ସହାୟତା ଅପେକ୍ଷାରେ ମାଳତୀ ଦେବୀଙ୍କ ଷ୍ଟାର୍ଟଅପ୍
କଟକ: ଏକଦା ଦୁର୍ଗମ ଅଞ୍ଚଳର ଆଦିବାସୀଙ୍କୁ ମଦ ଅଭ୍ୟାସରୁ ନିବୃତ୍ତ କରିବା ସହ ରୋଜଗାରର ରାହା ଦେଖାଇଥିବା ଓଡ଼ିଶା ରାଜ୍ୟ ତାଳଗୁଡ଼ ସମବାୟ ସଂଘ ସରକାରୀ ଉଦାସୀନତା ଓ ଇଚ୍ଛାଶକ୍ତି ଅଭାବରୁ ଦୁଃସ୍ଥ ହେବାରେ ଲାଗିଛି। ସଂଘର କାର୍ଯ୍ୟ ପରିସର କ୍ରମଶଃ ସଂକୁଚିତ ହୋଇ କେବଳ ତିନିଟି ଜିଲାରେ ସୀମିତ ରହିଯାଇଛି। ଆବଶ୍ୟକ ପ୍ରୋତ୍ସାହନ, ବିକ୍ରିବଟାର ସୁବିଧା ସୁଯୋଗ ଓ ପ୍ରଚାର ପ୍ରସାରର ଅଭାବରୁ ସଂଘ ତା’ର ମୂଳ ଲକ୍ଷ୍ୟରୁ ଦୂରେଇ ଯାଇଥିବା ଅଭିଯୋଗ ଆସିଛି।
ମହାତ୍ମାଗାନ୍ଧିଙ୍କ ମଦମୁକ୍ତ ଦେଶଗଠନର ଆହ୍ୱାନ ଓ ସ୍ୱପ୍ନକୁ ଓଡ଼ିଶାରେ ସାକାର କରିବା ପାଇଁ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ ମାଳତୀ ଦେବୀ ଖଜୁରୀ ଗୁଡ଼ର ପରିକଳ୍ପନା କରିଥିଲେ। ତାଙ୍କର ଦୂରଦୃଷ୍ଟି, ଗଠନମୂଳକ ଚିନ୍ତାଧାରା ଓ ଉଦ୍ୟମରୁ ଦକ୍ଷିଣ ଓଡ଼ିଶାରେ ୧୯୩୭ରେ ଜନ୍ମ ନେଇଥିଲା ଉତ୍କଳ ତାଳଗୁଡ଼ ସଂଘ। ସାମ୍ପ୍ରତିକ ଭାଷାରେ ଏହାକୁ ତତ୍କାଳୀନ ‘ଷ୍ଟାର୍ଟ ଅପ୍’ କୁହାଯାଇପାରେ। ମାଳତୀ ଦେବୀଙ୍କ ଉତ୍ସାହ ଓ ଉପଦେଶକ୍ରମେ ଆଦିବାସୀମାନେ ଖଜୁରୀ ନିରା(ରସ)କୁ ଆଉ ମଦ ରୂପରେ ବ୍ୟବହାର ନ କରି ସେଥିରୁ ଗୁଡ଼ ପ୍ରସ୍ତୁତ କରି ବିକ୍ରି କଲେ। ଏହି ଉଦ୍ୟମରୁ ସମୟକ୍ରମେ ଆଦିବାସୀଙ୍କ ସାମାଜିକ ଓ ଆର୍ଥିକ ସ୍ଥିତିରେ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖାଦେଲା। ୧୯୫୯ରେ ଉତ୍କଳ ତାଳଗୁଡ଼ ସଂଘ ସମବାୟ ସମିତି ଆଇନ ଅଧୀନରେ ପଞ୍ଜିକୃତ ହେଲା। ଏହାପରେ ତାହାର ନାମ ପରିବର୍ତ୍ତନ ହୋଇ ଓଡ଼ିଶା ରାଜ୍ୟ ତାଳଗୁଡ଼ ସମବାୟ ସଂଘ ଲି. ହେଲା। କିନ୍ତୁ ପରବର୍ତ୍ତୀ ସମୟରେ ଓ ମାଳତୀ ଦେବୀଙ୍କ ଅବର୍ତ୍ତମାନରେ ସମିତିର କାର୍ଯ୍ୟଧାରା କ୍ରମଶଃ ଶିଥିଳ ହୋଇ ଆସିଲା। ବିଶେଷକରି ୧୯୯୬ରେ ଖଦି କମିଶନ ଅଧୀନରୁ ଏମ୍ଏସ୍ଏମ୍ଇ ବିଭାଗକୁ ଆସିବା ପରେ ସମିତିର କାର୍ଯ୍ୟଧାରା ସଂକୁଚିତ ହେବା ସହିତ ଆର୍ଥିକ ସ୍ଥିତିରେ ଅବନତି ଦେଖାଦେଇଥିବା ଅଭିଯୋଗ ହେଉଛି। ପୂର୍ବରୁ ସମିତି ସଦସ୍ୟମାନଙ୍କୁ ଖଦି କମିଶନଙ୍କ ପକ୍ଷରୁ ଋଣ, ତାଲିମ୍ ଓ ବୈଷୟିକ ସହାୟତା ଯୋଗାଇ ଦିଆଯାଉଥିବା ବେଳେ ଏବେ ଋଣ ଓ ଅନ୍ୟାନ୍ୟ ଆର୍ଥିକ ସୁବିଧା ବନ୍ଦ ହୋଇଯାଇଛି।
ସମିତିର କାର୍ଯ୍ୟକ୍ରମ କେବଳ ଗଜପତି, ଢେଙ୍କାନାଳ, ଅନୁଗୁଳ ଜିଲାରେ ସୀମିତ ଅଛି। ସେଥିମଧ୍ୟରୁ ଗଜପତି ଜିଲାରେ ପ୍ରଦର୍ଶନ କିଛିଟା ଆଖିଦୃଶିଆ ରହିଛି। ଗଜପତି ଜିଲାର ଆର ଉଦୟଗିରି ବ୍ଲକ୍ରେ ୯ଟି, ଅନୁଗୁଳ ଜିଲାରେ ୪ଟି ଓ ଢେଙ୍କାନାଳ ଜିଲାରେ ୫ଟି ସମିତି ସକ୍ରିୟ ରହିଛି। ଖଜୁରୀ ନିରା ଓ ତାଳପତ୍ର ଆଦି ସଂଗ୍ରହ କରି ଗୁଡ଼ ଓ ବିଭିନ୍ନ ଉପକରଣ ପ୍ରସ୍ତୁତ କରୁଥିବା ଲୋକଙ୍କୁ ସମିତିର ସଭ୍ୟ ଭାବେ ଗ୍ରହଣ କରାଯାଇଛି। ସଭ୍ୟମାନେ ନିରା ସଂଗ୍ରହ ଓ ଗୁଡ଼ ପ୍ରସ୍ତୁତ କରି ନୋଡାଲ୍ ସେଣ୍ଟରକୁ ବିକ୍ରି କରୁଛନ୍ତି। ସେମାନଙ୍କଠାରୁ କେଜି ପିଛା ହାରାହାରି ୪୫ ଟଙ୍କାରେ ଗୁଡ଼ କିଣି ଆପେକ୍ସ ସୋସାଇଟି ଗ୍ରାହକଙ୍କୁ ୧୦୦ ଟଙ୍କାରେ ବିକ୍ରି କରୁଛନ୍ତି। ସେଥିରେ ପରିବହନ, ପ୍ୟାକିଂ, କମିଶନ୍ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ରହିଛି। ଏସବୁକୁ ମିଶାଇଲେ ଆପେକ୍ସ ସୋସାଇଟିର ଲାଭ କେଜି ପିଛା ମାତ୍ର ୫ ରୁ ୭ ଟଙ୍କା ରହୁଛି। ଏଥିରେ କର୍ମଚାରୀଙ୍କ ଦରମା ଅଂଶ, ଦୋକାନ ଓ କାର୍ଯ୍ୟାଳୟ ଗୃହ ଭଡ଼ା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚକୁ ହିସାବକୁ ନେଲେ ଆୟ ତୁଳନାରେ ବ୍ୟୟ ପରିମାଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସଂଘ ଋଣ ଭାରରେ ବୁଡ଼ି ରହିଥିବା ସୂଚନା ମିଳିଛି।
ସଂଘ ଅଧୀନରେ ୬୭ଟି ଅନୁମୋଦିତ(ଆଫିଲିଏଟେଡ୍) ସମିତି ରହିଛି। ଗଜପତିର ଲୁବୁରିସିଂହଠାରେ ରହିଛି ମୁଖ୍ୟ ଉତ୍ପାଦନ କେନ୍ଦ୍ର। ଅନୁଗୁଳଠାରେ ଥିବା କେନ୍ଦ୍ର ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବେଳେ କିଛି ଦିନ ତଳେ ପୁନରୁଦ୍ଧାର ଯୋଜନା ହାତକୁ ନିଆଯାଇଛି। ଢେଙ୍କାନାଳଠାରେ ଥିବା ଏକ ୟୁନିଟ୍ ବନ୍ଦ ପଡ଼ିଛି। ଏତଦ୍ବ୍ୟତୀତ ପାରିକୁଦ, କଟକର ଉଦ୍ୟୋଗପୁରୀ ଓ ବହୁଗ୍ରାମରେ ତାଲିମ୍ ଓ ଉତ୍ପାଦନ କେନ୍ଦ୍ର ରହିଥିଲେ ମଧ୍ୟ ତାହାର ଉପଯୋଗ କରାଯାଇପାରୁନି। ଭୁବନେଶ୍ୱରର ଗଣ୍ଡମୁଣ୍ଡାଠାରେ ୧୯୮୨ରୁ ନୋଡାଲ୍ ସେଣ୍ଟର ଓ ବିକ୍ରୟ କେନ୍ଦ୍ର କାର୍ଯ୍ୟକରୁଛି। ଏତଦ୍ବ୍ୟତୀତ ଭୁବନେଶ୍ୱର ୟୁନିଟ୍ ୨, କଟକର ଚାନ୍ଦିନିଚୌକଠାରେ ବିକ୍ରୟ କେନ୍ଦ୍ର ରହିଛି। ସଂଘ ପକ୍ଷରୁ ତାଳପତ୍ରରେ ପ୍ରସ୍ତୁତ ବିଭିନ୍ନ ଉପକରଣ ଓ ମିଶ୍ରି ପ୍ରସ୍ତୁତ ହେଉଛି। ତାଳପତ୍ର ପ୍ରସ୍ତୁତ ସାମଗ୍ରୀର ଚାହିଦା ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ତାମିଲନାଡ଼ୁରେ ରହିଛି। ମାତ୍ର ପ୍ରୋତ୍ସାହନ, ଉତ୍ପାଦନ ଭିତ୍ତିଭୂମି ଓ ବିକ୍ରି ପାଇଁ ସୁବିଧା ସୁଯୋଗ ଅଭାବରୁ କାରିଗରମାନେ ଏହି ବୃତ୍ତିରୁ ମୁହଁ ଫେରାଇ ନେଇଛନ୍ତି। ତେଣୁ ସଂଘର ବାର୍ଷିକ କାରବାର ମାତ୍ର ୪୦ ୫୦ ଲକ୍ଷ ଟଙ୍କାରେ ସୀମିତ ରହିଛି।
ନିରା ସଂଗ୍ରହ ଓ ଗୁଡ଼ ପ୍ରସ୍ତୁତକାରୀଙ୍କୁ କେନ୍ଦୁପତ୍ର ତୋଳାଳିଙ୍କ ପରି ବୀମା ସହାୟତା ଯୋଗାଇ ଦିଆଗଲେ ଏହି ବୃତ୍ତି ପ୍ରତି ଆଗ୍ରହ ଓ ଅଂଶୀଦାର ସଂଖ୍ୟା ବୃଦ୍ଧି ପାଇପାରନ୍ତା ବୋଲି ମତ ପ୍ରକାଶ ପାଇଛି। ଏ ସମ୍ପର୍କରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ସଂଘ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂହ କହିଛନ୍ତି ଯେ ତାଳଗୁଡ, ଖଜୁରୀ ନିରା ସଂଗ୍ରହ ଓ ଗୁଡ଼ ବିକ୍ରି ଉପରେ ସେସ୍ ଲାଗୁ ହେଉ ନ ଥିବାରୁ ବୀମା ପାଣ୍ଠି ବ୍ୟବସ୍ଥା ହୋଇପାରିନାହିଁ। କେନ୍ଦ୍ର ସରକାର ଶ୍ରମିକ ସୁରକ୍ଷା ଆଇନ୍ ପ୍ରଣୟନ କରିଥିଲେ ମଧ୍ୟ ଏହି ବାବଦରେ ଟଙ୍କାଟିଏ ଦେଉ ନାହାନ୍ତି। ତଥାପି ରାଜ୍ୟ ସରକାର ନିଜସ୍ୱ ଉଦ୍ୟମରେ ତାଳଗୁଡ଼ ଓ ଖଜୁରୀ ଗୁଡ଼ ପ୍ରସ୍ତୁତକାରୀଙ୍କ ପାଇଁ ଖୁବ୍ ଶୀଘ୍ର ତିନିଟି ନୂଆ କଲ୍ୟାଣ ଯୋଜନା ପ୍ରଣୟନ କରିବାକୁ ଯାଉଛନ୍ତି।
ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଖଦି ଗ୍ରାମୋଦ୍ୟୋଗ ବୋର୍ଡର ସଭାପତି ତଥା ତାଳଗୁଡ଼ ସମବାୟ ସଂଘର ପରିଚାଳନା ସଦସ୍ୟ ତେଜେଶ୍ୱର ପରିଡ଼ା କହିଛନ୍ତି ଯେ କର୍ମଚାରୀ ଅଭାବ ଜନିତ ସମସ୍ୟା ଦୂର କରିବା ପାଇଁ ଖୁବ୍ଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ବେତନ ଆୟୋଗ ସୁପାରିସ ଅନୁଯାୟୀ କର୍ମଚାରୀଙ୍କ ଦରମା ହାରରେ ସଂଶୋଧନ ପାଇଁ ଚିନ୍ତା କରାଯାଉଛି। ଖୁବ୍ଶୀଘ୍ର ଏହା କାର୍ଯ୍ୟକାରୀ ହେବ। ବିକ୍ରିବଟାରୁ ମିଳୁଥିବା ଲାଭାଂଶରେ କର୍ମଚାରୀଙ୍କୁ ଅଂଶୀଦାର କରାଯାଉଛି। ଏହାଦ୍ୱାରା ସେମାନଙ୍କୁ ଆର୍ଥିକ ଦୃଷ୍ଟିରୁ ନିରାପତ୍ତା ପାଇଁ ସୁନିଶ୍ଚିତ କରାଯାଉଛି।
ଓଡ଼ିଶା ରାଜ୍ୟ ତାଳଗୁଡ଼ ସମବାୟ ସଂଘ ଲି.ର ପରିଚାଳନା ନିର୍ଦେଶକ ଚିଦାନନ୍ଦ ମିଶ୍ର ଋଣ ଭାରକୁ ଅସ୍ୱୀକାର କରି କହିଛନ୍ତି ଯେ କିଛି ପରିମାଣରେ ସରକାରୀ ସହାୟତା ମିଳୁଛି। ତା ସହିତ ସଂଘର ନିଜସ୍ୱ ଆୟ ରହିଛି। ବିକ୍ରିବଟାରୁ ଯେତିକି ଆୟ ହେଉଛି ସେତିକିରେ କର୍ମଚାରୀଙ୍କ ଦରମା ଓ ଅନ୍ୟାନ୍ୟ ବ୍ୟୟ ତୁଲାଇ ଯାଇପାରୁଛି। ତେଣୁ ସଂଘ କାହାଠାରୁ ଋଣ କରିନାହିଁ କି କରିବାର ଆବଶ୍ୟକ ପଡ଼ିନାହିଁ। ଅବଶ୍ୟ ଚାହିଦା ତୁଳନାରେ ଯୋଗାଣ ପର୍ଯ୍ୟାପ୍ତ ହୋଇପାରୁ ନ ଥିବା ସେ ସ୍ୱୀକାର କରିଛନ୍ତି। ଗୁଡ଼ ପ୍ରସ୍ତୁତ ପାଇଁ ଆବଶ୍ୟକ ଭିତ୍ତିଭୂମି ଓ ତାଲିମ୍ ସୁବିଧା ଥିଲେ ମଧ୍ୟ ଆଜିକାଲି ଗଛରେ ଚଢ଼ି ନିରା ସଂଗ୍ରହ ପାଇଁ କେହି ରାଜି ହେଉ ନଥିବାରୁ ଆବଶ୍ୟକ ପରିମାଣର କଞ୍ଚାମାଲ୍ ସଂଗ୍ରହ କରାଯାଇପାରୁନାହିଁ। ତେଣୁ ଚାହିଦା ତୁଳନାରେ ଯୋଗାଣ କମ୍ ରହୁଛି। ନିରା ସଂଗ୍ରହକାରୀ ଓ ଗୁଡ଼ ପ୍ରସ୍ତୁତକାରୀଙ୍କୁ ସମିତି ସଭ୍ୟଙ୍କୁ ଋଣ ଓ ବୀମା ସୁବିଧା ସମ୍ପର୍କରେ ସେ କହିଛନ୍ତି ଯେ ସମିତି ସଭ୍ୟଙ୍କ ଦାବି ପୂରଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଖୁବ୍ଶୀଘ୍ର ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି।