ନିର୍ମାତାଙ୍କ ପରେ କ୍ଷମାମାଗିଲେ ପ୍ରିୟଙ୍କା
ନୂଆଦିଲ୍ଲୀ : ଆମେରିକାର ଲୋକପ୍ରିୟ ଧାରାବାହିକ ‘କ୍ୱାଣ୍ଟିକୋ’ ଦିନକୁ ଦିନ ଅଧିକ ବିବାଦରେ ଛନ୍ଦି ହୋଇପଡୁଛି। ବିବାଦ ଏହାର ପିଛା ଛାଡୁନାହିଁ। ଏହି ଧାରାବାହିରେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଅଭିନୟ କରୁଥିବାବେଳେ, କିଛି ଦୃଶ୍ୟକୁ ନେଇ ବିବାଦରେ ଛନ୍ଧି ହୋଇପଡିଛନ୍ତି। ଏଥିପାଇଁ ରବିବାର ପ୍ରିୟଙ୍କା ନିଜ ଦେଶବାସୀଙ୍କୁ କ୍ଷମା ମାଗିଛନ୍ତି। ନିଜର ଟୁଇଟର ଆକାଉଣ୍ଟରେ ପ୍ରିୟଙ୍କା ଲେଖିଛନ୍ତି, ‘କ୍ୱାଣ୍ଟିକୋ’ର ପୂର୍ବ ଅଧ୍ୟାୟରେ ଦେଖାଯାଇଥିବା ଦୃଶ୍ୟ ପାଇଁ ମୁଁ ଦୁଃଖିତ। ଏହା କରିବା ମୋର ଉଦେଶ୍ୟ ନଥିଲା। ମୁଁ ଏଥିପାଇଁ କ୍ଷମା ପ୍ରାର୍ଥନା କରିଛୁ। ଜଣେ ଭାରତୀୟ ହିସାବରେ ମୁଁ ଗର୍ବିତ, ଏବଂ ଦେଶର ସମ୍ମାନରେ କେବେ ଅାଞ୍ଚ ଆଣିବାକୁ ଦେବିନାହିଁ। ପୂର୍ବରୁ ଏହି ଘଟଣାପାଇଁ ଧାରାବାହିକର ନିର୍ମାତା କ୍ଷମା ପ୍ରାଥନା କରିଥିଲେ।
ସୂଚନାଯୋଗ୍ୟ ଯେ, ଧାରାବାହିକର ପୂର୍ବ ଅଧ୍ୟାୟରେ ପ୍ରିୟଙ୍କା ଜଣେ ଆତଙ୍କବାଦୀକୁ ଧରିଛନ୍ତି। ତା ପାଖରୁ ରୁଦ୍ରାକ୍ଷ ମିଳିଛି। ରୁଦ୍ରାକ୍ଷ ମିଳିବାପରେ ସେ ଜଣେ ହିନ୍ଦୁ ଆତଙ୍କବାଦୀ ବୋଲି କହିଥିଲେ। ଯାହାକୁ ନେଇ ସମଗ୍ର ଦେଶରେ ଏହି ଧାରାବାହିକ ଓ ପ୍ରିୟଙ୍କାଙ୍କ ବିରୁଦ୍ଧରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଅଭିନେତ୍ରୀ ପ୍ରିୟଙ୍କା ଏହି ଧାରାବାହିକରେ ଜଣେ ଏଫ ବି ଆଇ ଏଜେଣ୍ଟ ଭୂମିକାରେ ଅଭିନୟ କରୁଛନ୍ତି।