ଭୁବନେଶ୍ବର (ବ୍ୟୁରୋ): ‘ୱିଥ୍ କଂଗ୍ରେସ’ ନାମକ ଏକ ଟ୍ବିଟର ଭେରିଫାଏଡ଼୍ ହ୍ୟାଣ୍ଡଲରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ମାତା ସୀତାଙ୍କ ସହ ତୁଳନା କରାଯାଇଛି । ସବୁଠାରୁ ବଡ଼କଥା ହେଉଛି ଏହି ଟ୍ବିଟର ହ୍ୟାଣ୍ଡଲଟି କୌଣସି ଛୋଟମୋଟ ସମର୍ଥକଙ୍କର ହୋଇଥିବା ପରି ଲାଗୁନାହିଁ । ‘ୱିଥ୍ କଂଗ୍ରେସ’ ଟ୍ବିଟର ଆକାଉଣ୍ଟରେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ, ଶଶି ଥରୁର, ଅଳକା ଲାମ୍ବା, ପବନ ଖେଡ଼ାଙ୍କ ପରି ବହୁ ବରିଷ୍ଠ କଂଗ୍ରେସ ନେତା ଫଲୋଅର (ଅନୁଗାମୀ) ଅଛନ୍ତି । ସେମିତି ସାମ୍ବାଦିକ ରାହୁଲ କନୱାଲ, ଗାର୍ଗି ରାୱତ, ଆମ ଆଦମୀ ପାର୍ଟି ବିଧାୟକ ରାଘବ ଚଢ଼ା ବି ଏଥିରେ ଅନୁଗାମୀ ଥିବା ଦେଖାଯାଇଛି । ଓଡ଼ିଶା ଯୁବ କଂଗ୍ରେସ, ଓଡ଼ିଶା କଂଗ୍ରେସ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଏଥିରେ ଅନୁଗାମୀ ଅଛନ୍ତି । ଏହି ଆକାଉଣ୍ଟରେ ଅନୁଗାମୀ ସଂଖ୍ୟା ଲକ୍ଷାଧିକ । କଂଗ୍ରେସର ବହୁ ବରିଷ୍ଠ ନେତାଙ୍କ ଫଟୋ, ଭିଡ଼ିଓ ଓ ମତାମତ ଏହି ହ୍ୟାଣ୍ଡଲରେ ଦେଖିବାକୁ ମିଳେ । ସେଥିରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ମାତା ସୀତାଙ୍କ ସହ କେବଳ ତୁଳନା କରାଯାଇ ନାହିଁ ’ମା ତୁଝେ ସଲାମ’ ବୋଲି ଉଲ୍ଲେଖ କରାଯାଇ ତାଙ୍କୁ ‘ମା’ ବୋଲି ମଧ୍ୟ ସମ୍ବୋଧନ କରାଯାଇଛି । ଅନୁରୂପ ଭାବରେ ୱିଥ୍ କଂଗ୍ରେସ ଫେସବୁକ୍ ୱାଲରେ ମଧ୍ୟ ଅନୁରୂପ ପୋଷ୍ଟ କରାଯାଇଥିବା ଦେଖିବାକୁ ମିଳିଛି ।

କଂଗ୍ରେସ ସ୍ବେଚ୍ଛାସେବୀମାନଙ୍କ ଦ୍ବାରା ପରିଚାଳିତ ‘ୱିଥ୍ କଂଗ୍ରେସ’ ଟ୍ବିଟର ହ୍ୟାଣ୍ଡଲରେ ସୋନିଆଙ୍କର ସହ ମାତା ସୀତାଙ୍କର ଏକ ଫଟୋ ଏପ୍ରିଲ ୨୬ ତାରିଖରେ ଅପଲୋଡ଼୍ କରାଯାଇଛି । ସୋନିଆ ଓରଫ୍ ଆନୋନିଆ ମାଇନୋ ଯିଏ ଇଟାଲୀରୁ ଆସିଛନ୍ତି ଅନ୍ୟପକ୍ଷରେ ସୀତା ମଧ୍ୟ ନେପାଳରୁ ଆସିଛନ୍ତି ବୋଲି ଏଥିରେ ଉଲ୍ଲେଖ କରାଯାଇଛି । ତ୍ରେତୟା ଯୁଗରରେ ରାକ୍ଷସମାନେ ସୀତାଙ୍କ ଚରିତ୍ର ନେଇ ସନ୍ଦେହ କରିଥିଲେ ଏବଂ କଳିଯୁଗରେ ରାକ୍ଷସମାନେ ସୋନିଆଙ୍କ ଚରିତ୍ରକୁ ସନ୍ଦେହ କରି ତାଙ୍କୁ ଅପମାନିତ କରୁଛନ୍ତି ବୋଲି ଏଥିରେ ଲେଖାଯାଇଛି ।

ସୂଚନାଯୋଗ୍ୟ ଯେ କେଇଦିନ ତଳେ ରିପବ୍ଲିକ୍ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ ପାଲଘର ଘଟଣାକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆଙ୍କ ଉଦ୍ଦେଶ୍ୟରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ଅର୍ଣ୍ଣବଙ୍କ ଗିରଫ ଦାବିରେ ଦେଶବ୍ୟାପୀ କଂଗ୍ରେସ କର୍ମୀ ଏତଲା ଦେଇଛନ୍ତି । ଏଥିପାଇଁ ଅର୍ଣ୍ଣବଙ୍କୁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ପଡ଼ିଛି । ଅନ୍ୟପକ୍ଷରେ ଅର୍ଣ୍ଣବ ଓ ତାଙ୍କ ପତ୍ନୀଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ସେ ଏଥିପାଇଁ କଂଗ୍ରେସକୁ ଦାୟୀ କରିଛନ୍ତି ଓ କଂଗ୍ରେସୀ ଗୁଣ୍ଡାମାନେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି । ସୋମବାର ମୁମ୍ବାଇ ପୁଲିସ ଜେରା ନିମନ୍ତେ ଅଣ୍ଣବ ଗୋସ୍ବାମୀଙ୍କୁ ଦୁଇଟି ନୋଟିସ ମଧ୍ୟ ପଠାଇଛି ।



