ଅରବପତିଙ୍କ ହାତରେ ବିଶ୍ୱର ଅଧା ସମ୍ପତ୍ତି
ନୂଆଦିଲ୍ଲୀ: ବିଶ୍ୱର ଅତ୍ୟୁଚ୍ଚ ଧନୀଙ୍କ ହାତରେ ବିଶ୍ୱର ଅଧାସମ୍ପତ୍ତି ରହିଛି। ବୋଷ୍ଟନ୍ କନ୍ସଲ୍ଟିଙ୍ଗ ଗ୍ରୁପ୍ ପକ୍ଷରୁ ପ୍ରସ୍ତୁତ ରିପୋର୍ଟ ଏଭଳି ଦାବି କରିଛି। ରିପୋର୍ଟ ଅନୁଯାୟୀ, ବିଗତ ୫ ବର୍ଷ ଧରି ଧନୀଙ୍କ ବ୍ୟକ୍ତିଗତ ସମ୍ପତ୍ତି ପରିମାଣ ବଢ଼ି ଚାଲିଛି। ୨୦୧୬ ତୁଳନାରେ ୨୦୧୭ରେ ଅତ୍ୟୁଚ୍ଚ ଧନୀଙ୍କ ସମ୍ପତ୍ତି ୧୨% ବୃଦ୍ଧି ପାଇ ୨୦୧.୯ ଟ୍ରିଲିୟନ ଡଲାର(୧ ଟିଲିୟନ= ୧ ଲକ୍ଷ କୋଟି)ରେ ପହଞ୍ଚିଛି। ଉତ୍ତର ଆମେରିକାରେ ସର୍ବାଧିକ ଅରବପତି ଥିବା ବେଳେ ସେମାନଙ୍କ ହାତରେ ୮୬.୧ ଟ୍ରିଲିୟନ୍ ଡଲାରର ସମ୍ପତ୍ତି ରହିଛି। ସର୍ବାଧିକ ଅରବପତି ତାଲିକାରେ ଆମେରିକା ପଛକୁ ଚୀନ୍ ଓ ଜାପାନ ରହିଛନ୍ତି। ୨୦୨୭ ସୁଦ୍ଧା ଚୀନ୍ ସମସ୍ତଙ୍କୁ ଟପି ପ୍ରଥମ ସ୍ଥାନ ଅଧିକାର କରିବାକୁ ଥିବା ବେଳେ ଭାରତ ଦ୍ୱିତୀୟ ସ୍ଥାନରେ ଓ ଆମେରିକାର ତୃତୀୟ ସ୍ଥାନରେ ରହିବ। ଏକଦା ପ୍ରଥମ ସ୍ଥାନରେ ଥିବା ଜାପାନ୍ ତାଲିକାର ଦଶମ ସ୍ଥାନକୁ ଖସି ଆସିବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।