ଭୁବନେଶ୍ବର : କୋହଲା ପାଗ ସାଙ୍ଗକୁ ଅଦିନିଆ ବର୍ଷା ମାଡ଼ରେ ସାରା ରାଜ୍ୟ ଥରୁଛି। ଦିନବେଳା ମାଡ଼ିଆସୁଛି ଅସମ୍ଭାଳ ଜାଡ଼। ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଘଟିନାହିଁ; ଦିନର ପାରଦ ଖସୁଛି। ଦିନର ସର୍ବାଧିକ ତାପମାତ୍ରା କେନ୍ଦୁଝର ସମେତ ଅନ୍ୟ କେତେକ ଅଞ୍ଚଳରେ ୧୫କୁ ଖସିଛି। ଦିନ ତମାମ ଆକାଶକୁ ମେଘ ଢ଼ାଙ୍କି ରହୁଥିବାବେଳେ ଥଣ୍ଡା ପବନ ଓ ବର୍ଷା ମାଡ଼ରେ ସ୍ବାଭାବିକ ଜୀବନଯାତ୍ରା ପ୍ରଭାବିତ ହୋଇଛି।
ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଟ୍ରଫଲାଇନ ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ଗତ ତିନି ଦିନ ହେଲା ରାଜ୍ୟର ଅଧିକାଂଶ ଜିଲାରେ ବର୍ଷା ପବନ ଲାଗିରହିଛି। ମେଘୁଆ ପାଗ, ଥଣ୍ଡା ପବନ ଓ ଝିପିଝିପି ବର୍ଷା ଯୋଗୁଁ ଆଜି ଦିନର ସର୍ବାଧିକ ତାପମାତ୍ରା ଅଧିକାଂଶ ସ୍ଥାନରେ ୨୦ଡ଼ିଗ୍ରୀ ତଳକୁ ଖସିଛି। ଦିନବେହଳା ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ିଛି। ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ଏଭଳି ସ୍ଥିତି ଲାଗିରହିବ। ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ ଓ ନୟାଗଡ଼ର କିଛି ସ୍ଥାନରେ ବଜ୍ରପାତ ସହିତ ୩୦ରୁ ୪୦କିମି ବେଗରେ ପବନ ବହିବ। ବର୍ଷା ଆଉ ୨୪ଘଣ୍ଟା ମଧ୍ୟ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ନବରଙ୍ଗପୁର, କଳାହାଣ୍ଡି, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜରେ ବର୍ଷା ହୋଇପାରେ। ବିଶେଷ କରି ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଢ଼େଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, କନ୍ଧମାଳ ଓ ନୟାଗଡ଼ରେ ଘଡ଼ଘଡ଼ି ସହିତ ବର୍ଷା ହେବ। କେତେକ ସ୍ଥାନରେ ୩୦ରୁ ୪୦କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏସବୁ ଜିଲାପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହିତ ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ସୋନପୁର ଓ କଳାହାଣ୍ଡିରେ ଘନ କୁହୁଡ଼ି ଦେଖାଦେବାର ସମ୍ଭାବନା ରହିଛି।
ଭୁବନେଶ୍ବର ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ ୨୪ଘଣ୍ଟା ମଧ୍ୟରେ ବଲାଙ୍ଗୀରରେ ସର୍ବାଧିକ ୩୫ମିମି ବର୍ଷା ରେକର୍ଡ଼ କରାଯାଇଥିବାବେଳେ କେନ୍ଦୁଝରଗଡ଼ରେ ୩୮, ସମ୍ବଲପୁରରେ ୨୪, ସୁନ୍ଦରଗଡ଼ରେ ୧୪, ହୀରାକୁଦରେ ୨୫, ଟିଟିଲାଗଡ଼ରେ ୧୮, ସୋନପୁରରେ ୩୮, ନୟାଗଡ଼ରେ ୧୫, ବୌଦ୍ଧରେ ୨୪, ବାଲେଶ୍ବରରେ ୧୦ ମିମି ବର୍ଷା ହୋଇଛି। ରାଜ୍ୟର ୨୦ରୁ ଅଧିକ ଜିଲା ବର୍ଷାରେ ପ୍ରଭାବିତ ହୋଇଛି। ରାଜ୍ୟରେ ସର୍ବନିମ୍ନ ତାପମାତ୍ରା କମି ନଥିଲେ ମଧ୍ୟ ଦିନବେଳେ ପାରଦ ଖସିବା ଯୋଗୁଁ ରାଜ୍ୟବ୍ୟାପୀ ଅସମ୍ଭାଳ ଜାଡ଼ ଅନୁଭୂତ ହୋଇଥିଲା।
ପରବର୍ତ୍ତୀ ୨୪ଘଣ୍ଟାରେ ଅନୁଗୋଳ, ସୋନପୁର, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବରରେ ରାତିର ସର୍ବନିମ୍ନ ତାପମାତ୍ରା କମିବା ସହିତ ଶୀତ ପ୍ରକୋପ ବଢ଼ିବ। ଏଥିସହିତ ସୁନ୍ଦରଗଡ଼, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ଅନୁଗୋଳ, ଢ଼େଙ୍କାନାଳ, ଭଦ୍ରକ ଓ କଟକରେ ଘନ କୁହୁଡ଼ି ଦେଖାଦେବ।
ଆସନ୍ତ ୧୦ତାରିଖରେ ପାଗ ଶୁଖିଲା ରହିବା ସହିତ ଅନୁଗୋଳ, ସୁନ୍ଦରଗଡ଼, ବଲାଙ୍ଗୀର, ବାଲେଶ୍ବର ଓ ମୟୂରଭଞ୍ଜରେ ସର୍ବନିମ୍ନ ତାପମାତ୍ରା ୩ରୁ ୪ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି।
ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଓ କୋରାପୁଟରେ ଘନ କୁୁହୁଡ଼ି ଅନୁଭୂତ ହେବାର ସମ୍ଭାବନା ଥିବାରୁ ଯାନବାହନ ଚଳାଚଳ ବ୍ୟାହତ ହେବାର ସମ୍ଭାବନା ରହିଛି। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ଏସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ରାଜ୍ୟର ୨୮ଟି ପାଣିପାଗ କେନ୍ଦ୍ର ମଧ୍ୟରୁ ସବୁଠି ସର୍ବନିମ୍ନ ତାପମାତ୍ରା ୧୦ରୁ ୨୦ଡ଼ିଗ୍ରୀ ମଧ୍ୟରେ ରହିଛି। ମାତ୍ର ସର୍ବାଧିକ ତାପମାତ୍ରା ଅର୍ଦ୍ଧାଧିକ ଜିଲାରେ ୨୦ ତଳକୁ ଖସିଯାଇଛି। ଆସନ୍ତା ୨୪ଘଣ୍ଟା ପରେ ସର୍ବନିମ୍ନ ତାପମାତ୍ରା ୪ଡ଼ିଗ୍ରୀ ପର୍ଯ୍ୟନ୍ତ ବଢ଼ିବା ସହିତ ଶୀତ ପ୍ରକୋପ ପୁଣି ଲେଉଟିବାର ସମ୍ଭାବନା ରହିଛି।



