ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସର୍ତ୍ତ କୋହଳ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସର୍ତ୍ତାବଳୀ କୋହଳ କରାଯାଇଛି। ଯଦି କୌଣସି ବ୍ୟକ୍ତି ବର୍ଷକୁ ୧୮ ଲକ୍ଷ ଟଙ୍କାରୁ କମ୍ ରୋଜଗାର କରୁଥିବେ ତେବେ ତାଙ୍କୁ ୨.୩ ଲକ୍ଷ ଟଙ୍କା ସୁଧ ରିହାତି ଆକାରରେ ମିଳିବ। ୨୧୦୦ ବର୍ଗ ଫୁଟ୍ର ଘର କିମ୍ବା ଫ୍ଲାଟ୍ ନିର୍ମାଣ କିମ୍ବା କ୍ରୟ ପାଇଁ ତାଙ୍କୁ ଋଣ ମିଳିବ।
କେନ୍ଦ୍ର ଗୃହ ଓ ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିୟମରେ କେତେକ ସଂଶୋଧନ ଆଣିବା ପରେ ଉପଭୋକ୍ତାଙ୍କୁ ଏହି ସୁବିଧା ମଳିବ। ଏଥିରେ ମଧ୍ୟବିତ୍ତ ଆୟକାରୀ ବର୍ଗ ପାଇଁ ୩୩% ସୁଧ ରିହାତି ଘୋଷଣା କରାଯାଇଛି। ବାର୍ଷିକ ୬ ଲକ୍ଷରୁ ୧୨ ଲକ୍ଷ ଆୟକାରୀଙ୍କୁ ଏମ୍ଆଇଜି ପ୍ରଥମ ବର୍ଗରେ ରଖାଯାଇଥିବା ବେଳେ ଦ୍ୱିତୀୟ ବର୍ଗରେ ୧୨ ଲକ୍ଷରୁ ୧୮ ଲକ୍ଷ ଆୟକାରୀ ବର୍ଗଙ୍କୁ ରଖାଯାଇଛି। ପ୍ରଥମ ବର୍ଗ ପାଇଁ ୪% ଓ ଦ୍ୱିତୀୟ ବର୍ଗ ପାଇଁ ୩% ସୁଧ ହାରରେ ଋଣ ମିଳିବ।
ସେହିପରି ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ୧୨୦ ବର୍ଗ ମିଟର ପାଇଁ ଋଣ ମିଳୁଥିବା ବେଳେ ଏବେ ତାହା ୧୫୦ ବର୍ଗ ମିଟରକୁ ବୃଦ୍ଧି କରାଯାଇଛି। ଦ୍ୱିତୀୟ ବର୍ଗ ପାଇଁ ଏହି ସର୍ତ୍ତ ପୂର୍ବରୁ ୧୬୦ ବର୍ଗ ମିଟର ଥିବାବେଳେ ଏବେ ତାହା ୨୦୦ ବର୍ଗ ମିଟରକୁ ବୃଦ୍ଧି କରାଯାଇଛି।