www.samajalive.in
Sunday, December 7, 2025
13.1 C
Bhubaneswar

ଆଜି ୩ୟ ଦିନିକିଆ : ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ଭାରତ

ମାଉଣ୍ଟ ମୌଙ୍ଗନୁଇ : ଟ୍ବେଣ୍ଟି୨୦ ସିରିଜ୍‌କୁ ୫-୦ରେ ହାରିବା ପରେ ଦୃଢ଼ତାର ସହ ଦିନିକିଆ ସିରିଜ୍‌ରେ ପ୍ରତ୍ୟାବର୍ତ୍ତନ କରିଛି ଘରୋଇ ନ୍ୟୁଜିଲାଣ୍ଡ। ଦଳ ମୁଖ୍ୟ ବ୍ୟାଟ୍‌ସମ୍ୟାନ୍ କେନ୍ ୱିଲିୟମ୍‌ସନଙ୍କ ସହ ୩ ପ୍ରମୁଖ ପେସ୍ ବୋଲର- ଟ୍ରେଣ୍ଟ ବୋଲ୍‌ଟ, ମ୍ୟାଟ୍‌ ହେନ୍‌ରି ଓ ଲୋକି ଫର୍ଗୁସନ୍‌ ଦଳରେ ନ ଥିବା ସତ୍ତ୍ବେ ନ୍ୟୁଜିଲାଣ୍ଡ କ୍ରମାଗତ ୨ଟି ଦିନିକିଆ ମ୍ୟାଚ୍ ଜିତିବା ସମସ୍ତଙ୍କୁ ଚକିତ କରିଛି। ବିଶ୍ବକପ୍ ରନର୍ସଅପ୍ ନ୍ୟୁଜିଲାଣ୍ଡ ଉପରୋକ୍ତ ୨ଟି ମ୍ୟାଚ୍ ଜିତି ସିରିଜ୍ ହାତେଇ ନେଇଥିବା ବେଳେ ମଙ୍ଗଳବାର ଏଠାରେ ଉଭୟ ଦଳଙ୍କ ମଧ୍ୟରେ ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ଖେଳାଯିବ। ନ୍ୟୁଜିଲାଣ୍ଡ ଏହି ମ୍ୟାଚ୍ ଜିତି ସିରିଜ୍ ପୋଛିବା ସହ ଟ୍ବେଣ୍ଟି୨୦ ସିରିଜ୍‌ର ପ୍ରତିଶୋଧ ନେବାକୁ ଲକ୍ଷ୍ୟରଖିଛି। ତେବେ ଭାରତ ୩ୟ ଦିନିକିଆ ଜିତି କିଛି ସମ୍ମାନ ଫେରି ପାଇବାକୁ ପ୍ରୟାସ କରିବ। ମ୍ୟାଚ୍‌ର ସେପରି ଗୁରୁତ୍ବ ନଥିବା ବେଳେ ଉଭୟ ଦଳ ସେମାନଙ୍କ ଚୂଡ଼ାନ୍ତ ଏକାଦଶରେ କିଛି ପରିବର୍ତ୍ତନ କରିବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ।

ପ୍ରଥମ ଦିନିକିଆରେ ନ୍ୟୁଜିଲାଣ୍ଡର ବୋଲିଂ ବିଫଳ ହୋଇଥିବା ବେଳେ ଦଳର ସବୁଠାରୁ ଅଭିଜ୍ଞ ବ୍ୟାଟ୍‌ସମ୍ୟାନ୍ ରସ୍ ଟେଲର ରନ୍ ପିଛାର ଦାୟିତ୍ବ ନେଇଥିଲେ ଏବଂ ଅଧିନାୟକ ଟମ୍ ଲାଥାମ୍ ଚମ୍ପିଆନ୍‌ଙ୍କ ପରି ବ୍ୟାଟିଂ କରିଥିଲେ। ପୁଣି ୨ୟ ଦିନିକିଆରୁ ଇସ୍ ସୋଢ଼ିଙ୍କୁ ବାଦ୍ ଦିଆ ଯାଇଥିଲା। ମିଚେଲ ସାଣ୍ଟ୍‌ନର ଓ ସ୍କଟ୍‌ କୁଗ୍‌ଲେଇନ୍ ଅସୁସ୍ଥ ଥିଲେ। ଅସୁସ୍ଥତା ସତ୍ତ୍ବେ ଟିମ୍ ସାଉଦିଙ୍କୁ ଖେଳିବାକୁ ପଡ଼ିଲା। ନ୍ୟୁଜିଲାଣ୍ଡ ପାଖରେ ମାତ୍ର ୧୧ ଜଣ ଖେଳାଳି ଥିଲେ; ଯେଉଁମାନେ ଖେଳିଥିଲେ। କାଏଲ୍‌ ଜେମିସନ୍ ଏହି ମ୍ୟାଚ୍‌ରେ ଦଳର ହିରୋ ସାଜିଥିଲେ। ନ୍ୟୁଜିଲାଣ୍ଡ ୨ ଶହ ରନ୍ କରିବା ପୂର୍ବରୁ ୭ଟି ୱିକେଟ ହରାଇଥିଲେ ହେଁ ରସ୍ ଟେଲରଙ୍କ ସହ ଜେମିସନ୍ ଶେଷ ଓଭର ପର୍ଯ୍ୟନ୍ତ ବ୍ୟାଟିଂକରି ଦଳକୁ ୨୭୩ ରନ୍‌ରେ ପହଞ୍ଚାଇଥିଲେ। ପରେ ମାରାତ୍ମକ ନଜର ଆସୁଥିବା ପୃଥ୍ବୀ ସ’ ଏବଂ ପରେ ନ୍ୟୁଜିଲାଣ୍ଡ ହାତରୁ ମ୍ୟାଚ୍ ଛଡ଼ାଇନେବା ପରି ମନେ ହେଉଥିବା ନବଦୀପ ସୈନିଙ୍କୁ ଆଉଟ କରିଥିଲେ। ପଦାର୍ପଣ ଦିନିକିଆ ମ୍ୟାଚ୍‌ରେ ଏପରି ପ୍ରଦର୍ଶନ ଯୋଗୁଁ ଜେମିସନ୍ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ। ଇସ୍ ସୋଢ଼ିଙ୍କ ସହ ପେସ୍ ବୋଲର ବ୍ଲେୟାର ଟିକ୍‌ନର ଦଳରେ ଯୋଗ ଦେଇଛନ୍ତି ଏବଂ ସାଣ୍ଟ୍‌ନର ଓ କୁଗ୍‌ଲେଇନ୍ ସୁସ୍ଥ ଅଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଉଛି ଅଧିନାୟକ ୱିଲିୟମ୍‌ସନ ଏହି ମ୍ୟାଚ୍ ଖେଳିବେ। ଫଳରେ ନ୍ୟୁଜିଲାଣ୍ଡ ପୂରା ଶକ୍ତିରେ ସିରିଜ୍ ପୋଛିବା ଲକ୍ଷ୍ୟରେ ଏହି ମ୍ୟାଚ୍‌ରେ ଓହ୍ଲାଇବ।

- Advertisement -

ଭାରତୀୟ ଦଳରେ ଆହତଗତ ସମସ୍ୟା ନଥିଲେ ହେଁ ୨ୟ ଦିନିକିଆ ମ୍ୟାଚ୍ ହାରିବା ପରେ ଅଧିନାୟକ ବିରାଟ କୋହଲି କହିଥିଲେ ଯେ ଆଦୌ ଖେଳିନଥିବା ଖେଳାଳିଙ୍କୁ ସୁଯୋଗ ମିଳିପାରେ। ତେଣୁ କେ.ଏଲ୍‌. ରାହୁଲଙ୍କ ସ୍ଥାନରେ ଋଷଭ ପନ୍ତ୍‌ଙ୍କୁ ଖେଳାଇବା କଥା ଭାରତ ଚିନ୍ତା କରିପାରେ। ଅନ୍ୟପକ୍ଷରେ ୨ୟ ଦିନିକିଆରେ ମହମ୍ମଦ ସାମି ବିଶ୍ରାମ ନେଇଥିବାରୁ ସେ ୩ୟ ଦିନିକିଆରେ ଖେଳିପାରନ୍ତି। ଆଗକୁ ଟେଷ୍ଟ ସିରିଜ୍ ଥିବାରୁ ଯଶପ୍ରୀତ ବୁମ୍‌ରାଙ୍କୁ ବିଶ୍ରାମ ମିଳିପାରେ। ପୁଣି କେଦାର ଯାଦବଙ୍କ ସ୍ଥାନରେ ମନୀଷ ପାଣ୍ଡେଙ୍କୁ ସୁଯୋଗ ମିଳିପାରେ। ଏପରି ବି ହୋଇପାରେ ଯେ ଗତ ୯ଟି ଦିନିକିଆରେ ବାହାରେ ବସିଥିବା ଅଲ୍‌ରାଉଣ୍ଡର ଶିବମ୍ ଦୁବେ ଖେଳିପାରନ୍ତି। ଶେଷ ଦିନିକିଆକୁ ଜିତିବାକୁ ହେଲେ ଭାରତୀୟ ବ୍ୟାଟିଂର ଉପର ଅର୍ଡରକୁ ରନ୍ କରିବାକୁ ପଡ଼ିବ। ଅଦ୍ୟାବଧି ଦୁଇ ନୂଆ ଓପ୍‌ନର ମୟଙ୍କ ଅଗ୍ରୱାଲ ଓ ପୃଥ୍ବୀ ସ’ ଆରମ୍ଭରୁ ଷ୍ଟ୍ରୋକ୍ ଖେଳିଥିଲେ ହେଁ ବଡ଼ ସ୍କୋର୍ କରି ପାରିନାହାନ୍ତି। ଦିନିିକିଆ ଦଳରେ ରହିବାକୁ ହେଲେ ଏଦୁହିଁଙ୍କ ଲାଗି ଶେଷ ସୁଯୋଗ ରହିଛି। ସୂଚନାଯୋଗ୍ୟ, ୩୧ ବର୍ଷ ତଳେ ଭାରତ ଏକ ଦ୍ବିପାକ୍ଷିକ ଦିନିକିଆ ସିରିଜ୍‌ର ସମସ୍ତ ମ୍ୟାଚ୍ ହାରିଥିଲା। ୧୯୮୯ରେ ୱେଷ୍ଟଇଣ୍ଡିଜ୍ ୫-୦ରେ ଭାରତକୁ ହରାଇଥିଲା। ଏହି ଗ୍ରାଉଣ୍ଡରେ ଭାରତ ୨ଟି ଦିନିକିଆ ଖେଳିଥିବା ବେଳେ ଉଭୟ ମ୍ୟାଚ୍ ଜିତିପାରିଛି। ପିଚ୍ ବ୍ୟାଟିଂ ଉପଯୋଗୀ ହେବ।

ଆଜି (ମଙ୍ଗଳବାର)ର ମାଚ୍‌
ଭାରତ-ନ୍ୟୁଜିଲାଣ୍ଡ ୩ୟ ଦିନିକିଆ
ଭାରତୀୟ ସମୟ ସକାଳ ୭.୩୦ରୁ; ଚ୍ୟାନେଲ- ଷ୍ଟାର୍ ସ୍ପୋର୍ଟସ ୧ ଓ ୩

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories