କରୋନା ଭୂତାଣୁ ଏବେ ସର୍ବବ୍ୟାପୀର ରୂପ ନେଇସାରିଛି। ଚୀନ୍ର ଉହାନ୍ରୁ ସଂକ୍ରମିତ ଏହି ଭୂତାଣୁ ପଞ୍ଝାରେ ବିଶ୍ୱର ଗୋଟିଏ ପରେ ଗୋଟିଏ ଦେଶ କବଳିତ ହେବାରେ ଲାଗିଛି। କରୋନା ସଂକ୍ରମଣକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାମାରୀ ଘୋଷଣା କରିସାରିବା ପରେ ଏକ କ୍ଷୁଦ୍ରାତିକ୍ଷୁଦ୍ର ଭୂତାଣୁ ଆଗରେ ସର୍ବଶକ୍ତିମାନ ମଣିଷର ଅସହାୟତା ଆଉ ଅସ୍ୱୀକାର କରିବାର ନାହିଁ। ଭୂତାଣୁ-ମଣିଷ ଭିତରେ ଆରମ୍ଭ ହୋଇଥିବା ଏହି ଲଢ଼େଇରେ ମଣିଷର ଜିତାପଟ ନିଶ୍ଚିତ। ତଥାପି ଏହି ଯୁଦ୍ଧ କେତେ ଦିନ ଚାଲିବ ଏବଂ ମଣିଷକୁ କେତେ ମୂଲ୍ୟ ଦେବାକୁ ପଡ଼ିବ ତାହା ଅନୁମାନ ଓ ଆକଳନର ବାହାରେ। ଏପର୍ଯ୍ୟନ୍ତ ଯୁଦ୍ଧର ଫଳାଫଳକୁ ତର୍ଜମା କଲେ ମଣିଷର ପକ୍ଷ ଦୁର୍ବଳ ଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟଙ୍କ ଉକ୍ତି(କରୋନା ବିରୋଧୀ ଲଢ଼େଇ ପାଇଁ ଯଥୋଚିତ ପଦକ୍ଷେପ ନିଆଯାଇନାହିଁ) ରୁ ସ୍ପଷ୍ଟ ହେଉଛି।
ବିଶ୍ୱାୟନ ବା ଜଗତୀକରଣ ଦ୍ୱାରା ସମଗ୍ର ବିଶ୍ୱକୁ ଗୋଟିଏ ଗ୍ରାମ ଓ ସମଗ୍ର ଜାତି-ଭାଷା-ବର୍ଣ୍ଣର ଲୋକଙ୍କୁ ଗୋଟିଏ ପରିବାରରେ ପରିଣତ କରିପାରିବାର ଆସ୍ପର୍ଦ୍ଧାକୁ ଚୂରମାର କରିବାର ଶକ୍ତି ଏକ ସାମାନ୍ୟ ଅଣୁ ଜୀବ ପାଖରେ ରହିଛି, ତାହା ଏ ପର୍ଯ୍ୟନ୍ତ ସାଧାରଣ ମଣିଷର କଳନା ବାହାରେ ଥିଲା। କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଏବେ ପ୍ରାୟ ସବୁ ଦେଶ ପ୍ରାଣପଣେ ଉଦ୍ୟମ ଆରମ୍ଭ କରିଛନ୍ତି। ଏହି ଉଦ୍ୟମ ସେମାନଙ୍କୁ କ୍ରମଶଃ ଜଗତୀକରଣରୁ ନିଃସଙ୍ଗ ବିଶ୍ୱକୁ ଦିଗକୁ ନେଇଯାଉଛି। ପ୍ରାୟ ସବୁ ଦେଶ ସେମାନଙ୍କ ସୀମାକୁ ଆବଦ୍ଧ କରିସାରିଲେଣି। ସୀମାପାର ଯାତାୟାତ ଓ ଆମଦାନୀ-ରପ୍ତାନୀରେ କଟକଣା ଯୋଗୁଁ ବିଶ୍ୱ ବାଣିଜ୍ୟ ଓ ଅର୍ଥନୀତି ସାଂଘାତିକ ଭାବେ ପ୍ରଭାବିତ ହୋଇଛି। ଅର୍ଥନୀତିର ଦୁଃସ୍ଥିତି ପ୍ରତିଦିନ ନୂଆନୂଆ ରେକର୍ଡ ସୃଷ୍ଟି କରୁଛି। କେବଳ ସୂଚନା ପ୍ରଯୁକ୍ତି ବିଦ୍ୟା ଓ ଟେଲି ଯୋଗାଯୋଗ କ୍ଷେତ୍ରକୁ ଛାଡ଼ି ଦେଲେ ଏବେ ବିଶ୍ୱର ପ୍ରାୟ ସବୁ ଦେଶ ନିଜକୁ ପରସ୍ପରଠାରୁ ବିଚ୍ଛିନ୍ନ କରିସାରିଛନ୍ତି ବା ନିଜକୁ ନିଜେ ସଙ୍ଗରୋଧ(କ୍ୱାରେନ୍ଟାଇନ୍) କରିସାରିଛନ୍ତି। ଅନ୍ୟ ଅର୍ଥରେ କହିଲେ ଜଗତୀକରଣର ବନ୍ଧନ ବା ଶିକୁଳି ଛିଣ୍ଡାଇ ବିଶ୍ୱ ଯୌଥ ପରିବାର ଏବେ ଏକାନ୍ନବର୍ତ୍ତୀ ପରିବାରରେ ପରିଣତ ହେବାକୁ ଶ୍ରେୟ ମଣିଛନ୍ତି। ଜଗତୀକରଣ ବା ବିଶ୍ୱାୟନ ଉପରେ ଭୂତାଣୁର ଏହା ଏକ ପ୍ରଚଣ୍ଡ ପ୍ରହାର ରୂପେ ଅଭିହିତ କରାଯାଇପାରେ।
କରୋନା ଭୂତାଣୁ ଏ ପର୍ଯ୍ୟନ୍ତ ୧୦୦ଟି ଦେଶକୁ ବ୍ୟାପିଥିବା ବେଳେ ବିଧିବଦ୍ଧ ଘୋଷଣା ଅନୁଯାୟୀ ୪,୫୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ନେଇଛି ଏବଂ ୧,୨୪,୦୦୦ରୁ ଊର୍ଦ୍ଧ୍ବଙ୍କୁ ଆକ୍ରାନ୍ତ କରିଛି। ବିଗତ ଦୁଇ ସପ୍ତାହ ମଧ୍ୟରେ କରୋନା ସଂକ୍ରମିତ ଦେଶ ସଂଖ୍ୟାରେ ତିନିଗୁଣା ବୃଦ୍ଧି ଘଟିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟାରେ ୧୩ ଗୁଣ ବୃଦ୍ଧି ଘଟିଛି। କରୋନା ସଂକ୍ରମଣକୁ ଅଭୂତପୂର୍ବ ବୋଲି ବର୍ଣ୍ଣନା କରିବା ସହିତ ଏହାକୁ ହାଲ୍କା ଭାବେ ଗ୍ରହଣ ନ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ପରାମର୍ଶ ଦେଇଛନ୍ତି। ଆସନ୍ତା ଦିନରେ ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ଏଥିରୁ କରୋନାର ଭୟାବହତା ସହଜେ ଅନୁମେୟ।
କରୋନା କେବଳ ବିଶ୍ୱ ସ୍ୱାସ୍ଥ୍ୟ ପରିବେଶ ଉପରେ ଆଘାତ କରିନି, ବରଂ ବିଶ୍ୱ ଅର୍ଥନୀତିକୁ ମଧ୍ୟ ଗୁରୁତର ଆକ୍ରାନ୍ତ କରିଛି। ମାନ୍ଦାବସ୍ଥା ଦେଇ ଗତି କରୁଥିବା ବିଶ୍ୱ ଅର୍ଥନୀତି କରୋନା ପ୍ରହାରରେ ଆହୁରି ଘୋର ସଙ୍କଟ ଭିତରକୁ ଠେଲି ହୋଇଯିବ ବୋଲି ଅର୍ଥନୀତିଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ବ୍ୟାଙ୍କ ଅଫ୍ ଇଂଲଣ୍ଡ ଜରୁରୀକାଳୀନ ସୁଧ ହ୍ରାସ ସହିତ ଅତିରିକ୍ତ ପାଣ୍ଠି ଯୋଗାଣ ପାଇଁ ଘୋଷଣା କରିଛି। କରୋନା ମୁକାବିଲା ପାଇଁ ଇଟାଲୀ ୨୫୦୦ କୋଟି ପାଉଣ୍ଡ ଘୋଷଣା କରିଛି। ଇତିମଧ୍ୟରେ ଅଶୋଧିତ ତୈଳ ମୂଲ୍ୟ ରେକର୍ଡ ସ୍ତରକୁ ଖସି ଆସିଛି। ଆର୍ଥିକ ସଙ୍କଟର ମୁକାବିଲା ପାଇଁ ରଣନୀତି ଓ ଯୋଜନା ପ୍ରସ୍ତୁତ କରିବାକୁ ବିଶ୍ୱ ଅର୍ଥନୈତିକ ଫୋରମ୍ ଉଦ୍ୟମ ଆରମ୍ଭ କରିଛି।
ଭାରତର ପୁଞ୍ଜି ବଜାରରେ କରୋନା ପ୍ରଭାବ ଅନୁଭୂତ ହୋଇଛି। ଗୁରୁବାର ଦିନ ବମ୍ବେ ସେନ୍ସେକ୍ସ ୮%ରୁ ଊର୍ଦ୍ଧ୍ବ ବା ୩ ହଜାରରୁ ଅଧିକ ପଏଣ୍ଟ ହ୍ରାସ ଘଟିବାରୁ ନିବେଶକମାନେ ୯ ଲକ୍ଷ କୋଟିରୁ ଊର୍ଦ୍ଧ୍ବ ଟଙ୍କାର କ୍ଷତି ସହିଛନ୍ତି। ବିଦେଶୀ ନିବେଶକମାନେ ବିଗତ ୧୨ ଦିନ ମଧ୍ୟରେ ଭାରତୀୟ ପ୍ରତିଭୂତି ବଜାରରୁ ପ୍ରାୟ ୩୨,୭୭୭ କୋଟି ଟଙ୍କା ଫେରାଇ ନେଇଛନ୍ତି। ଆସନ୍ତା ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟନ ଭିସାକୁ ଭାରତ ବାତିଲ୍ କରିଦେଇଥିବାରୁ ଭାରତୀୟ ପର୍ଯ୍ୟଟନ ଶିଳ୍ପ ହଜାରହଜାର କୋଟି ଟଙ୍କାର କ୍ଷତି ସହିବାକୁ ଯାଉଛି। ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ମୂଲ୍ୟ ୩% ପର୍ଯ୍ୟନ୍ତ ହ୍ରାସ ପାଇପାରେ ବୋଲି ଅର୍ଥନୀତିଜ୍ଞମାନେ ଆଶଙ୍କା କରିଛନ୍ତି। ଅନ୍ୟାନ୍ୟ ଦେଶର ପ୍ରତିଭୂତି ବଜାର ଓ ଅର୍ଥନୀତି ମଧ୍ୟ ଅଳ୍ପେ ବହୁତେ ଏଭଳି ସଙ୍କଟ ଦେଇ ଗତି କରୁଛି ଏବଂ ଆସନ୍ନ ଗୁରୁତର ସ୍ଥିତିର ସମ୍ମୁଖୀନ ହେବାକୁ ଯାଉଛି।
ମାତ୍ର ୩୫ ବର୍ଷ ଭିତରେ ବିଶ୍ୱ ଅର୍ଥନୀତିଜ୍ଞମାନେ ଜଗତୀକରଣ (ଗ୍ଲୋବାଲାଇଜେସନ୍) ଓ ପୃଥକୀକରଣ(ଆଇସୋଲେସନ୍) ପରି ଦୁଇଦୁଇଟି ପ୍ରୟୋଗାତ୍ମକ ଧାରଣାର ଅନୁଭୂତି ଲାଭ କରିଛନ୍ତି(କରୋନା ସଂକ୍ରମଣ ପରେ)। ଜଗତୀକରଣରେ ଗୋଟିଏ ଦେଶ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ଥିବାରୁ ନିର୍ଦିଷ୍ଟ ଗୋଟିଏ ଦେଶର ଆର୍ଥିକ ଲାଭ-କ୍ଷତି ଓ ତାହାର ପ୍ରଭାବ ଆଞ୍ଚଳିକ ମାନସିକତାରୁ ଊର୍ଦ୍ଧ୍ବରେ ରହି ଆକଳନ କରାଯାଉଛି। ଜଗତୀକରଣର ଉଭୟ ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ଦେଖିସାରିଥିବା ବିଶ୍ୱବାସୀ ଏବେ ପୃଥକ ବା ନିଃସଙ୍ଗ ବିଶ୍ୱ(କ୍ୱାରେନ୍ଟାଇନ୍)ର ପ୍ରଭାବ ମଧ୍ୟ ଦେଖୁଛନ୍ତି। ଜଗତୀକରଣର ବିରୋଧ କରୁଥିବା ମତବାଦୀଙ୍କ ପାଇଁ ନିଃସଙ୍ଗ ବିଶ୍ୱ ପୁଣି ଏକ ପ୍ରୟୋଗାତ୍ମକ ଅନୁଭୂତିର ଅବକାଶ ଆଣିଛି। ଏ ପର୍ଯ୍ୟନ୍ତ ସୃଷ୍ଟ ଅନୁଭୂତିରୁ ଏହା ସ୍ପଷ୍ଟ ଯେ ଗୋଟିଏ ଅନ୍ୟଟିର ପରିପୂରକ ଏବଂ ଦୁଇଟିଯାକ ସଫଳତା ଓ ବିଫଳତାର ସମାହାର। ଏହି ଅନୁଭୂତିର ସକାରାତ୍ମକ ନିଷ୍କର୍ଷକୁ ଅଧିକ ଅନୁଶୀଳନପୂର୍ବକ ପ୍ରୟୋଗରେ ହିଁ ବିଶ୍ୱ କଲ୍ୟାଣର ସନ୍ଦେଶ ରହିଛି।



