www.samajalive.in
Sunday, December 7, 2025
23.1 C
Bhubaneswar

କରୋନା ଅପଡେଟ: ଆରୋଗ୍ୟ ହାର ବୃଦ୍ଧି – ସିକ୍କିମରେ ନାହିଁ ସଂକ୍ରମଣ

ସମାଜ ପୋର୍ଟାଲ ଡେସ୍କ: କେନ୍ଦ୍ର ସରକାର କୋଭିଡ୍‍-ନାଇଣ୍ଟିନ୍‍ ସଂକ୍ରମଣକୁ ରୋକିବା ଓ ସଂକ୍ରମଣ ଜନିତ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ସହ ମିଶି ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରୁଛନ୍ତି। ଭାରତରେ ସଂକ୍ରମିତ ଲୋକଙ୍କ ଆରୋଗ୍ୟ ହାର ଶତକଡ଼ା ୨୦ ଭାଗକୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗତକାଲି ୩ହଜାର ୯୫୯ ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଥିବାର ଜଣାଇଥିଲା। ଏଥିସହିତ ସଂକ୍ରମିତ ଲୋକଙ୍କ ଆରୋଗ୍ୟ ହାର ପୂର୍ବର ଶତକଡ଼ା ୧୭ଭାଗରୁ ଶତକଡ଼ା ୧୯ଦଶମିକ୍‍ ୬/୩ ଭାଗକୁ ବୃଦ୍ଧି ପାଇଛି। କରୋନା ଭୂତାଣୁରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଗୋଆ ପରକୁ ମଣିପୁର ଦେଶର ଦ୍ୱିତୀୟ ରାଜ୍ୟ ହୋଇଛି। ମଣିପୁରରେ ଦୁଇ ଜଣ ବ୍ୟକ୍ତି ଭୂତାଣୁରେ ସଂକ୍ରମିତ ହୋଇଥିଲେ ଓ ସେମାନେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଛନ୍ତି।

ଗୋଆରେ ମୋଟ୍‍ ୭ ଜଣ ଲୋକ ଭୂତାଣୁରେ ସଂକ୍ରମିତ ହୋଇଥିଲେ ଓ ସମସ୍ତେ ଆରୋଗ୍ୟ ଲାଭ କରିସାରିଛନ୍ତି। ସିକ୍କିମ୍‍ ହେଉଛି ଦେଶର ଏକମାତ୍ର ରାଜ୍ୟ ଯେଉଁଠି କୌଣସି ବ୍ୟକ୍ତି କରୋନା ଭୂତାଣୁରେ ସଂକ୍ରମିତ ହୋଇନାହାନ୍ତି। ସିକ୍କିମ୍‍ ବହୁ ଆଗରୁ ନିଜକୁ ବିଶ୍ୱଠାରୁ ସମ୍ପୂର୍ଣ୍ଣ ରୂପେ ବିଚ୍ଛିନ୍ନ କରି ରଖିଛି। ଇତିମଧ୍ୟରେ ଗତକାଲି ଉତ୍ତରପ୍ରଦେଶ ସରକାର ରାଜ୍ୟର ୧୦ଟି ଜିଲ୍ଲାକୁ କରୋନା ମୁକ୍ତ ଘୋଷଣା କରିଛନ୍ତି। ସେହି ଜିଲ୍ଲାଗୁଡ଼ିକରେ ଆଉ କୌଣସି ବ୍ୟକ୍ତି ଭୂତାଣୁରେ ସଂକ୍ରମିତ ହୋଇନାହାନ୍ତି। ସେଗୁଡ଼ିକ ମଧ୍ୟରେ ପିଲିଭିଟି, ଲକ୍ଷ୍ମୀପୁରଖେଡ଼ି, ହଥରସ୍‍, ବରେଲି, ପ୍ରୟାଗରାଜ, ମହାରାଜଗଞ୍ଜ, ସାହାଜାହାଁପୁର, ବାରାବାଙ୍କି, ହରଦୋଇ ଓ କୌଶାମ୍ବି ରହିଛି।

- Advertisement -

ସରକାର କହିଛନ୍ତି, କୋଭିଡ୍‍-ନାଇଣ୍ଟିନ୍‍ ସଂକ୍ରମଣ ହାର ଗତ ଏକ ମାସ ମଧ୍ୟରେ ହାରାହାରି କମ୍‍ ରହିଛି ଓ ଏଥିରେ ବିଶେଷ ବୃଦ୍ଧି ଘଟିନାହିଁ ଏବଂ କେନ୍ଦ୍ର ଦ୍ୱାରା ଗ୍ରହଣ କରାଯାଇଥିବା ରଣକୌଶଳ ସଂକ୍ରମଣକୁ ଏକ ନିର୍ଦ୍ଦିଷ୍ଟ ସ୍ତରରେ ସୀମିତ ରଖିବାରେ ସଫଳ ହୋଇଛି। ମନ୍ତ୍ରୀସ୍ଥରୀୟ ଗୋଷ୍ଠୀର ଅଧ୍ୟକ୍ଷ ଜଣାଇଛନ୍ତି ଯେ କୋଭିଡ୍‍ ହସ୍ପିଟାଲ୍‍ଗୁଡ଼ିକର ସଂଖ୍ୟା, ଲୋକମାନଙ୍କୁ ପୃଥକ ରଖିବା ଓ ପୃଥକୀକରଣ କେନ୍ଦ୍ରଗୁଡ଼ିକର ସ୍ଥାପନ, ରୋଗ ପର୍ଯ୍ୟବେକ୍ଷଣ, ଭୂତାଣୁ ପରୀକ୍ଷା ଓ କ୍ରିଟିକାଲ୍‍ କେୟାର୍‍ ତାଲିମ କ୍ଷେତ୍ରରେ ସମନ୍ୱୟ ରକ୍ଷା କରୁଛନ୍ତି। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି, ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣା, କରୋନା ଭୂତାଣୁ ସଂକ୍ରମଣକୁ କମ୍‍ କରିବା, ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ଓ ଭୂତାଣୁ ଦ୍ୱିଗୁଣିତ ହାରରେ ସଂକ୍ରମିତ ହେବାରୁ ଏହାକୁ ରୋକିବାରେ ଫଳପ୍ରଦ ହୋଇଛି। ସେ କହିଛନ୍ତି, ଗତ ମାସେ ଭିତରେ ସରକାର ନମୁନା ପରୀକ୍ଷା ମାତ୍ରା ବୃଦ୍ଧି କରିବାରେ ସଫଳ ହୋଇଛନ୍ତି ଓ ୫ଲକ୍ଷ ନମୁନାର ପରୀକ୍ଷା କରାଯାଇ ସାରିଛି। ସେ କହିଛନ୍ତି, ଏହା ଯଥେଷ୍ଟ ନୁହେଁ ଓ ଆହୁରି ଅଧିକ ମାତ୍ରାରେ ନମୁନା ପରୀକ୍ଷା କରାଯିବାକୁ ପ୍ରଚେଷ୍ଟା ଚାଲିଛି। ଚେୟାରମ୍ୟାନ୍‍ କହିଛନ୍ତି, କରୋନା ଭୂତାଣୁ ହସ୍ପିଟାଲ୍‍ଗୁଡ଼ିକର ସଂଖ୍ୟା ଗତ ଏକ ମାସ ମଧ୍ୟରେ ସାଢ଼େ ତିନି ଗୁଣା ବୃଦ୍ଧି ପାଇଛି। ପୃଥକୀ କରଣ ଶଯ୍ୟାଗୁଡ଼ିକର ସଂଖ୍ୟା ମଧ୍ୟ ୩ଦଶମିକ ୬ ଗୁଣା ବୃଦ୍ଧି ପାଇଛି। ସେ କହିଛନ୍ତି, ସରକାର ନମୁନା ପରୀକ୍ଷା, ସଂକ୍ରମିତ ଲୋକମାନଙ୍କ ଆରୋଗ୍ୟ ଓ ମୃତ୍ୟୁହାର କମ କରିବା ଉପରେ ଅଧିକ ଧ୍ୟାନ ଦେଇଛନ୍ତି।

ଇତିମଧ୍ୟରେ କୋଭିଡ୍‍-ନାଇଣ୍ଟିନ୍‍ ସଂକ୍ରମିତଙ୍କ ଆରୋଗ୍ୟହାର ଶତକଡ଼ା ୧୯ଦଶମିକ୍‍ ୮/୯ ଭାଗକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୪୦୯ ଜଣ ଲୋକ ଭୂତାଣୁରେ ସଂକ୍ରମିତ ହେବା ସହ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୧ହଜାର ୩୯୩ରେ ପହଞ୍ଚିଛି। ୪ହଜାର ୨୫୮ ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଥିବା ବେଳେ ସେମାନଙ୍କୁ ହସ୍ପିଟାଲରୁ ଛାଡ଼ିଦିଆଯାଇଛି। ୬୮୧ ଜଣ ସଂକ୍ରମିତ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି, ଦେଶର ୭୮ଟି ଜିଲ୍ଲାରେ ଗତ ୧୪ ଦିନ ଧରି ଆଉ କୌଣସି ନୂଆ ବ୍ୟକ୍ତି କୋଭିଡ୍‍-ନାଇଣ୍ଟିନ୍‍ରେ ସଂକ୍ରମିତ ହୋଇନାହାନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମୁଖପାତ୍ର ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣା ଲାଗୁ ସମୟରେ ସରକାର ଦେଇଥିବା ରିହାତିଗୁଡ଼ିକ ବିଷୟରେ ଘୋଷଣା କରିଛନ୍ତି। ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ ମୁଖାପାତ୍ର କହିଛନ୍ତି, ଦେଶରେ ୩୨୫ଟି ପରୀକ୍ଷାଗାରରେ କୋଭିଡ୍‍-ନାଇଣ୍ଟିନ୍‍ ଭୂତାଣୁ ସଂକ୍ରମିତମାନଙ୍କ ନମୁନାର ପରୀକ୍ଷା କରାଯାଇଛି।

ଆଜି ଦେଶରେ ସର୍ବପ୍ରଥମ ଭ୍ରାମ୍ୟମାଣ ଭୂତାଣୁ ନିଦାନ ଓ ଗବେଷଣା ପରୀକ୍ଷାଗାରକୁ ହାଇଦ୍ରାବାଦର ଇ.ଏଫ୍‍.ଆଇ. ମେଡିକାଲ୍‍ କଲେଜଠାରେ ଉଦ୍‍ଘାଟନ କରାଯାଇଛି। ଏହି ଗବେଷଣାଗାର ଏ ଧରଣର ଅନନ୍ୟ ଗବେଷଣାଗାର ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଶ୍ରମମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର, ସ୍ୱରାଷ୍ଟ୍ରୀୟ ବିଭାଗ ରାଷ୍ଟ୍ରମନ୍ତ୍ରୀ କିଶନ ରେଡ୍ଡୀ ଓ ତେଲଙ୍ଗାନା ଶିଳ୍ପମନ୍ତ୍ରୀ କେ. ତାରକା ରାମାରାଓ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଡି.ଆର୍‍.ଡି.ଓ. ଦ୍ୱାରା ବିକଶିତ ଜୈବ ସୁରକ୍ଷିତ ଏହି ତ୍ରିସ୍ତରୀୟ ଗବେଷଣାଗାର ପ୍ରତିଦିନ ଏକ ହଜାର କରୋନା ନମୁନାର ପରୀକ୍ଷା କରିପାରିବ। ଭବିଷ୍ୟତରେ ଦୈନିକ ପରୀକ୍ଷା ହାର ୨ହଜାରକୁ ବୃଦ୍ଧି ପାଇବ। ଏହି ପରୀକ୍ଷାଗାରରେ ଔଷଧପତ୍ରଗୁଡ଼ିକର ପରୀକ୍ଷା, କରୋନା ଭୂତାଣୁ ଉପରେ ଗବେଷଣା କରିବାର ସୁବିଧା ରହିଛି। ଦୁଇ ସପ୍ତାହରୁ କମ୍‍ ସମୟ ଭିତରେ ଏହି ଗବେଷଣାଗାରର ବିକାଶ କରାଯାଇଛି। ଏହି ଗବେଷଣାଗାରକୁ ଦେଶର ଯେକୌଣସି ଭାଗକୁ ନିଆଯାଇ ପାରିବ ବୋଲି ଡି.ଆର୍‍.ଡି.ଓ. ବୈଜ୍ଞାନିକ ୱାଇ. ଶ୍ରୀନିବାସ କହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories