www.samajalive.in
Tuesday, December 9, 2025
16.1 C
Bhubaneswar

ସଫେଇନାଳରୁ ଯୁବତୀଙ୍କ ଗଳିତ ମୃତଦେହ ଜବତ : ହତ୍ୟା ମାମଲା ରୁଜୁ କଲା ପୁଲିସ

ପିପିଲି : ପିପିଲି ଥାନା ସାତଶଙ୍ଖ ଫାଣ୍ଡି ଅନ୍ତର୍ଗତ ଠଣଠଣା ଓ ସୋଲଣା ଗ୍ରାମ ମଧ୍ୟବର୍ତ୍ତି ଅଞ୍ଚଳରେ ଥିବା ତେଇସିପୁର-ନଡାଖଣ୍ଡ ସଫେଇନାଳରୁ ଗୁରୁବାର ଅପରାହ୍ନରେ ପୁଲିସ ଜଣେ ଯୁବତୀଙ୍କ ଗଳିତ ମୃତଦେହ ଜବତ କରିଛି। ତେବେ ପାରିପାର୍ଶ୍ବିକ ଅବସ୍ଥାରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସାଧାରଣରେ ସନ୍ଦେହ ପ୍ରକାଶ ପାଇଥିବା ବେଳେ ପୁଲିସ ମୃତଦେହର ପଞ୍ଚାନାମା କରି ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇ ଘଟଣାର ତଦନ୍ତ ଚଳାଇଛି। ମୃତା ଯୁବତୀଙ୍କ ନାମ ମମତା ଭୋଇ (୨୯) ଓ ତାଙ୍କ ଘର ଭୁବନେଶ୍ୱର ବରଗଡ ବ୍ରିଟ୍‍ କଲୋନୀ ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି। ତେବେ ମମତାଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ଭାଇ ଆଜି ରାତିରେ ପିପିଲି ପୁଲିସରେ ଲିଖିତ ଅଭିଯୋଗ କରିଥିବା ବେଳେ ପୁଲିସ ଏନେଇ କେଶ୍‍ ନଂ- ୨୯ରେ ଆଇପିସିର ଧାରା ୩୦୨, ୩୪ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ପ୍ରାପ୍ତ ସୂଚନା ଅନୁସାରେ, ତେଇସିପୁର-ନଡାଖଣ୍ଡ ସଫେଇନାଳର ଉକ୍ତ ନିକାଞ୍ଚନ ସ୍ଥାନକୁ ଗୁରୁବାର ସକାଳେ ମାଛ ଧରିବାକୁ ଯାଇଥିବା କିଛି ଲୋକ ଦଳଭର୍ତ୍ତି ପାଣି ମଧ୍ୟରେ ଯୁବତୀଙ୍କ ଗଳିତ ମୃତଦେହ ଭାସୁଥିବାର ଦେଖି ପୁଲିସକୁ ଖବର ଦେଇଥିଲେ। ପିପିଲି ଆଇଆଇସି ଶରତ କୁମାର ସାହୁ, ଏସ୍‍ଆଇ ସଂଘମିତ୍ରା ଚାନ୍ଦ ଓ ସାତଶଙ୍ଖ ଫାଣ୍ଡି ଅଧିକାରୀ ନାରାୟଣ ବେହେରା ପ୍ରମୁଖ ସାଇଣ୍ଟିଫିକ୍‍ ଟିମ୍‍ ସହ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପାଣି ମଧ୍ୟରୁ ଜବତ କରିଥିଲେ। ସାଲ୍‍ୱାର ପଞ୍ଜାବୀ ପିନ୍ଧିଥିବା ଉକ୍ତ ଯୁବତୀଙ୍କ ଶବଟି ସଂପୂର୍ଣ୍ଣ ଭାବେ ପଚି ଯାଇଥିବା ବେଳେ ଶବ ନିକଟରେ ପଡିଥିବା ଏକ ବ୍ୟାଗ୍‍ରୁ ଆଧାର କାର୍ଡ ମିଳିଥିଲା। ଉକ୍ତ ଆଧାର କାର୍ଡଟି ଜନୈକା ମମତା ଭୋଇ(୨୯)ଙ୍କର ହୋଇଥିବା ବେଳେ ତାଙ୍କ ଠିକଣା ଭୁବନେଶ୍ୱର ବରଗଡ ବ୍ରିଟ୍‍ କଲୋନୀ ଅଞ୍ଚଳରେ ହୋଇଥିବା ଜାଣିବା ପରେ ପିପିଲି ପୁଲିସ କମିଶନରେଟ୍‍ ପୁଲିସ ସହ ଯୋଗାଯୋଗ କରିଥିଲା। ମମତାଙ୍କ ପରିବାର ଲୋକେ ଘଟଣାସ୍ଥଳରେ ସଂନ୍ଧ୍ୟାରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ। ଏନେଇ ପୁଲିସ ପ୍ରଥମେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତେବେ ରାତିରେ ମୃତାଙ୍କ ଭାଇ ଚନ୍ଦନ ଭୋଇଙ୍କ ଲିଖିତ ଅଭିଯୋଗ ଉପରେ ପୁଲିସ ହତ୍ୟା ମାମଲା ରୁଜୁ କରିଥିବା ସଂପର୍କରେ ଆଇଆଇସି ଶ୍ରୀସାହୁ ସୂଚନା ଦେଇଛନ୍ତି। ଗତ ୨୨ ତାରିଖ ଠାରୁ ମୃତା ଯୁବତୀ ଜଣକ ଘରୁ ନିଖୋଜ ଥିବା ଓ ତାକୁ ଜନୈକ ଯୁବକ ସିଲୁ ମଲ୍ଲିକ ଅନ୍ୟ କେତେକଙ୍କ ସହ ମିଶି ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories