୪ ବର୍ଷ ପରେ ବଢ଼ିଲା ସୁଧ ହାର

0

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ଅବସରରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ରିପୋ ରେଟ୍‍(ଯେଉଁ ହାରରେ ଆରବିଆଇଠାରୁ ବାଣିଜ୍ୟିକ ବ୍ୟାଙ୍କ ଋଣ ନିଅନ୍ତି) ଓ ରିଭର୍ସ ରିପୋ ରେଟ୍‍ (ଯେଉଁ ହାରରେ ଆରବିଆଇ ବାଣିଜ୍ୟିକ ବ୍ୟାଙ୍କଠାରୁ ଋଣ ନିଏ)ରେ ୦.୨୫% ବୃଦ୍ଧି କରିଛନ୍ତି। ଦୀର୍ଘ ଚାରି ବର୍ଷ ପରେ ରିପୋ ଓ ରିଭର୍ସ ରିପୋ ରେଟ୍‍ ବୃଦ୍ଧି ପାଇଛି। ଏହାର ପ୍ରଭାବରେ ଗାଡ଼ି, ଘର ଓ ଅନ୍ୟାନ୍ୟ ଋଣ ମହଙ୍ଗା ହେବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି। ଆଜିର ସୁଧ ହାର ବୃଦ୍ଧି ପରେ ରିପୋ ରେଟ୍‍ ୬.୨୫ %କୁ ଓ ରିଭର୍ସ ରିପୋ ରେଟ୍‍ ୬%କୁ ବୃଦ୍ଧି ପାଇଛି।
ବୁଧବାର ଅନୁଷ୍ଠିତ ସମୀକ୍ଷା ବୈଠକରେ ଆରବିଆଇର ମୁଦ୍ରା ନୀତି ନିର୍ଦ୍ଧାରଣ କମିଟି କ୍ରମବର୍ଦ୍ଧିଷ୍ଣୁ ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ଗୁରୁତ୍ୱ ଦେଇଥିଲେ। କମିଟି ଦ୍ୱାରା ମୁଦ୍ରାସ୍ପୀତି ଧାର୍ଯ୍ୟ ସୀମା ୪% ଅତିକ୍ରମ କରି ୪.୫୮%ରେ ପହଞ୍ଚିଛି। ଏଥିସହିତ ଏବେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଥିବାରୁ ପରିବହନ ଖର୍ଚ୍ଚ ବୃଦ୍ଧି ପାଇଛି। କୃଷକ ଆନ୍ଦୋଳନ ଯୋଗୁଁ ପନିପରିବାର ଦର ମଧ୍ୟ ବୃଦ୍ଧି ପାଇଛି। ତେଣୁ ଆଗାମୀ ଦିନରେ ମୁଦ୍ରାସ୍ଫୀତି ଆହୁରି ବୃଦ୍ଧି ପାଇବା ଆଶଙ୍କା ରହିଛି। ଏହି ଦୃଷ୍ଟିରୁ ଅଭିବୃଦ୍ଧି ତୁଳନାରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ଆରବିଆଇ କମିଟି ପ୍ରାଥମିକତା ଦେଇଛି। ଗତ ଆର୍ଥିକ ବର୍ଷର ଶେଷ ତ୍ରୈମାସିକରେ ଅଭିବୃଦ୍ଧି ହାର ୨ ବର୍ଷର ସର୍ବୋଚ୍ଚ ସ୍ତର ୭.୭%ରେ ପହଞ୍ଚିଥିବାରୁ ଅର୍ଥନୀତି ପ୍ରତି ନିକଟ ଭବିଷ୍ୟତରେ ସେତେଟା ବିପଦ ନାହିଁ ବୋଲି ବିଶେଷଜ୍ଞ ମାନେ କହିଛନ୍ତି।

Leave A Reply