ନୂଆଦିଲ୍ଲୀ : କରୋନା ଦେଶର ଅର୍ଥନୀତି ଉପରେ ଗଭୀର ନକରାତ୍ମକ ପ୍ରଭାବ ପକାଇଛି । ଏଥିପାଇଁ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଛି ଖର୍ଚ୍ଚକାଟ ଯୋଜନା । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଫାର୍ମା, ଖାଦ୍ୟ ଓ ସାଧାରଣ ବଣ୍ଟନ, ଆୟୁଷ ଆଦି ମନ୍ତ୍ରାଳୟକୁ ଛାଡ଼ିଦେଲେ ଅଧିକାଂଶ ବିଭାଗର ଖର୍ଚ୍ଚ ଅଟକଳ ହ୍ରାସ କରାଯାଇଛି । ସାର, ଡ଼ାକ, ସଡ଼କ ପରିବହନ, ପେଟ୍ରୋଲିୟମ, ବାଣିଜ୍ୟ ଓ କୋଇଲା ମନ୍ତ୍ରାଳୟର ବ୍ୟୟ ଅଟକଳ ହ୍ରାସ କରାଯାଇଛି । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଅଫିସ ମୋମୋରଣ୍ଡମ ସବୁ ବିଭାଗକୁ ପଠାଯାଇଛି । କୋବିଦ-୧୦ ଓ ସାମ୍ପ୍ରତିକ ଲକ୍ଡ଼ାଉନ ଆଧାରରେ ୨୦୨୧ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକର ସ୍ଥିତିକୁ ଦେଖି ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
Expenditure-Restrictions
ଆବଶ୍ୟକତା ଓ ପ୍ରାଥମିକତାକୁ ଦେଖି ବିଭିନ୍ନ ବିଭାଗର ଅଟକଳକୁ ’କ’, ’ଖ’, ’ଗ’ ଶ୍ରେଣୀରେ ବିଭକ୍ତ କରାଯାଇଛି। ଏମ୍ଇପି ବା କ୍ବିଇପି ଦ୍ବାରା କାର୍ଯ୍ୟକାରୀ ହେଉଥିବା କାର୍ଯ୍ୟକ୍ରମଗୁଡ଼ିକୁ ‘କ’ ବର୍ଗରେ, ମାସିକ ବ୍ୟୟଗୁଡ଼ିକୁ ‘ଖ’ ବର୍ଗରେ ଓ ଅବଶିଷ୍ଟ ବ୍ୟୟକୁ ‘ଗ’ ବର୍ଗରେ ସ୍ଥାନୀତ କରାଯାଇଛି । ବର୍ତ୍ତମାନର ବିତ୍ତୀୟ ସ୍ଥିତିକୁ ଦେଖି ମାର୍ଗଦର୍ଶିକା ଅନୁସାରେ ବ୍ୟୟ ବ୍ୟବସ୍ଥା କରିବାକୁ ଅର୍ଥ ମନ୍ତ୍ରଣାଳୟ ବିଭିନ୍ନ ବିଭାଗ ଓ ମନ୍ତ୍ରଣାଳୟକୁ ପରାମର୍ଶ ଦେଇଛି । ପୂର୍ବରୁ ବ୍ୟୟ ସଂକୋଚନ ନିମନ୍ତେ କେନ୍ଦ୍ର କ୍ୟାବିନେଟ୍ ସାଂସଦଙ୍କ ବେତନ ଓ ଭତ୍ତା ବର୍ଷକ ପାଇଁ ୩୦% ହ୍ରାସ ନିଷ୍ପତ୍ତି ନେଇଥିଲା। ସେହିପରି ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ରାଜ୍ୟପାଳମାନେ ସେମାନଙ୍କ ବେତନ କାଟ ପାଇଁ ସ୍ବେଚ୍ଛା ସମ୍ମତି ଦେଇଥିଲେ।
ଗତ ମାସରେ କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ୧.୭ ଲକ୍ଷ କୋଟି ଟଙ୍କାର ରିଲିଫ୍ ପ୍ୟାକେଜ ଘୋଷଣା କରିଥିଲେ । ଏହା ସହ ଆଉ ଏକ ବଡ଼ ପ୍ୟାକେଜ୍ ଘୋଷଣା କରିବାର ସୂଚନା ମଧ୍ୟ ମିଳିଥିଲା। ମାତ୍ର ବର୍ତ୍ତମାନର କଠୋର ପରିସ୍ଥିତି ଦୃଷ୍ଟିରୁ ନୂତନ ରିଲିଫ୍ ପ୍ୟାକେଜ୍ ସ୍ଥଗିତ ରଖାଯାଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି । ତେବେ ଲକ୍ଡ଼ାଉନ ଉଠିବା ପରେ ଏମ୍ଏସ୍ଏମ୍ଇ, କୃଷି ଓ ଆନୁଷଙ୍ଗିକ କ୍ଷେତ୍ର, ବେସାମରିକ ଉଡ଼ାଣ ଓ ହୋଟେଲ ଶିଳ୍ପ ଆଦି ପାଇଁ ପ୍ୟାକେଜ ଘୋଷଣା ହୋଇପାରେ ବୋଲି ସୂଚନା ମିଳିଛି।



