ରାଜ୍ୟ ରାଜନୀତିର ଶୂନ୍ୟତାକୁ ପୂରଣ କରିବେ ରଜନୀକାନ୍ତ
ଚେନ୍ନଇ : ଅଭିନେତାରୁ ନେତା ସାଜିଥିବା ତାମିଲ ସୁପରଷ୍ଟାର ରଜନୀକାନ୍ତ ତାଙ୍କ ରାଜନୀତିକ ଆଭିମୁଖ୍ୟକୁ ସୋମବାର ସ୍ପଷ୍ଟ କରିଛନ୍ତି । ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପରେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିବା ଶୂନ୍ୟତାକୁ ପୂରଣ କରିବା ଲକ୍ଷ୍ୟରେ ସେ ଅଛନ୍ତି ବୋଲି କହିଛନ୍ତି । ସୋମବାର ଏମ୍ଜିଆର ବିଶ୍ୱବିଦ୍ୟାଳୟରେ ନିର୍ମିତ ତାମିଲନାଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅଭିନେତା ଏମ୍ଜି ରାମଚନ୍ଦ୍ରନଙ୍କ ଏକ ପ୍ରତିମୂର୍ତ୍ତିକୁ ରଜନୀକାନ୍ତ ଉନ୍ମୋଚନ କରିଥିଲେ । ଏହି ଅବସରରେ ରଜନୀକାନ୍ତ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇ ଏହା ପ୍ରକାଶ କରିଥିଲେ । ରାଜନୀତିରେ ଯୋଗଦେବାର ମାସେ ପରେ ରଜନୀକାନ୍ତ ନିଜ ରାଜନୈତିକ ଆଭିମୁଖ୍ୟକୁ ସାର୍ବଜନୀନ କରିଛନ୍ତି । ରଜନୀକାନ୍ତ କହିଛନ୍ତି ଯେ ଏଆଇଡିଏମ୍କେ ଏମ୍ କରୁଣାନିଧି, ଜିକେ ମୁପାନାର ଏବଂ ଅନ୍ୟ ଲୋକଙ୍କ ସହ ଘନିଷ୍ଠ ସଂପର୍କ ଯୋଗୁଁ ମୁଁ ବହୁତ କିଛି ଶିକ୍ଷା ଲାଭ କରିପାରିଛି । ରାଜନୀତି ପଥ ବହୁ କଣ୍ଟକିତ ଓ କଷ୍ଟକର । ମୋତେ ଜଣା ରାଜନୀତିରେ ଯାତ୍ରା ଅତି ସହଜ ନୁହଁ । କିନ୍ତୁ ମୋର ବିଶ୍ୱାସ ଅଛି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍ଜିଆରଙ୍କ ଭଳି ଶାସନ ଦେଇପାରିବି । ଜୟଲଳୀତା ଏବେ ନାହାନ୍ତି ଏବଂ କରୁଣାନିଧି ଅସୁସ୍ଥ ଥିବାରୁ ତାମିଲନାଡୁ ରାଜନୀତିରେ ଏକ ଶୂନତା ସୃଷ୍ଟି ହୋଇଛି । ଏହି ଶୂନ୍ୟତାକୁ ମୁଁ ଦୂର କରିପାରିବି ଓ ଭଗବାନ ମୋ ସହ ଅଛନ୍ତି । ପ୍ରକାଶ ଯେ ୨୦୧୭ ଶେଷ ଭାଗରେ ତାମିଲ ସୁପରଷ୍ଟାର ରଜନୀକାନ୍ତ ଏକ ରାଜନୈତିକ ଦଳ ଗଠନ କରିବାକୁ ଘୋଷଣା କରିଥିଲେ ଓ ୨୦୨୧ ତାମିଲନାଡୁ ବିଧାନସଭା ନିର୍ବାଚନରେ ସମସ୍ତ ୨୩୪ ଆସନରେ ପ୍ରାର୍ଥୀ ଦେବେ ବୋଲି କହିଥିଲେ ।