ସୁଆଣ୍ଡୋ : ପୁରୀ ଜିଲା ସତ୍ୟବାଦୀ ବ୍ଲକରେ କରୋନା ସଂକ୍ରମଣ ସଂକ୍ରାନ୍ତ ସଚେତନତା ପାଇଁ ଜାରି କରାଯାଇଥିବା ୨୧ ଦିନିଆ ଲକ୍ ଡାଉନ ପାଳନକୁ ବ୍ଲକ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରୟାସ ଆରମ୍ଭ ହୋଇଛି । ବୁଧବାର ସାରଙ୍ଗଯୋଡି ହାଟ ଥିବାରୁ ଜନଗହଳି ନ କରିବା ପାଇଁ ତହସିଲଦାର କସ୍ତୁରୀ ପ୍ରଧାନ ବିଡିଓ ସରୋଜ କୁମାର ଦତ୍ତ ସତ୍ୟବାଦୀ ଥାନା ଆଇଆଇସି ଦେବପ୍ରସାଦ ପାତ୍ର ଲୋକମାନଙ୍କୁ ବୁଝାଇଥିଲେ । ଗ୍ରୋସରି ପରିବା ଔଷଧ ଦୋକାନ ଗୁଡିକ ଖୋଲାଥିବା ବେଳେ ଆଉ ସବୁ ବନ୍ଦ ରହିଛି । ବଳପୁର ସୁଆଣ୍ଡୋ ଚିଲପାଟଣା ଗବକୁଣ୍ଡ ହରିଆ ବୁଢା ବଜାର ବରାଳ ପଟ୍ଟନାୟିକିଆ କାଦୁଆ ବନପୁର ଅଳଗୁମ ଆଦି ବଜାର ଅଞ୍ଚଳ ଅଧିକାରୀ ମାନେ ବୁଲି ସଚେତନତାର ବାର୍ତ୍ତା ଦେଇଥିଲେ । ସାରଙ୍ଗଯୋଡିରୁ ପୁଲିସ ଜଣକୁ ଧରି ଅଟକ ରଖିଛି । ଥାନାର ସବୁ ଅଞ୍ଚଳରେ ପୁଲିସ ପାଟ୍ରୋଲିଂ ଜାରି ରହିଛି । ସେହିପରି କଳା ବଜାରୀ ଅସାଧୁ ବେପାରୀଙ୍କ ଉପରେ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି । ବେପରୁଆ ବାଇକ ଚାଳକଙ୍କ ଉପରେ ପୋଲିସ ତରଫରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇଆଇସି ଶ୍ରୀ ପାତ୍ର କହିଛନ୍ତି ।



