ସମାଜ ପୋର୍ଟାଲ ଡେସ୍କ:: କର୍ଣ୍ଣାଟକରେ ବେଶ୍ ପ୍ରଭାବଶାଳୀ ତଥା ପ୍ରସିଦ୍ଧ ଲିଙ୍ଗାୟତ ମଠ ଇତିହାସରେ ବଡ଼ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ଜଣେ ଭିନ୍ନ ଧର୍ମର ବିବାହିତ ବ୍ୟକ୍ତି ସେଠାରେ ମୁଖ୍ୟ ପୁରୋହିତ ଭାବେ ନିଯୁକ୍ତ ହୋଇଛନ୍ତି। ସମ୍ପୃକ୍ତ ବ୍ୟକ୍ତି ହେଉଛନ୍ତି ଜଣେ ମୁସଲମାନ ଓ ୪ସନ୍ତାନଙ୍କ ପିତା। କଲବର୍ଗି ଅନ୍ତର୍ଗତ ଖଜୁରିଠାରେ ଅବସ୍ଥିତ ଦୀର୍ଘ ୩୫୦ବର୍ଷ ପୁରାତନ କୋରାନେଶ୍ବର ସଂସ୍ଥାନ ମଠ ଓ ଚିତ୍ରଦୁର୍ଗାସ୍ଥିତ ଶ୍ରୀ ଜଗଦଗୁରୁ ମୁରୁଗାରାଜେନ୍ଦ୍ର ମଠ ସହିତ ଅନୁବନ୍ଧିତ ଗନକ ଜିଲାର ଅସୁତି ମଠରେ ଏହି ବ୍ୟତିକ୍ରମ ଘଟିଛି। ଦିୱାନ ଶରିଫ ରହେମନସାବ୍ ମୁଲ୍ଲା ମଠର ମୁଖ୍ୟ ପୁରୋହିତ ଭାବେ ନିଯୁକ୍ତ ହୋଇଛନ୍ତି ଓ ଏହି ୩୩ବର୍ଷୀୟ ପଣ୍ଡିତ ଆସନ୍ତା ୨୮ରେ ଏହି ପଦରେ ଅଧିଷ୍ଠିତ ହେବେ।
ଦିୱାନ ମୁସଲମାନ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ତାଙ୍କ ବାପା ସ୍ବର୍ଗତ ରହେମନସାବ୍ ଓ ମାଆ ଫତିମା କୋରାନେଶ୍ବର ଦ୍ବାଦଶ ଶତାବ୍ଦୀର ଲିଙ୍ଗାୟତ ସନ୍ଥ ବାସବେଶ୍ବରଙ୍କ ପରମ ଭକ୍ତ ଥିଲେ। ଗତ ତିନି ବର୍ଷ ପୂର୍ବେ ରହେମନସାବ୍ ଅସୁତି ମଠ ନିର୍ମାଣ ପାଇଁ ନିଜର ଦୁଇ ଏକର ଜମି ଦାନ କରିଥିଲେ। ଏଠାରେ ବାସବ ଦର୍ଶନର ପ୍ରଚାର ପ୍ରସାର ପାଇଁ ନିୟମିତ କାର୍ୟ୍ୟକ୍ରମ ସହ ଶିକ୍ଷାଦାନ ଅନୁଷ୍ଠିତ ହେଉଛି। ଦିୱାନ ଗତ ତିନି ବର୍ଷ ପୂର୍ବେ ଲିଙ୍ଗାୟତ ଧର୍ମ ସଂକ୍ରାନ୍ତ ଶିକ୍ଷା ଗ୍ରହଣ କରିଥିଲେ ଓ ୨୦୧୯ ନଭେମ୍ବର ୧୦ରେ ଦୀକ୍ଷା ନେଇଥିଲେ। ବାପା-ମାଆ ତାଙ୍କୁ ବାସବଙ୍କୁ ସମର୍ପଣ କରିଥିଲେ। ସେହି ଅନୁସାରେ ସେ ବାସବ ତତ୍ତ୍ବ ଓ ଦର୍ଶନର ପ୍ରଚାର କରିବେ ବୋଲି କହିଛନ୍ତି ଦିୱାନ। ‘ନୀତି ଗୁରୁତ୍ବପୂର୍ଣ୍ଣ, ବ୍ୟକ୍ତି ନୁହେଁ’ ବୋଲି ବାସବ ଦର୍ଶନରେ ଶିକ୍ଷା ଦିଆଯାଇଥାଏ। ଜଣେ ଯେଉଁ ଧର୍ମ ବା ସମ୍ପ୍ରଦାୟର ହୋଇଥାଆନ୍ତୁ ନା କାହିଁକି ବାସବ ଦର୍ଶନ ସମସ୍ତଙ୍କୁ ଆଲିଙ୍ଗନ କରିଥାଏ ବୋଲି କହିଛନ୍ତି ଖଜୁରି ମଠର ମୁଖ୍ୟ ମୁରୁଗାରାଜେନ୍ଦ୍ର କୋରାନେଶ୍ବର ଶିବଯୋଗୀ। ଉଲ୍ଲେଖଯୋଗ୍ୟ ଯେ ଲିଙ୍ଗାୟତ ସମ୍ପ୍ରଦାୟରେ ସ୍ବାଭାବିକ ଭାବେ କୌଣସି ବିବାହିତ ବ୍ୟକ୍ତି ମଠାଧୀଶ ହୋଇ ନ ଥା’ନ୍ତି; କିନ୍ତୁ ଦିୱାନଙ୍କର ତିନିଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି। ତାଙ୍କୁ ମଠାଧୀଶ ନିଯୁକ୍ତ କରାଯିବା ଦ୍ବାରା ନୂଆ ଇତିହାସ ସୃଷ୍ଟି ହୋଇଛି। ଏହା ବାସବ ତତ୍ତ୍ବର ଆଦର୍ଶ ବୋଲି ଦିୱାନଙ୍କ ସହଯୋଗୀମାନେ କହିଛନ୍ତି। ତାଙ୍କ ନିଯୁକ୍ତିକୁ କେହି ବିରୋଧ ନ କରିବା ମହତ୍ତ୍ବପୂର୍ଣ୍ଣ।



