ତ୍ରିପୁରା ମୁଖ୍ୟମନ୍ତ୍ରୀ ହେବେ ବିପ୍ଳବ

0

ଅଗରତାଲା : ବିଜେପି ନେତା ବିପ୍ଳବ କୁମାର ଦେବ ତ୍ରିପୁରାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ ହୋଇପଡିଛି। ମଙ୍ଗଳବାର ଏଠାରେ ଆୟୋଜିତ ବୈଠକରେ ବିପ୍ଳବ ସର୍ବସମ୍ମତିକ୍ରମେ ବିଧାୟକ ଦଳର ନେତା ନିର୍ବାଚିତ ହୋଇଛନ୍ତି। ମଙ୍ଗଳବାର ବିପ୍ଳବ ରାଜଭବନରେ ରାଜ୍ୟପାଳ ତଥାଗତ ରାୟଙ୍କୁ ଭେଟି ସରକାର ଗଠନ ଦାବି ଉପସ୍ଥାପନ କରିଛନ୍ତି। ଅପରପକ୍ଷରେ ବିଜେପିର ସହଯୋଗୀ ଦଳ ଆଇପିଏଫ୍‌ଟି (ଇଣ୍ଡିଜେନସ ପିପୁଲ୍‌ସ ଫ୍ରଣ୍ଟ ଅଫ୍‌ ତ୍ରିପୁରା)ର ଜିଷ୍ଣୁ ଦେବ ବର୍ମନ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡିଛି। ଆସନ୍ତା ୯ରେ ବିପ୍ଳବ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି। ଏହି ଉତ୍ସବରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ସଭାପତି ଅମିତ ଶାହାଙ୍କ ସମେତ ବିଜେପି ଶାସିତ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯିବ ବୋଲି ବିପ୍ଳବ ସୂଚନା ଦେଇଛନ୍ତି।
୪୮ ବର୍ଷୀୟ ବିପ୍ଳବଙ୍କ ପିତା ହାରାଧନ ଦେବ ଜନସଂଘର ଜଣେ ନେତା ଥିଲେ। ୧୯୯୯ରେ ସ୍ନାତକ ଡିଗ୍ରୀ ହାସଲ କରିବାପରେ ବିପ୍ଳବ ଦିଲ୍ଲୀ ଯାତ୍ରା କରି ଆରଏସ୍‌ଏସ୍‌ କର୍ମୀଭାବେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ଗୋବିନ୍ଦାଚାର୍ଯ୍ୟ ଓ କୃଷ୍ଣଗୋପାଳ ଶର୍ମାଙ୍କ ଭଳି ଆରଏସ୍‌ଏସ୍‌ ନେତାଙ୍କ ଅଧୀନରେ ୧୬ ବର୍ଷ କାର୍ଯ୍ୟ କରିବାପରେ ବିପ୍ଳବ ୨୦୧୫ରେ ତ୍ରିପୁରା ପ୍ରତ୍ୟାବର୍ତ୍ତନ କରି ବିଜେପିର ମୁଖ୍ୟ ଜନସମ୍ପର୍କ ଅଧିକାରୀଭାବେ କାର୍ଯ୍ୟାରମ୍ଭ କରିଥିଲେ। ୨୦୧୬ ଜାନୁଆରୀରେ ତାଙ୍କୁ ତ୍ରିପୁରା ବିଜେପି ଶାଖା ସଭାପତି ଦାୟିତ୍ୱ ଅର୍ପଣ କରାଯାଇଥିଲା। ବିପ୍ଳବଙ୍କ ପତ୍ନୀ ନିତି ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଅଫିସରଭାବେ କାର୍ଯ୍ୟରତ ଅଛନ୍ତି। ତ୍ରିପୁରାରେ ୨୫ ବର୍ଷର ସିପିଏମ ଦୁର୍ଗକୁ ଭୁଶୁଡାଇବାରେ ବିପ୍ଳବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାବେଳେ ବିଜେପି ହାଇକମାଣ୍ଡ ବର୍ତ୍ତମାନ ତାଙ୍କ କାର୍ଯ୍ୟଶୈଳୀରେ ଅତ୍ୟନ୍ତ ପ୍ରୀତ ଅଛନ୍ତି।
୬୦ ଆସନ ବିଶିଷ୍ଟ ବିଧାନସଭା ପାଇଁ ଫେବୃଆରୀ ୧୮ରେ ହୋଇଥିବା ନିର୍ବାଚନରେ ବିଜେପି ସର୍ବାଧିକ ୩୫ଟି ଓ ଏହାର ସହଯୋଗୀ ଆଇପିଏଫ୍‌ଟି (ଇଣ୍ଡିଜେନସ ପିପୁଲ୍‌ସ ଫ୍ରଣ୍ଟ ଅଫ୍‌ ତ୍ରିପୁରା) ୮ଟି ଆସନରେ ବିଜୟୀ ହୋଇଛନ୍ତି। ଏହି ନିର୍ବାଚନରେ ବିଜେପି ମେଣ୍ଟ ରାଜ୍ୟରେ ଦୀର୍ଘ ୨୫ ବର୍ଷ ଧରି କ୍ଷମତା ଅକ୍ତିଆର କରିଆସୁଥିବା ସିପିଏମ୍‌କୁ ଗାଦିଚ୍ୟୁତ କରିବାରେ ସଫଳ ହୋଇଛି।

Leave A Reply