ଧର୍ମଶାଳା: ଷ୍ଟାଟସ୍ ଏବଂ ନିଜର ସୌଖୀନ ପାଇଁ ଅନେକ ଲୋକ ପାଣି ଭଳି ଟଙ୍କା ଖର୍ଚ୍ଚ କରନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ହିମାଚଳ ପ୍ରଦେଶରେ। ୮୦ ହଜାର ଟଙ୍କାର ଏକ ସ୍କୁଟି ପାଇଁ ଭିଆଇପି ନମ୍ବର କରିବା ଲାଗି ଜଣେ ବ୍ୟକ୍ତି ୧୮ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି।
ସୂଚନା ଅନୁସାରେ, ହିମାଚଳ ପ୍ରଦେଶର ଉନ୍ନା ଜିଲା ଶାହପୁର ଅଞ୍ଚଳରେ ଥିବା ରାହୁଲ ପୈମ୍ ପ୍ରାଇଭେଟ ଲିମିଟେଡ ନାମକ ଏକ ଘରୋଇ କମ୍ପାନୀ ନାମରେ ଏକ ସ୍କୁଟି ପଞ୍ଜୀକୃତ ହୋଇଛି। କମ୍ପାନୀ ମାଲିକ ସ୍କୁଟି ପାଇଁ ଏକ ଭିଆଇପି ନମ୍ବର(ଏଚପି ୯୦-୦୦୦୯) କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ସରକାରଙ୍କୁ ଆବେଦନ କରିଥିଲେ। ଏହି ନମ୍ବର ଲାଗି ସରକାରଙ୍କ ପକ୍ଷରୁ ନିଲାମ ଡକାଯାଇଥିଲା। ଜୁନ ୨୦ରୁ ୨୬ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ନିଲାମ ଜାରି ରହିଥିଲା। ଏଥିରେ ରାହୁଲ ପୈମ୍ କମ୍ପାନୀ ସର୍ବାଧିକ ୧୮ ଲକ୍ଷ ୨୨ ହଜାର ୫୦୦ ଟଙ୍କା ନିଲାମ ଡାକିଛି। ଆଗାମୀ ୩ ଦିନ ମଧ୍ୟରେ ଏହି ଟଙ୍କା ଦାଖଲ କଲେ ଉକ୍ତ ନମ୍ବରଟି ମିଳିବ। ଏହି ନିଲାମରେ ଶାହପୁରର ଅନ୍ୟ କିଛି ଲୋକ ୧୦ରୁ ୧୫ ଲକ୍ଷ ପର୍ଯ୍ୟନ୍ତ ନିଲାମ ଡାକିଥିଲେ ବୋଲି ଏସଡିଏମ ମୁରଲୀ ଲାଲ ସୂଚନା ଦେଇଛନ୍ତି।



