ଦେଓଗାଁ: ଦେଓଗାଁ ବ୍ଲକ ଅନ୍ତର୍ଗତ ମୁରସିଂ ଗାଁରେ ଚାଲିଥିବା ବେଆଇନ ମଦ କାରବାରକୁ ବନ୍ଦ କରିବା ପାଇଁ ମହିଳା ଗୋଷ୍ଠୀ ଅଣ୍ଟା ଭିଡ଼ିଥିଲେ ମଧ୍ୟ ମଦ ବେପାରୀମାନେ ଲୋକଙ୍କୁ ଚକ୍ମା ଦେଇ ଜଙ୍ଗଲ ଭିତରେ ଖୁଲମ୍ଖୁଲା ରଚାଇଛନ୍ତି ରନ୍ଧା ମଦ କାରବାର। ଯାହାଫଳରେ ମଦ ରନ୍ଧା ଯାଉଥିବା ସୂଚନା ପାଇବା ପରେ ଗାଁର ମହିଳା ଗୋଷ୍ଠୀମାନେ ତୁଷରାର ଅବକାରୀ ବିଭାଗ ସହ ମିଳିତ ଭାବେ ରନ୍ଧାଯାଉଥିବା ସ୍ଥାନରେ ଚଢ଼ାଉ କରି ୪୬୦କେଜି ମହୁଲ ପୋଚ୍ ସହ ଜଣେ ଅଭିଯୁକ୍ତକୁ ଧରିଥିବା ଜଣାପଡ଼ିଛି। ମୁରସିଂହ ଗାଁର ଚନ୍ଦ୍ରକାନ୍ତି ଜାନୀଙ୍କଠାରୁ ୬୦କେଜି ମହୁଲ ଓ ଅନ୍ୟଜଣକ ଠାରୁ ୪୦୦ କେଜି ମହୁଲ ପୋଚ୍ ଜବତ କରିଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି।
ଏନେଇ ଅବକାରୀ କେସ୍ ନମ୍ବର ୮୨ ଓ ୮୩ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଅବକାରୀ ନିରୀକ୍ଷକ ଅରୁଣ ଯୋଶୀ କହିଛନ୍ତି। ଏହି ଚଢ଼ାଉରେ ମୁରସିଂହ ଗାଁର ଜଗା କାଲିଆ, ଲକ୍ଷ୍ମୀ, ଜନ ଲକ୍ଷ୍ମୀ ମହିଳା ସ୍ୱୟଂ ସହାୟକ ଦଳ ସହ ଅନ୍ୟାନ୍ୟ ଗୋଷ୍ଠୀର ସଦସ୍ୟାମାନେ ସାମିଲ ହୋଇଥିଲେ।



