ସମାଜ ପୋର୍ଟାଲ ଡେସ୍କ: କରୋନାର ସଫଳ ମୁକାବିଲା ଏବଂ ଏଥିପାଇଁ ଚାଲିଥିବା କାର୍ଯ୍ୟାନୁଷ୍ଠାନର ପରିଚାଳନାରେ ରାଜ୍ୟ ସରକାରମାନଙ୍କୁ ସହଯୋଗ କରିବା ପାଇଁ କେନ୍ଦ୍ର ସରକାର ଅତିରିକ୍ତ ସଚିବ ଓ ଯୁଗ୍ମ ସଚିବ ପାହ୍ୟାର ୩୦ ଜଣ ଅଧିକାରୀଙ୍କୁ ପଠାଇଛନ୍ତି। ସେମାନେ ବିଭିନ୍ନ ରାଜ୍ୟରେ ଅବସ୍ଥାପିତ ହେବା ସହ ରାଜ୍ୟ ସରକାରଙ୍କ ସହଯୋଗରେ କରୋନା ମୁକାବିଲା ଜନିତ ବିଭିନ୍ନ ପ୍ରୟାସର ପ୍ରସ୍ତୁତି ଓ ସମନ୍ୱୟ କାର୍ଯ୍ୟ ଦେଖିବେ। ସଂପୃକ୍ତ ଅଧିକାରୀମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହେବ।
ଇତିମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସରକାରୀ ଭାବେ ୧୩୭ରେ ପହଞ୍ଚିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏହି ୧୩୭ ଜଣଙ୍କ ମଧ୍ୟରୁ ୧୧୩ ଜଣ ଭାରତୀୟ ଏବଂ ଅନ୍ୟମାନେ ବିଦେଶୀ। ନୂଆଦିଲ୍ଲୀଠାରେ ଏ ସଂପର୍କରେ ସୂଚନା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି, ଏପର୍ଯ୍ୟନ୍ତ ୧୪ ଜଣ କରୋନା ସଂକ୍ରମଣରୁ ମୁକ୍ତ ହୋଇଛନ୍ତି। ଭାରତୀୟ ଭେଷଜ ଗବେଷଣା ପରିଷଦ ପକ୍ଷରୁ ଦେଶର ସବୁ ଘରୋଇ ପରୀକ୍ଷାଗାରକୁ କରୋନା ସଂକ୍ରମିତଙ୍କ ପରୀକ୍ଷା ମାଗଣାରେ କରିବାକୁ ଅନୁରୋଧ କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅନୀଲ ମଲିକ କହିଛନ୍ତି ଇମିଗ୍ରେସନ ବ୍ୟୁରୋ ପକ୍ଷରୁ ଭ୍ରମଣକାରୀମାନଙ୍କ ଭିସା ଓ ଅନ୍ୟାନ୍ୟ ତଥ୍ୟାବଳୀ ଜଣାଇବା ନିମନ୍ତେ ଏକ ୨୪ ଘଣ୍ଟିଆ ହେଲ୍ପ ଲାଇନ ଖୋଲାଯାଇଛି ଯାହାର ନମ୍ବର ହେଲା ୦୧୧- ୨୪୩୦୦୬୬୬।



