www.samajalive.in
Wednesday, December 10, 2025
17.1 C
Bhubaneswar

୨୦ ହାତୀକୁ ଗୁଳିକରି ମାରିଛି ବାବୁଲି

ଗୁରୁଡିଝାଟିଆ : କୁଖ୍ୟାତ ଦନ୍ତାହାତୀ ଶିକାରୀ ବାବୁଲିକୁ ବନବିଭାଗ ଜେରା କରିବା ସମୟରେ ଏ ନେଇ ବହୁ ତଥ୍ୟ ମିଳିଥିବା ଜଣାଯାଇଛି। ବାବୁଲି ଆଠଗଡ ବନଖଣ୍ଡ ଅଞ୍ଚଳରୁ ୨୦ ଦନ୍ତାହାତୀକୁ କରିଛି ଶିକାର ଏବଂ ସୁଟ ପିଛା ନେଉଥିଲା ୩୦ ହଜାର ଟଙ୍କା। ଗତବର୍ଷ ଦୁଇଟି ଦନ୍ତାହାତୀକୁ ଗୁଳିକରି ସେ ମାରିଥିବା ପ୍ରକାଶ କରିଛି। ବନବିଭାଗ ତା ନିକଟରୁ ବନ୍ଧୁକ, ହରିଣ ଶିଙ୍ଘ, ଛାଲ ଜବତ କରିବା ସହ ୧୦ ହାତୀଦାନ୍ତ ବ୍ୟବସାୟୀଙ୍କ ନାମକୁ ହସ୍ତଗତ କରିଛି। ଆଠଗଡ ବନଖଣ୍ଡ ଅନ୍ତର୍ଗତ ବଡମ୍ବା, ନରସିଂହପୁର ପୂର୍ବ ଓ ପଶ୍ଚିମ ରେଞ୍ଜ ଥିଲା ଦନ୍ତାସୁଟର ବାବୁଲିର ଅଞ୍ଚଳ। ହାତୀପଲ ଭିତରୁ ଦନ୍ତାକୁ ପ୍ରଥମେ ସେ ଅଲଗା କରୁଥିଲା। ଅଲଗା ହୋଇଥିବା ଦନ୍ତାକୁ କୌଶଳରେ ପାହାଡ ଉପରକୁ ଘଉଡାଉଥିଲା। ପାହାଡ ଉପରେ ଏକ ଅସ୍ଥାୟୀ ତମ୍ବୁ ପକାଇ ଦନ୍ତାହାତୀର ଗତିବିଧିକୁ ନିରୀକ୍ଷଣ କରୁଥିଲା। କିଛିଦିନ ଅନୁଧ୍ୟାନ ପରେ ଅସ୍ଥାୟୀ ତମ୍ବୁ ତଳେ ସମୟେ ସମୟେ ବୁଦାମୂଳେ ଲୁଚାଇ ରଖିଥିବା ବନ୍ଧୁକରୁ ଦନ୍ତାର ମୁଣ୍ଡକୁ କରୁଥିଲା ଗୁଳି। ଦୁଇ ତିନୋଟି ଗୁଳି ଦନ୍ତାର ମୁଣ୍ଡରେ ବାଜିଗଲା ପରେ ସେ ନିସ୍ତେଜ ହୋଇଯାଉଥିଲା ଏବଂ ଏହାର କିଛି ସମୟ ପରେ ସେ ଟଳି ପଡିଥାଏ। ଏହାର ସୁଯୋଗ ନେଇ ବାବୁଲି କିଛି ସହଯୋଗୀଙ୍କ ସହ ପାୱାରକଟର ଜରିଆରେ ହାତୀମୁଣ୍ଡକୁ କାଟିଥାଏ। ପରେ ଦାନ୍ତକୁ କାଟି ମାଟିରେ ପୋତିଦେଇଥାଏ। ଗତବର୍ଷ ଦୁଇଟି ଦନ୍ତାହାତୀକୁ ଶୀକାର କରିଥିଲା। ୨୦ଟି ଦନ୍ତାହାତୀକୁ ଶିକାର କରିଥିବାର ଅଭିଯୁକ୍ତ ବାବୁଲି ବନଖଣ୍ଡ ଅଧିକାରୀ ସସ୍ମିତା ଲେଙ୍କାଙ୍କ ନିକଟରେ ପ୍ରକାଶ କରିଛି।

ଦନ୍ତାକୁ ଗୁଳି କରିବା ପାଇଁ କେତେକ ହାତୀ ଦାନ୍ତ ବ୍ୟବସାୟୀ ସବୁ ସମୟରେ ବାବୁଲି ସହ ଯୋଗାଯୋଗରେ ଥାଆନ୍ତି। ହାତୀ ଶିକାର କରିସାରିବା ପରେ ପୋତାଯାଇଥିବା ଦାନ୍ତକୁ ବ୍ୟବସାୟୀମାନେ ଅଭିଯୁକ୍ତ ବାବୁଲିଠାରୁ ନେଇଥାନ୍ତି। ଅଭିଯୁକ୍ତ ବାବୁଲି ଯେତୋଟି ଗୁଳିଦନ୍ତାକୁ ସୁଟ କରିଥାଏ ପ୍ରତ୍ୟେକ ଗୁଳି ବାବଦରେ ୩୦ ହଜାର ଟଙ୍କା ଲେଖାଏଁ ହାତୀଦାନ୍ତ ବ୍ୟବସାୟୀଠାରୁ ପାଇଥାଏ। ଗତବର୍ଷ ମାରିଥିବା ଦୁଇ ଦନ୍ତାହାତୀର ଦାନ୍ତକୁ ବ୍ୟବସାୟୀମାନେ ନୟାଗଡରେ ବିକ୍ରି କରିଥିଲେ। ନରସିଂହପୁର ଅଞ୍ଚଳରେ ନକଲି ବନ୍ଧୁକ କାରବାରକୁ ସେ ସ୍ୱୀକାର କରିଛି। ନକଲି କାରଖାନାରୁ ବନ୍ଧୁକ ଓ ଗୁଳି ଆଣି ବୃତ୍ତିଗତ ଦନ୍ତାହାତୀ ଶିକରୀ ଭାବରେ ଦନ୍ତାହାତୀ ମାରିବାରେ ସେ ମାହିର ଥିଲା। ଗତବର୍ଷ ବଡମ୍ବା ବନାଞ୍ଚଳ ଅନ୍ତର୍ଗତ ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରୁ ହାତୀମାରି ଦାନ୍ତ ନେଇଯିବା ଘଟଣାରେ ବନଖଣ୍ଡ ଅଧିକାରୀ, ବନପାଳ, ବନରକ୍ଷୀଙ୍କୁ ନିଲମ୍ବନ କରାଯାଇଥିବା ବେଳେ ବନାଞ୍ଚଳ ଅଧିକାରୀଙ୍କୁ କୈଫୟତ୍‍ ତଲବ କରାଯାଇଥିଲା। ସେବେଠାରୁ ଦନ୍ତା ସୁଟର ବାବୁଲିର ଗତିବିଧି ସମ୍ପର୍କରେ ତଥ୍ୟ ଦେବାକୁ ବନଖଣ୍ଡ ଅଧିକାରୀ ସୁଶ୍ରୀ ଲେଙ୍କା ସୁଚନା ପ୍ରଦାନକାରୀଙ୍କୁ ଲଗାଇଥିଲେ। କିଛିଦିନ ଧରି ବାବୁଲି ଦନ୍ତାକୁ ଠାବ କରିବା ପାଇଁ ଜଙ୍ଗଲରେ ଘୁରି ବୁଲୁଥିବା ସମ୍ପର୍କରେ ବନବିଭାଗ ପାଖରେ ଖବର ପହଞ୍ଚିଥିଲା। ତେଣୁ ଗତକାଲି ନରସିଂହପୁର ଅଞ୍ଚଳର ଏକ ଜଙ୍ଗଲିଆ ସ୍ଥାନରୁ ବାବୁଲିକୁ ବନଖଣ୍ଡ ଅଧିକାରୀ ସୁଶ୍ରୀ ଲେଙ୍କା ଓ ସ୍ୱତନ୍ତ୍ର ଦଳ କାବୁ କରିନେଇଥିଲା। ପରେ ବନ୍ଧୁକ ଲୁଚାଇ ରଖିଥିବା ସ୍ଥାନକୁ ଦେଖାଇଥିଲା। ସେଠାରୁ ବନ୍ଧୁକ, ହରିଣଛାଲ ଓ ଶିଙ୍ଘକୁ ଜବତ କରିବା ସହ ବାବୁଲିକୁ ଗିରଫ କରାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories