ନୂଆଦିଲ୍ଲୀ : ଅରବିନ୍ଦ କେଜରିୱାଲ ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ରବିବାର ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ବିଶିଷ୍ଟ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଆମନ୍ତ୍ରିତ କରାଯାଇଛି। ତେବେ ବିଶିଷ୍ଟ ଗାନ୍ଧୀବାଦୀ ତଥା ମହାନ ସମାଜସେବୀ ଅନ୍ନା ହଜାରେଙ୍କୁ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ଏ ପର୍ଯ୍ୟନ୍ତ ଆମନ୍ତ୍ରଣ କରାଯାଇ ନାହିଁ।
ସୂଚନାଯୋଗ୍ୟ, କେଜରିୱାଲଙ୍କ ପ୍ରଥମ କାର୍ଯ୍ୟକାଳ ବା ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ଅନ୍ନା ହଜାରେଙ୍କୁ ଆମନ୍ତ୍ରଣ କରାଯାଇଥିଲା। କିନ୍ତୁ ସ୍ୱାସ୍ଥ୍ୟଗତ କାରଣରୁ ସେ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇ ନ ଥିଲେ। ପରେ କେଜରିୱାଲ ଅନ୍ନାଙ୍କୁ ଫୋନ୍ କରି ଆସିବାକୁ କହିଥିଲେ କିନ୍ତୁ ସେ କୌଣସି ଉତ୍ତର ଦେଇ ନ ଥିଲେ।
ତେବେ ତୃତୀୟ ଥର ପାଇଁ କେଜରିୱାଲ ରବିବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। କିନ୍ତୁ ,ଏଥିରେ ଯୋଗ ଦେବା ପାଇଁ ଅନ୍ନାଙ୍କୁ କୌଣସି ନିମନ୍ତ୍ରଣ ମିଳିନାହିଁ। ନିର୍ଭୟା ଗଣ ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀଙ୍କୁ ଫାଶୀ ଦେବାରେ ହେଉଥିବା ବିଳମ୍ବ କାରଣରୁ ଅନ୍ନା ଡିସେମ୍ବର ୨୦ ତାରିଖରୁ ମୌନବ୍ରତ ରଖିଛନ୍ତି। ସେ ଯେ କୌଣସି ମନ୍ତବ୍ୟ କାଗଜରେ ଲେଖି ତାଙ୍କ ସଚିବଙ୍କୁ ଜଣାଉଛନ୍ତି। ତେବେ କେଜରିୱାଲଙ୍କ ବିଜୟ ବିଷୟରେ ଯେତେବେଳେ ଅନ୍ନାଙ୍କୁ ଲେଖି କରି ଜଣାଇଥିଲେ ସେ- ଲେଖିଥିଲେ ‘ଠିକ ଅଛି’। ତେବେ ଏ ନେଇ ମିଡିଆକୁ ନିଜର ପ୍ରତିକ୍ରିୟା ଦେବାକୁ ସେ ମନା କରି ଦେଇଥିଲେ। ଅନ୍ୟ ପକ୍ଷରେ କେଜରିୱାଲଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ଅନ୍ନାଙ୍କୁ ନିମନ୍ତ୍ରଣ ନ ମିଳିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।



