ତିଗିରିଆ(ପ୍ରଭାତ କୁମାର ସ୍ବାଇଁ): ଗୋରୁ ଆଉ ଗାଁ ଭିତରେ ସମ୍ପର୍କ ଆଦିମ। ଗୋରୁ ହେଉଛି ମଣିଷ ସଭ୍ୟତାର ଆଦ୍ୟବନ୍ଧୁ। ସକାଳ ଓ ସଞ୍ଜ, ଦାଣ୍ଡରେ ଗୋରୁଙ୍କ ଟାପୁ ଶବ୍ଦ ଓ ପାଦଧୂଳି ନଉଡ଼ିଲେ ଗ୍ରାମୀଣ ସଭ୍ୟତା ଫାଙ୍କାଫାଙ୍କା ଲାଗେ; ହେଲେ ସେ ଦୃଶ୍ୟ ଏବେ ଗାଁଗଣ୍ଡାରୁ ହଜିଗଲାଣି। ଆଧୁନିକ କୃଷି ଯନ୍ତ୍ରପାତିର ଆବିଷ୍କାର ଓ ପ୍ରୟୋଗ ଫଳରେ ଗୋରୁ ଅଲୋଡ଼ା ହେବାକୁ ବସିଲେଣି। ତେବେ କଟକ ଜିଲା ତିଗିରିଆ ବ୍ଲକ ଅନ୍ତର୍ଗତ ପାଞ୍ଚଗାଁ ସାମିଲ ତେନ୍ତୁଳିରଗଡ଼ି ପଡ଼ାଗ୍ରାମର ଦୃଶ୍ୟ ଖାଲି ନିଆରା ନୁହେଁ, ବରଂ ଗୋ-ବିପ୍ଳବର ବାର୍ତ୍ତାବହ ସାଜିଛନ୍ତି ପ୍ରତିଟି ଗ୍ରାମବାସୀ। ଗତ ଚାରିବର୍ଷ ଧରି ସେଠାକାର ପ୍ରତ୍ୟେକ ଘରୁ ଜଣେ ପାଳିକରି ଗୋରୁଗୋଠ ନେଇ ଚରାଉଛନ୍ତି। ଗୋସମ୍ପଦକୁ ଆପଣେଇ ରଖିବା ପାଇଁ ଏହି ଗାଁର ସାମୂହିକ ଉଦ୍ୟମ ଉଦାହରଣୀୟ। ଏଠାକାର ସମସ୍ତ ଅଧିବାସୀ କୃଷି ଉପରେ ନିର୍ଭରଶୀଳ। ପ୍ରତି ଘରେ ସେମାନେ ପାଳିଛନ୍ତି ଗୋରୁଗାଈ। ଗାଁ ପାଖରେ ରହିଛି ବିସ୍ତୀର୍ଣ୍ଣ ଉର୍ବର ଚାଷଜମି। ଗାଁକୁ ଲାଗି ରହିଛି ନୁଖୁରିଗାଡ଼ିଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଓ ବଣଭୂମି। ଗ୍ରାମ ସଭାପତିଙ୍କ କହିବା ମୁତାବକ ଗାଁରେ ଏବେ ପ୍ରାୟ ୪ ଶହ ଗୋରୁ ଅଛନ୍ତି। ସେମାନଙ୍କୁ ଘରେ ବାନ୍ଧି ରଖି ପେଟପୂରା ଖାଇବାକୁ ଦେବା ସମ୍ଭବ ନୁହେଁ। ବର୍ଷବର୍ଷ ଧରି ଗାଁ ଗୋରୁଗୋଠକୁ ଚରାଉଥିବା ଗୋପାଳ ସମ୍ପଦ୍ରାୟର ଲୋକ ଆଉ ରାଜି ହେଲେନି। ଏଥିରେ ହତୋତ୍ସାହିତ ନହୋଇ ଗ୍ରାମସଭାରେ ଅଧିବାସୀମାନେ ସାମୂହିକ ଗୋଚାରଣ ପାଇଁ ଚିନ୍ତା କଲେ। ଆଲୋଚନା ପରେ ପ୍ରତି ଘରର ଲୋକ ପାଳିକରି ଗୋରୁ ଚରାଇବା ପାଇଁ ନିଷ୍ପତ୍ତି ନେଲେ।
ପ୍ରତିଦିନ ୩ଜଣ ଜଗୁଆଳ ହୋଇଯିବାକୁ ସର୍ବସମ୍ମତିକ୍ରମେ ସ୍ଥିର କରାଗଲା। ଫଳସ୍ୱରୂପ ଗତ ୪ବର୍ଷ ହେଲା ଗାଁ ଲୋକେ ପାଳିକରି ଗୋରୁ ଚରାଉଛନ୍ତି। ଗ୍ରାମ ପରିଚାଳନା କମିଟିର ସଭାପତିଙ୍କଠାରୁ ଆରମ୍ଭ କରି ଅନ୍ୟ କର୍ମକର୍ତ୍ତା, ଏପରିକି ଗାଁର ସରକାରୀ ଚାକିରିଆ, ସମସ୍ତେ ନିଜ ପାଳିରେ ଗୋରୁ ଚରାଇବାକୁ ଯାଉଛନ୍ତି। ଅବଶ୍ୟ ଚାକିରିଆଙ୍କୁ ରବିବାର ଛୁଟିଦିନ ଦେଖି ପାଳି ଦିଆଯାଇଥାଏ।
ଗ୍ରାମବାସୀଙ୍କ ମତରେ, ଗୋଠରେ ସର୍ବାଧିକ ଦେଶୀ ଗାଈ ରହିଛନ୍ତି। କ୍ଷେତର ପ୍ରାକୃତିକତା ଯେଭଳି ନଷ୍ଟ ନହୋଇ ଉର୍ବର ରହିବ ସେଥିପାଇଁ ଜୈବିକସାରର ଆବଶ୍ୟକତାକୁ ଗ୍ରାମବାସୀ ବୁଝିଛନ୍ତି। ଏଣୁ ଗୋବର ଖତକୁ କ୍ଷେତରେ ପକାଇବା ଗ୍ରାମବାସୀଙ୍କ ପ୍ରଧାନ ଲକ୍ଷ୍ୟ ବୋଲି ଗ୍ରାମ ସଭାପତି ସୁରେଶକୁମାର ସାହୁ କହିଛନ୍ତି। ଏଠାରେ ବର୍ଷତମାମ ଜମିର କିସମ ଦେଖି ଚାଷୀମାନେ ଧାନଚାଷ ସହ ବିଭିନ୍ନ ପନିପରିବା ଚାଷ କରୁଛନ୍ତି। ତେନ୍ତୁଳିରଗଡ଼ି ଗ୍ରାମବାସୀଙ୍କ ଗୋପ୍ରୀତି ବାସ୍ତବିକ ଅତୁଳନୀୟ। ଗୋରୁଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଓ ସୁରକ୍ଷିତ ରହଣି ପ୍ରତି ସ୍ୱତନ୍ତ୍ର ଦୃଷ୍ଟିଦେବା ସହ ଖତ ଆଉ କ୍ଷୀରକୁ ନେଇ ନୂଆ କିଛି ରୋଜଗାରର ମାର୍ଗ ଫିଟିଲେ ଗ୍ରାମବାସୀ ଅଧିକ ଉପକୃତ ହୋଇପାରିବେ ବୋଲି ସ୍ଥାନୀୟ ଆଇନଜୀବୀ ତଥା କୃଷକନେତା ରଘୁନାଥ ଦାଶ ମତ ରଖିଛନ୍ତି।



