ସନ୍ଦୀପ ବକ୍ସି ଆଇସିଆଇସିଆଇ ବ୍ୟାଙ୍କର ନୂଆ ସିଓଓ

0

ନୂଆଦିଲ୍ଲୀ : ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ସୋମବାର ସନ୍ଦୀପ ବକ୍ସିଙ୍କୁ ମୁଖ୍ୟ ପରିଚାଳନା ଅଧିକାରୀ (ସିଓଓ) ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଚନ୍ଦା କୋଚର ଭିଡ଼ିଓକନ ଋଣ ମାମଲାର ତଦନ୍ତ ଶେଷ ପର୍ଯ୍ୟନ୍ତ ଛୁଟିରେ ରହିବେ ବୋଲି ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି। ବକ୍ସି ଏବେ ଆଇସିଆଇସିଆଇ ପ୍ରୁଡେନସିଆଲ ଜୀବନ ବୀମାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ପରିଚାଳନା ନିର୍ଦେଶକ ପଦରେ ଅଛନ୍ତି। ସେ ଜୁନ୍‍ ୧୯ରେ ଆଇସିଆଇସିଆଇ ବ୍ୟାଙ୍କର ମୁଖ୍ୟ ପରିଚାଳନା ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ । ମଇ ୩୦ରୁ ସିଇଓ ଚନ୍ଦା କୋଚର ଛୁଟିରେ ଅଛନ୍ତି ଓ ତଦନ୍ତ ଶେଷ ପର୍ଯ୍ୟନ୍ତ ସେ ଛୁଟିରେ ରହିବେ ବୋଲି ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଚନ୍ଦା କୋଚର ଏବଂ ତାଙ୍କ ପରିବାର ସଦସ୍ୟ ଭିଡ଼ିଓକନ ଗ୍ରୁପକୁ ଦିଆଯାଇଥିବା ଋଣରେ ପରସ୍ପରକୁ ଫାଇଦା ପହଞ୍ଚାଇଥିବା ଅଭିଯୋଗ ଆସିଥିଲା। ଗତ ମାସରେ ବ୍ୟାଙ୍କ ଏହି ମାମଲାର ନିରପେକ୍ଷ ଏବଂ ବ୍ୟକ୍ତିଗତ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲା। ବକ୍ସିଙ୍କ ସ୍ଥାନରେ ଆଇସିଆଇସିଆଇ ପ୍ରୁଡେନସିଆଲ  ଜୀବନ ବୀମାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ପରିଚାଳନା ନିର୍ଦେଶକ ପଦରେ ଏନ୍‍.ଏସ୍‍ କାନ୍ନାନଙ୍କୁ ନିଯୁକ୍ତି ଦେବାକୁ ବ୍ୟାଙ୍କ ନିର୍ଦେଶକ ପରିଷଦ (ବୋର୍ଡ) ସୁପାରିଶ କରିଛି।

Leave A Reply