www.samajalive.in
Sunday, December 7, 2025
13.1 C
Bhubaneswar

ଫଣି’କୁ କାଲି ପୁରିବ ବର୍ଷେ ; ବିନା ସରକାରୀ ସହାୟତାରେ ଲଢିବା ଶିଖାଇଲା ଫଣି

ପିପିଲି: ସାମୁଦ୍ରିକ ବାତ୍ୟା ଫଣିି’କୁ ଇତିମଧ୍ୟରେ ଆସନ୍ତାକାଲି ଅର୍ଥାତ ରବିବାର ବର୍ଷେ ପୁରିବାକୁ ଯାଉଛି। ବାତ୍ୟା ସମୟର ଲୋମଟାଙ୍କୁରା ଦୃଶ୍ୟ ଓ ଅନୁଭୂତି ଏବେ ମଧ୍ୟ ଅଞ୍ଚଳବାସୀଙ୍କ ମନରେ ଅଭୂଲା ରହିଛି। ସହର ବଜାର ଠାରୁ ଆରମ୍ଭ କରି ଗାଁ ଗଣ୍ଡା ପର୍ଯ୍ୟନ୍ତ ସବୁଠାରେ ବାତ୍ୟାର ସ୍ମୃତିକୁ ବହନ କରୁଥିବା ତଥା ଉପୁଡି ପଡିଥିବା ବୃକ୍ଷ, ଭଙ୍ଗାଘର ଆଦି ଏବେବି ସେମିତି ରହିଛି। ବର୍ଷକ ପରେ ମଧ୍ୟ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ସଳଖି ହୋଇପାରିନି।

ଗତ ୨୦୧୯ ମଇ ୩ ତାରିଖରେ ସାମୁଦ୍ରିକ ବାତ୍ୟା ଫଣି’ ସମଗ୍ର ପିପିଲିକୁ ଛାରଖାର କରି ଦେଇଥିଲା। ସହରବଜାର ଠାରୁ ଆରମ୍ଭ କରି ଗାଁଗଣ୍ଡା ପର୍ଯ୍ୟନ୍ତ ସବୁଠାରେ ଦେଖିବାକୁ ମିଳିଥିଲା ବାତ୍ୟା ବିଭିଷିକାର ସମାନ ଦୃଶ୍ୟ। ଧନି, ଗରୀବ, ମଧ୍ୟବିତ୍ତ ସମସ୍ତଙ୍କ ଆର୍ଥିକ ମେରୁଦଣ୍ଡକୁ ଫଣି’ ଦୋହଲାଇ ଦେଇଥିଲା। ଘରଦ୍ୱାର, ଦୋକାନ ବଜାର, ବୃକ୍ଷରାଜି, କୃଷି ସବୁକିଛି ଛାରଖାର ହୋଇଯାଇଥିଲା। କେହି ଜଣେ ହେଲେ ବି’ ବାତ୍ୟା କବଳରୁ ନିସ୍ତାର ପାଇନଥିଲେ। ସମସ୍ତଙ୍କୁ ବାତ୍ୟା ଦେଇ ଯାଇଥିଲା ଅସରନ୍ତି ଦୁଃଖର ଭଣ୍ଡାର। କେହି ଅନ୍ୟ ପାଇଁ ଦୁଃଖ କରି ସମବେଦନା ଜଣାଇବାର ପରିସ୍ଥିତି ନଥିଲା। ବାତ୍ୟା ଦ୍ୱାରା ପ୍ରଭାବିତ ସମସ୍ତେ କେବଳ ନିଜ ଦୁଃଖ ଓ କଷ୍ଟକୁ ଲାଘବ କରିବାରେ ଥିଲେ ବ୍ୟସ୍ତ। ନିଜର ଅଣ୍ଟାକୁ ସଳଖିବା ପାଇଁ ସମସ୍ତେ ଉଦ୍ୟମ ଆରମ୍ଭ କରିଥିବା ବେଳେ ଅନ୍ୟ ପାଇଁ ଚିନ୍ତା କରିବାକୁ କାହା ପାଖରେ ସମୟ ନଥିଲା।
ଫଣି’ରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ ଅଞ୍ଚଳର ଚାଷୀକୂଳ। ଅଞ୍ଚଳର ମୁଖ୍ୟ ଚାଷ ଧାନ, ପାନ, ମୀନ, ପନିପରିବା, ଛତୁ, ଫୁଲ, କୁକୁଡା ଆଦି ଚାଷ ସଂପୂର୍ଣ୍ଣ ଭାବେ ଉଜୁଡି ଯାଇଥିଲା। ଚାଷୀର ରୋଜଗାର ପୁଅ ଭାବେ ପରିଚିତ ନଡିଆ ଚାଷ ମଧ୍ୟ ସଂପୂର୍ଣ୍ଣ ଭାବେ ଉଜୁଡି ଯାଇଥିଲା। ଯୁଆଡେ ଦେଖିଲେ ଦିଶୁଥିଲା ଖାଲି ହାହାକାର। ଶହ ଶହ ସଂଖ୍ୟାରେ ପାନବରଜ, କୁକୁଡା ର୍ଫାମ ସଂପୂର୍ଣ୍ଣ ଭାଙ୍ଗି ମାଟିରେ ମିଶି ଯାଇଥିବା ବେଳେ ଧାନ, ପନିପରିବା, କଦଳୀ, ଅମୃତଭଣ୍ଡା ଆଦି ଚାଷ ସଂପୂର୍ଣ୍ଣ ଉଜୁଡି ଯାଇଥିଲା। ଅଞ୍ଚଳର ୧୦ହଜାରରୁ ଉର୍ଦ୍ଧ ଛତୁଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ବାତ୍ୟା ସଂପୂର୍ଣ୍ଣ ଭାବେ ଦୋହଲାଇ ଦେଇଥିଲା। ଶତାଧିକ କୁକୁଡା ଫାର୍ମ ଓ ଛତୁଫାର୍ମ ଭାଙ୍ଗି ମାଟିରେ ମିଶିଥିବା ବେଳେ ଛତୁଚାଷ ପାଇଁ ରଖାଯାଇଥିବା ନଡା ସବୁ ପବନରେ ଉଡିଯାଇଥିଲା। ଘରର ଆଜବେଷ୍ଟସ ଗୁଡିକ ବାତ୍ୟା ପବନରେ ଆକାଶରେ କାଗଜ ପରି ଉଡିଥିଲା। ଚୁଡା, ଚାଉଳ, କତା ଫାକ୍ଟ୍ରି ଭାଙ୍ଗି ମାଟିରେ ମିଶିଯାଇଥିବା ବେଳେ ଶହ ଶହ ବର୍ଷର ବର, ଅଶ୍ୱସ୍ତ ଆଦି ବୃକ୍ଷ ଧରାଶାୟୀ ହୋଇଥିଲା। ଅନେକ ନଡିଆ ଗଛ ଅଧାରୁ ଭାଙ୍ଗି ପବନରେ ଉଡି ଯାଇଥିଲା। ଶହ ଶହ ସଂଖ୍ୟାରେ ବିଦ୍ୟୁତ୍‍ ଟ୍ରାନ୍ସଫର୍ମର ପବନରେ ଉଡି ତଳେ ପଡିଥିବା ବେଳେ ବିଦ୍ୟୁତ୍‍ ଖୁଣ୍ଟ ଗୁଡିକ ଭାଙ୍ଗି ଯାଇଥିଲା। ଟେଲିକମ୍‍ କଂମ୍ପାନୀର ଟାୱାର ଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ଚାଷୀକୂଳକୁ ସର୍ବଶ୍ୱାନ୍ତ କରି ଦେଇଥିବା ଫଣି’କୁ ମନେ ପକାଇଲେ ଏବେବି’ ଲୋମ ଟାଙ୍କୁରି ଯାଉଛି। ବାତ୍ୟାରେ କାନ୍ଥ ଭୁଷୁଡିବା କାରଣରୁ ପିପିଲି ଅଞ୍ଚଳର ୩ଜଣଙ୍କ ମୃତ୍ୟୁ ଘଟିଥିଲା। ଅନେକଙ୍କ ବିବାହ ଓ ବ୍ରତୋପନୟନ ଫଣି’ ଯୋଗୁଁ ସ୍ଥଗିତ ରହିଥିଲା। ଘର ଭାଙ୍ଗିଯିବା କାରଣରୁ ହଜାର ହଜାର ପରିବାର ବାସହରା ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ସମସ୍ତଙ୍କୁ କ୍ଷତିପୂରଣ ମିଳିନଥିବା ସୂଚନା ମିଳିଛି। ଅନେକ ଗରିବ ଲୋକେ ଘରଭଙ୍ଗା ସହାୟତାରୁ ସଂପୂର୍ଣ୍ଣ ଭାବେ ବାଦ୍‍ ପଡିଥିବା ଅଭିଯୋଗ ହୋଇଛି। ଗୁରୁତର ଆହତଙ୍କୁ ମଧ୍ୟ ଏପର୍ଯ୍ୟନ୍ତ ସରକାରୀ ଅନୁକମ୍ପାମୂଳକ ଆର୍ଥିକ ସହାୟତା ମିଳିନାହିଁ। କ୍ଷତିଗ୍ରସ୍ତ ଅନେକ ଚାଷୀଙ୍କୁ ମଧ୍ୟ ଟଙ୍କାଟିଏ ସହାୟତା ମିଳିନଥିବା ଅଭିଯୋଗ ହୋଇଛି।

- Advertisement -

ବିନା ସରକାରୀ ସହାୟତାରେ ଲଢିବା ଶିଖାଇଲା ଫଣି’


ଖରାଦିନିଆ ବନ୍ଧାକୋବି ଚାଷ କରି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିବା ପିପିଲି ଅଞ୍ଚଳର ଯୁବଚାଷୀ ଭାସ୍କର ରାଉତଙ୍କ ୨ଏକର କୋବି କିଆରିକୁ ଫଣି’ ସଂପୂର୍ଣ୍ଣ ଉଜାଡି ଦେଇଥିଲା।ଏଥିରେ ତାଙ୍କର ୧୬ଲକ୍ଷ ଟଙ୍କା କ୍ଷତି ଘଟିଥିବା ବେଳେ ସେ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡିଥିଲେ। ତାଙ୍କୁ ଅଦ୍ୟାବଧି ଚାଷ କ୍ଷତି ଜନିତ ସରକାରୀ ସହାୟତା ଟଙ୍କାଟିଏ ମଧ୍ୟ ମିଳିନଥିବା ବେଳେ ନିଜର ଦୃଢ ଇଚ୍ଛାଶକ୍ତି ଓ ଉଦ୍ୟମ ବଳରେ ସେ ପୁଣିଥରେ ନିଜର ଆର୍ଥିକ ମେରୁଦଣ୍ଡକୁ ସଳଖିବାରେ ସକ୍ଷମ ହୋଇଛନ୍ତି।
ପିପିଲି ବ୍ଲକ ଅନ୍ତର୍ଗତ ଦାଣ୍ଡମୁକୁନ୍ଦପୁର ନିକଟବର୍ତ୍ତି କୁଳଶିଖରପାଟଣା ଗ୍ରାମର ଭାସ୍କର ରାଉତ ନିଜର ୨ଏକର ଜମିରେ ଗତବର୍ଷ ସଫଳତାର ସହ ଖରାଦିନିଆ ବନ୍ଧାକୋବି ଚାଷ କରିଥିଲେ। ଜମିରେ ସେ ରସାୟନିକ ସାର ବ୍ୟବହାର ନକରି କେବଳ ଜୈବିକ ସାର ଓ ଗୋବର ଖତକୁ ବ୍ୟବହାର କରିଥିଲେ। ଅତି ଉଚ୍ଚ ତାପମାତ୍ରାରେ ହୃଷ୍ଟପୃଷ୍ଟ ବନ୍ଧାକୋବିକୁ ନେଇ ତାଙ୍କ କୋବି କିଆରି ହସୁଥିଲା। ଖରା ଦିନେ କିପରି ଫୁଲ କୋବି ଓ ବନ୍ଧା କୋବି ଚାଷ କରାଯାଏ ସେ ସଂପର୍କରେ ସେ ଦିଲ୍ଲୀରେ କାର୍ଯ୍ୟରତ ଜଣେ ଓଡିଆ କୃଷି ବୈଜ୍ଞାନିକଙ୍କ ଠାରୁ ପ୍ରେରଣା ପାଇଥିଲେ। ଦକ୍ଷିଣକୋରିଆରେ ଚାଷ ହେଉଥିବା ଏଫ୍‍-୧ ସମରକିଙ୍ଗ ନାମକ ବନ୍ଧା କୋବି ବିହନକୁ ସେ ବାଙ୍ଗାଲୋରରୁ ଅନ୍‍ଲାଇନ୍‍ରେ ମଗାଇ ନିଜ ଜମିରେ ଲଗାଇଥିଲେ ଓ ସଫଳତା ପାଇଥିଲେ। ତେବେ ବାତ୍ୟା ଫଣି’ ତାଙ୍କ କୋବି କିଆରିକୁ ସଂପୂର୍ଣ୍ଣ ଭାବେ ଉଜାଡି ଦେଇଥିଲା। ବର୍ଷା ଓ ପବନ ମାଡରେ କୋବି ଗୁଡିକ ସଢି ଯିବା ସହ କୋବି କିଆରିରେ କରିଥିବା ଉଠା ଜଳସେଚନ ପ୍ରକଳ୍ପ ମଧ୍ୟ ଭାଙ୍ଗି ଛାରଖାର ହୋଇଯାଇଥିଲା। ନିଜ ଜମିରେ ସେ ୪ଲକ୍ଷ ଟଙ୍କା କୋବି ଚାରା ଲଗାଇଥିଲେ ଓ ଏଥିରୁ ୧୨ ଲକ୍ଷ ଟଙ୍କା ଲାଭ କରିବାର ସ୍ୱପ୍ନ ଦେଖିଥିଲେ। କୋବି ଚାଷ ଜନିତ କ୍ଷତି ପୂରଣ ପାଇବା ପାଇଁ ସେ କୃଷି ବିଭାଗର ବିଭିନ୍ନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଦଉଡି ହତାସ ହୋଇ ପଡିଥିଲେ। ବିଡିଓ, ତହସିଲଦାର ଓ ଉପରସ୍ଥ ଅଧିକାରୀଙ୍କ ଠାରେ ମଧ୍ୟ ଅଭିଯୋଗ କରିବା ସତ୍ତ୍ବେ ତାଙ୍କୁ କୌଣସି ସୁଫଳ ମିଳିନଥିଲା। ଚାଷ କ୍ଷତି ବାବଦରେ ଏପର୍ଯ୍ୟନ୍ତ ତାଙ୍କୁ ଟଙ୍କାଟିଏ ମଧ୍ୟ ସରକାରୀ ସହାୟତା ମିଳିନାହିଁ। ଏଭଳି ପରିସ୍ଥିତିରେ ସେ ଭାଙ୍ଗିନପଡି ନିଜର ଦୃଢ ମନୋବଳ ଯୋଗୁଁ ନିଜର ଆର୍ଥିକ ମେରୁଦଣ୍ଡକୁ ସଳଖିବାରେ ସକ୍ଷମ ହୋଇ ପାରିଛନ୍ତି। ନିଜର କେତେକ ବନ୍ଧୁବାନ୍ଧବଙ୍କ ଠାରୁ ଧାର କରଜ କରି ସେ ନିଜ କିଆରିରେ ଗତ ଶୀତଋତୁରେ ବନ୍ଧାକୋବି ଓ ଫୁଲ କୋବି ଚାଷ କରି ବେଶ୍‍ ଦି’ପଇସା ରୋଜଗାର କରିବା ସହ ନିଜର କରଜକୁ ସୁଝିବାରେ ସକ୍ଷମ ହୋଇଛନ୍ତି। ଏବେ ନିଜ ଜମିରେ ସେ ବୈଜ୍ଞାନିକ ପ୍ରଣାଳୀରେ ବାଇଗଣ ଚାଷ ମଧ୍ୟ କରିଛନ୍ତି। ବାତ୍ୟାରେ ଏତେ କ୍ଷତି ପରେ ମଧ୍ୟ ତାଙ୍କୁ ଟଙ୍କାଟିଏ ସରକାରୀ ସହାୟତା ନମିଳିବା ପରେ ସରକାରଙ୍କ କୃଷି ଯୋଜନା କାହା ପାଇଁ ବୋଲି ନିଜ ମନରେ ସୃଷ୍ଟି ହୋଇଥିବା ପ୍ରଶ୍ନର ଉତ୍ତରକୁ ଖୋଜି ଚାଲିଛନ୍ତି।
ବୁଲି ମୁଦୁଲିଙ୍କୁ ମିଳିଲାନି ଚିକିତ୍ସା ସହାୟତା

ସାମୁଦ୍ରିକ ବାତ୍ୟା ଫଣି’ ଦ୍ୱାରା ପିପିଲି ପୌରାଞ୍ଚଳ ଅନ୍ତର୍ଗତ ନୂଆହାଟ-ଭରସାପୁର ଅଞ୍ଚଳର ଗୁରୁତର ଆହତ ବୃଦ୍ଧା ବୁଲି ମୁଦୁଲି(୬୫)ଙ୍କୁ ଅଦ୍ୟାବଧି ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ମିଳିନାହିଁ। ଚାଳଛପର ଘରେ ୩ପୁଅଙ୍କ ସହ ବାସ କରୁଥିବା ବୁଲି ଫଣି’ ବାତ୍ୟା ସମୟରେ ଘର ନିକଟ ଏକ ଛାତ ଘର ମଧ୍ୟରେ ନିଜ ପରିବାର ସହ ଆଶ୍ରୟ ନେଇଥିଲେ। ତେବେ ଏକ ବଡ ଆଜବେଷ୍ଟସ ବାତ୍ୟା ପବନରେ ଉଡି ଆସି ଉକ୍ତ ଛାତଘରର କବାଟରେ ମାଡ ହେବା ପରେ କବାଟଟି ଭାଙ୍ଗି ଯାଇଥିଲା। ଖଣ୍ଡେ ଆଜବେଷ୍ଟସ ଉଡି ଯାଇ ସେହି ଘରେ ଆଶ୍ରୟ ନେଇଥିବା ବୁଲିଙ୍କ ଡାହାଣ ପିଚା ପଛପାଖରେ ପଶିଯାଇଥିଲା। ବାତ୍ୟା ପରେ ପରିବାର ଲୋକେ ତାଙ୍କୁ ପ୍ରଥମେ ପିପିଲି ମେଡିକାଲ୍‍କୁ ନେଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ସେହି ଦିନ ତାଙ୍କୁ କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ପରଦିନ ତାଙ୍କୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା କରାଯାଇଥିଲା। ତେବେ ଡାକ୍ତର ଉକ୍ତ କଟା ଅଂଶକୁ ସିଲେଇ ନକରି କେବଳ ଡ୍ରେସିଂ କରିଥିଲେ। କଟା ଘା’ ଶୁଖିଯିବା ପରେ ଅପରେସନ କରାଯିବ ବୋଲି ଡାକ୍ତର ସୂଚନା ଦେବା ସହ ବଡଡାକ୍ତରଖାନାରେ ଉତ୍ତମ ଭାବେ ଚିକିତ୍ସା କରାଯାଇଥିବା ନେଇ ବୁଲିଙ୍କ ପରିବାର ଲୋକେ କହିଛନ୍ତି। କିଛିଦିନ ପରେ ବୁଲିଙ୍କୁ ପରିବାର ଲୋକେ ଘରକୁ ନେଇ ଆସିଥିବା ବେଳେ ଗୋଟିଏ ଦିନ ଅନ୍ତରରେ କଟକ ବଡଡାକ୍ତରଖାନାକୁ ନେଇ ଡ୍ରେସିଂ କରାଉଥିଲେ। କଟା ଘା’ ଶୁଖିବା ପାଇଁ କେବଳ ୮୧ ହଜାର ଟଙ୍କାର ଇଞ୍ଜେକ୍ସନ ଦିଆଯାଇଥିବା ବେଳେ ଅଦ୍ୟାବଧି ତାଙ୍କ ଚିକିତ୍ସା ବାବଦରେ ଏକଲକ୍ଷ ୪୩ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ସଂପର୍କରେ ତାଙ୍କ ପୁଅ ବାବେନା ମୁଦୁଲି କହିଛନ୍ତି। ବୁଲିଙ୍କ ୩ପୁଅ ଦିନ ମଜୁରିଆ ଶ୍ରେଣୀର ହୋଇଥିବା ବେଳେ ବିଭିନ୍ନ ସୂତ୍ରରୁ ଧାର କରଜ କରି ସେମାନେ ନିଜ ମାଆଙ୍କ ଚିକିତ୍ସା କରାଇଥିଲେ। ଦୀର୍ଘ ଦିନ ପରେ ବୁଲିଙ୍କ କଟାଘା’ ଯଦିଓ ଶୁଖି ଯାଇଥିଲା କିନ୍ତୁ ଏବେବି’ ଠିକ୍‍ ଭାବେ ସେ ଚଲାବୁଲା କରି ପାରୁନାହାନ୍ତି। ଗୋଡରେ ସେ କଷ୍ଟ ଅନୁଭବ କରୁଥିବା ବେଳେ ପରିବାର ଲୋକେ ଏବେବି’ ତାଙ୍କ ଚିକିତ୍ସା ଜାରି ରଖିଛନ୍ତି। ଏଣେ ବାତ୍ୟାରେ ମୃତକଙ୍କ ପରିବାର ଓ ଆହତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ବୁଲିଙ୍କ ଚିକିତ୍ସା ପାଇଁ ସରକାରଙ୍କ ପକ୍ଷରୁ ଟଙ୍କାଟିଏ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯାଇନଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories