www.samajalive.in
Monday, December 8, 2025
14.1 C
Bhubaneswar

ସାଧାରଣତନ୍ତ୍ର ଦିବସ- କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଜାନୁଆରୀ ୨୬ରେ ଆମ ଦେଶ ୭୧ ତମ ସାଧାରଣ ତନ୍ତ୍ର ଦିବସ ପାଳନ କରିବ। ୧୯୫୦ ଜାନୁୟାରୀ ୨୬ରେ ଦେଶରେ ସମ୍ବିଧାନ ଲାଗୁ ହୋଇଥିବାରୁ ଏହି ଦିନକୁ ଗଣତନ୍ତ୍ର ବା ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରାଯାଇଆସୁଛି। ଏହି ଅବସରରେ ରାଜଧାନୀ ଦିଲ୍ଲୀଠାରୁ ଆରମ୍ଭ କରି ପଲ୍ଲୀ ପର୍ଯ୍ୟନ୍ତ ସବୁଠି ତ୍ରିରଙ୍ଗା ଉତ୍ତୋଳନ କରାଯିବା ସହିତ ସମ୍ବିଧାନ କାର୍ଯ୍ୟକାରୀ ହେବାର ସେହି ମଧୁର ସ୍ମୃତିକୁ ଦେଶବାସୀ ସ୍ମରଣ କରିଥାନ୍ତି। ସାଧାରଣ ତନ୍ତ୍ର ଦିବସ ସହ ଜଡ଼ିତ କିଛି ଗୁରୁିତ୍ୱପୂର୍ଣ୍ଣ ତଥ୍ୟ ବିଷୟରେ ଆସନ୍ତୁ ଜାଣିବା…
ଭାରତର ସମ୍ବିଧାନ ସଭା ୨୬ ନଭେମ୍ବର ୧୯୪୯ରେ ଭାରତର ସମ୍ବିଧାନକୁ ସ୍ୱୀକାର କରିଥିଲା। ମାତ୍ର ୨୬ ଜାନୁଆରୀ ୧୯୫୦ରେ ଭାରତର ସମ୍ବିଧାନ ସମ୍ପୂର୍ଣ୍ଣ ଭାବେ ଦେଶରେ ଲାଗୁ ହୋଇଥିଲା। ଏହା ପରେ ଭାରତ ବିଶ୍ୱରେ ନିଜର ନୂତନ ପରିଚୟ ସୃଷ୍ଟି ପାଇଁ ପାଦ ଆଗକୁ ଅଗ୍ରସର କରିଥିଲା।
ଭାରତର ସମ୍ବିଧାନ ବିଶ୍ୱର ଅନ୍ୟ ଗଣତାନ୍ତ୍ରିକ ରାଷ୍ଟ୍ରର ସମ୍ବିଧାନ ତୁଳନାରେ ସବୁଠାରୁ ଲମ୍ବା ଲିଖିତ ସମ୍ବିଧାନ ଅଟେ।
ଗଣତନ୍ତ୍ରର ଅର୍ଥ ହେଉଛି ଜନତାଙ୍କର, ଜନତାଙ୍କ ଦ୍ୱାରା, ଜନତାଙ୍କ ପାଇଁ ଶାସନ। ଏହି ଦିନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମସ୍ତ ଜାତି ଏବଂ ଧର୍ମର ଲୋକେ ଏହାକୁ ମିଳିମିଶି ପାଳନ କରିଥାଆନ୍ତି। ଭାରତ ହେଉଛି ଲୋକତାନ୍ତ୍ରିକ ଦେଶ। ଦେଶର ସମ୍ବିଧାନ ରାଜନୀତିକ ନେତାଙ୍କୁ ଚୟନ କରିବାର ଅଧିକାର ଦେଶର ସାଧାରଣ ଜନତାଙ୍କ ଉପରେ ନ୍ୟସ୍ତ କରିଛି। ଡ. ରାଜେନ୍ଦ୍ର ପ୍ରସାଦ ଭାରତର ପ୍ରଥମ ରାଷ୍ଟ୍ରପତି ଥିଲେ। ସେ କହିଥିଲେ, ଆମେ ଗୋଟିଏ ସମ୍ବିଧାନ ଓ ସଂଘରେ ଆମର ପୁଣ୍ୟ ମହାନ ଓ ବିଶାଳ ଦେଶର ଅଧିକାରକୁ ପାଇଛୁ, ଯାହା ଦେଶରେ ବାସ କରୁଥିବା ପ୍ରତ୍ୟେକ ଲୋକଙ୍କ କଲ୍ୟାଣର ଦାୟିତ୍ୱ ନେଇଥାଏ।
କୁହାଯାଏ, ଦୁନିଆରେ ସେହି ଦେଶ ସବୁଠାରୁ ଅଧିକ ଶକ୍ତିଶାଳୀ, ଯେଉଁ ଦେଶର ନାଗରିକ ନିଜ ଦେଶ ପ୍ରତି ନିଷ୍ଠାବାନ ହେବା ସହ ଅଧିକ ଭଲ ପାଇବା ପ୍ରଦାନ କରିଥାଆନ୍ତି। ଦେଶଭକ୍ତି ଏପରି ଏକ ଭାବନା, ଯେଉଁଥିରେ ଭଲପାଇବା ରହିବା ସ୍ୱଭାବିକ। ଦେଶର ନାଗରିକ ହେବା ସହ ଆମ ଭିତରେ ଦେଶଭକ୍ତିର ଗୁଣ ରହିବା ନିତାନ୍ତ ଆବଶ୍ୟକ। ଦେଶ ସ୍ୱାଧୀନ ହେବା ପରେ ଆମର ଖୁବ୍‍ ବିକାଶ ହୋଇଛି। ଅନ୍ୟ ଶକ୍ତିଶାଳୀ ଦେଶ ମଧ୍ୟରେ ଆମ ଦେଶ ମଧ୍ୟ ଗଣାଯାଏ।
ସାଧାରଣତନ୍ତ୍ର ଦିବସ ଆମ ଦେଶର ଏକ ବୃହତ୍ତ ରାଷ୍ଟ୍ରୀୟ ପର୍ବ ଅଟେ। ଆମ ଦେଶରେ ବହୁ ଧର୍ମ, ଜାତି, ସମ୍ପ୍ରଦାୟ, ଭିନ୍ନ ଭିନ୍ନ ଭାଷାର ଲୋକେ ରହିଛନ୍ତି। ଦେଶର ବିକାଶ ହିଁ ସଭିଁଙ୍କ ପ୍ରଧାନ ଲକ୍ଷ୍ୟ ଅଟେ। ଦେଶର ବିକାଶରେ ସମ୍ବିଧାନର ମୁଖ୍ୟ ଭୂମିକା ରହିଛି। ସମ୍ବିଧାନ ରହିଥିବା କାରଣରୁ ସଂପୂର୍ଣ୍ଣ ଦେଶ ବିପଦ ସମୟରେ ଏକଜୁଟ ହୋଇଯାଇଥାଏ।
ଆମେ ଏହି ଦେଶର ନାଗରିକ ହୋଇଥିବାରୁ ଏକ ନିଷ୍ଠାପର ଓ ଦେଶଭକ୍ତ ନାଗରିକ ହେବା ଉଚିତ। ଦେଶ ପାଇଁ ପ୍ରତ୍ୟକ୍ଷ ଭାବେ ହେଉ ଅଥବା ପରୋକ୍ଷ ଭାବେ ସେବା କରିବା ଉଚିତ।
ପ୍ରତିବର୍ଷ ଏହି ଦିନଟିକୁ ଧୂମଧାମରେ ପାଳନ କରାଯାଇଥାଏ। ବିଶେଷ କରି ଦିଲ୍ଲୀର ଇଣ୍ଡିଆ ଗେଟ ଠାରେ ବହୁତ ଜନତା ଏକତ୍ରିତ ହୋଇଥାଆନ୍ତି। ଏହି ଦିନ ରାଷ୍ଟ୍ରପତିଙ୍କୁ ଜଳ, ସ୍ଥଳ ଓ ବାୟୁ ସେନା ଦ୍ୱାରା ପରେଡ଼ ପ୍ରଦର୍ଶନ କରାଯାଇ ଅଭିବାଦନ ପ୍ରଦାନ କରାଯାଇଥାଏ। ବିଭିନ୍ନ ରାଜ୍ୟରୁ କଳାକାରମାନେ ନିଜ କଳାର ପ୍ରଦର୍ଶନ କରିଥାଆନ୍ତି।
ବିଦ୍ୟାଳୟ, ମହାବିଦ୍ୟାଳୟ, କାର୍ଯ୍ୟାଳୟମାନଙ୍କରେ ମଧ୍ୟ ଏହି ଦିବସଟିକୁ ଖୁବ ଆଡ଼ମ୍ବର ସହ ପାଳନ କରାଯାଇଥାଏ। ଜାତୀୟ ପତାକା ଉତ୍ତୋଳନ କରାଯାଇ ଜାତୀୟ ସଙ୍ଗୀତ ଗାନ କରାଯାଏ। ମିଠା ଦ୍ରବ୍ୟ ବଣ୍ଟନ କରାଯାଏ। ବିଦ୍ୟାଳୟମାନଙ୍କରେ ପିଲାମାନେ ଭିନ୍ନ ଭିନ୍ନ ନୃତ୍ୟ, ସଙ୍ଗୀତ ପରିବେଶଣ କରିବା ସହ ଭାଷଣ ସଭାର ମଧ୍ୟ ଆୟୋଜନ କରାଯାଇଥାଏ।
ଆମେ ନିଜର କର୍ତ୍ତବ୍ୟକୁ ବୁଝି ଦେଶକୁ ଉନ୍ନତି ଆଡ଼କୁ ଅଗ୍ରସର କରିବା ପାଇଁ ତଥା ଦେଶର ରକ୍ଷା କରିବା ଲାଗି ପ୍ରତିଜ୍ଞା କରିବା ଉଚିତ। ଆମେ ଆମ ସମ୍ବିଧାନ ପ୍ରତି ନିଷ୍ଠାପର ରହିବା ଉଚିତ। ଏହି ଦିନ ଆମ ଦେଶ ପାଇଁ ପବିତ୍ର ଓ ଏହା ଆମକୁ ଦେଶଭକ୍ତି ପାଇଁ ପ୍ରେରଣା ଦେଇଥାଏ।
ଆଲେଖ୍ୟ ସସ୍ମିତା ମହାନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories