୁକ୍ରବାର ବ୍ରହ୍ମପୁର ଟାଉନ ହଲଠାରେ ଜିଲା ପ୍ରଶାସନ, ମହାନଗର ନିଗମ କର୍ତ୍ତୃପକ୍ଷ ଓ ଏମକେସିଜି ମେଡିକାଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରାଯାଇ ବର୍ତ୍ତମାନ ଗଞ୍ଜାମ ତଥା ବ୍ରହ୍ମପୁରରେ କରୋନା ମୁକାବିଲା ପାଇଁ କ’ଣ ସୁବ ପଦକ୍ଷେପ ନିଆଯାଉଛି ତାହାର ବିବରଣୀ ପ୍ରଦାନ କରାଯାଇଛି। ଗଞ୍ଜାମରେ ଆଜି ପର୍ୟ୍ୟନ୍ତ ଯେତେ ରୋଗୀ ବାହାରିଛନ୍ତି ସେଥିରୁ ୬୪ ପ୍ରତିଶତ ସୁସ୍ଥ ହୋଇଛନ୍ତି। ଆଉ ଏହା କରୋନା ଯୋଦ୍ଧାଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ସମ୍ଭବ ହୋଇପାରିଛି ବୋଲି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଥିଲେ। ଜିଲାରେ ଆଜି ପର୍ୟ୍ୟନ୍ତ ୨୨ ହଜାର ଲୋକଙ୍କ ସ୍ୱାବ ସଂଗ୍ରହ ହୋଇଥିବା ବେଳେ ସେଥିରୁ ୧୯ ହଜାର ଲୋକଙ୍କ ରିପୋର୍ଟ ଆସିଛି। ଜିଲାର ବିଭିନ୍ନ ସ୍ଥାନରେ ଥିବା କୋଭିଡ କେୟାର ସେଣ୍ଟରରେ ୨୫୦୦ ଶଯ୍ୟା ଥିବା ବେଳେ ପଞ୍ଚାୟତ ହୋମରେ ୪୨୦୦ ଶଯ୍ୟା ରହିଛି। ସେହିପରି ଜିଲାର ୮୪ ପ୍ରତିଶତ ଗାଁ ଏବେ ଗ୍ରୀନ ଜୋନରେ ରହିଛି। କରୋନା ମୁକାବିଲା ପାଇଁ ବ୍ଳକସ୍ତରରେ ନୋଡାଲ ଅଫିସରଙ୍କୁ ନିଯୁକ୍ତି ମଧ୍ୟ କରାଯାଇଛି ବୋଲି ଜିଲାପାଳ କହିଥିଲେ। ବ୍ରହ୍ମପୁର ସହରରେ ଚିହ୍ନଟ ହୋଇଥିବା ୭୯୯ ଜଣ କରୋନା ରୋଗୀଙ୍କ ମଧ୍ୟରୁ ୪୬୫ ଜଣ ସୁସ୍ଥ ହୋଇଛନ୍ତି। କରୋନା ଲକ୍ଷଣ ଥିବା ରୋଗୀଙ୍କୁ ପାଇଁ ସହରରେ ୮ଟି ଫିଭର କ୍ଳିନିକରେ ଏମବିବିଏସ ଡାକ୍ତର ନିଯୁକ୍ତି କରାଯାଇଛି।
ସମସ୍ତ ଫିଭର କ୍ଳିନିକରେ ସ୍ୱାବ ସଂଗ୍ରହ କରାଯାଉଛି ବୋଲି ବିଏମସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର କହିଥିଲେ। ସହରରେ ଭ୍ରାମ୍ୟମାଣ କୋଭିଡ-୧୯ ଗାଡି ଦ୍ୱାରା ଅଧିକ କରୋନା ରୋଗୀ ବାହାରୁଥିବା ବିଭିନ୍ନ ସାହିରେ ସ୍ୱାବ ସଂଗ୍ରହ ଜାରି ରହିବା ସହ ସହରରେ ୪ଟି ରାପିଡ ରେସପନ୍ସ ଟିମ ଓ ଆମ୍ବୁଲାନ୍ସ କାର୍ୟ୍ୟ କରୁଛି ବୋଲି କମିଶନର ସୂଚନା ଦେଇଥିଲେ। ବ୍ରହ୍ମପୁର ଉପଖଣ୍ଡର ବାଦପୁର ଓ ଛଣମେରୀ ଆଦର୍ଶ ବିଦ୍ୟାଳୟରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ସହ ସେଠାରେ ଅକ୍ସିଜେନ ବ୍ୟବସ୍ଥା କରାଯିବ ବୋଲି ଉପଜିଲାପାଳ ସିନ୍ଦେ ଦତ୍ତାତ୍ରୟ ଭାଉସାହେବ କହିଥିଲେ। ସମସ୍ତ ବ୍ଳକରେ କୋଭିଡ ହେଲ୍ପଲାଇନ ନମ୍ବର ଜାରି କରାଯିବ ବୋଲି ସେ କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ଏମକେସିଜି ମେଡିକାଲ କଲେଜ ଓ ହସପିଟାଲର ଡିନ୍ ତଥା ଅଧ୍ୟକ୍ଷା ପ୍ରଫେସର ଦିପ୍ତିମୟୀ ତ୍ରିପାଠୀ ଯୋଗଦେଇ ଏମକେସିଜିର ଆଉଡଟୋର ବନ୍ଦ ଥିଲେ ମଧ୍ୟ କାଜୁଆଲିଟି ଓ ଇନଡୋର ଚାଲୁ ରହିଛି। ଗୁରୁତର ରୋଗୀଙ୍କୁ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦିଆଯାଉଛି ବୋଲି କହିଥିଲେ। ଏଥିରେ ଏମକେସିଜିର ଅଧୀକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର ଓ ପ୍ରଶାସନିକ ଅଧିକାରୀ ସଚିଦାନନ୍ଦ ନାୟକ ଉପସ୍ଥିତ ଥିଲେ।



