କାର୍ତ୍ତିଙ୍କ ଅଡ଼ୁଆ ବଢ଼ିଲା
ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍ଙ୍କ ପୁଅ କାର୍ତ୍ତି ଚିଦମ୍ବରମ୍ଙ୍କ ନାମରେ ଲଣ୍ଡନରେ ଆଉ ଦୁଇଟି ଗୁପ୍ତ ଆକାଉଣ୍ଟ ଥିବା ଜଣାପଡ଼ିଛି। ଏହାପରେ କାର୍ତ୍ତିଙ୍କ ନାମରେ ସାନି ମାମଲା ରୁଜୁ କରିବାକୁ ଆଇଟି ବିଭାଗକୁ ପ୍ରବର୍ତ୍ତନ ନିର୍ଦେଶାଳୟ ନିର୍ଦ୍ଦେଶ ଦେଇଛି। ୨୦୧୬ ଜୁନ୍ ମାସରେ କାର୍ତ୍ତି ଲଣ୍ଡନ୍ରେ ଏହି ଦୁଇ ଆକାଉଣ୍ଟ ଖୋଲିଥିଲେ। ଏୟାରସେଲ୍-ମାକ୍ସିସ୍ ଲାଞ୍ଚ ମାମଲାରେ ତାଙ୍କ ସମ୍ପୃକ୍ତି ଥିବା ଅଭିଯୋଗରେ ସିବିଆଇ ଓ ଇଡି ଅନୁସନ୍ଧାନ ଆରମ୍ଭ କରିବା ପରେ ୨୦୧୭ ଜୁନ୍ରେ କାର୍ତ୍ତି ସେହି ଆକାଉଣ୍ଟ ଦୁଇଟିକୁ ବନ୍ଦ କରି ଦେଇଥିଲେ। ୨୦୧୮, ଏପ୍ରିଲ୍ ୧୦ ତାରିଖରେ ଜେରା ବେଳେ କାର୍ତ୍ତି ଆକାଉଣ୍ଟ ବିଷୟରେ ସ୍ୱୀକାର କରିଥିଲେ। କାର୍ତ୍ତି ଏହି ଆକାଉଣ୍ଟ ବିଷୟରେ ଆଇଟି ରିଟର୍ଣ୍ଣରେ ଦର୍ଶାଇ ନାହାନ୍ତି ବୋଲି ଇଡି କହିଛି। ଅପରପକ୍ଷରେ ଆକାଉଣ୍ଟ ବିଷୟରେ ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଛନ୍ତି ବୋଲି କାର୍ତ୍ତି କହିଛନ୍ତି। ଲଣ୍ଡନ୍ ଓ ଆମେରିକାରେ ୯.୪୫ କୋଟି ଟଙ୍କାର କାରବାର ଓ କଳାଟଙ୍କା ମାମଲାରେ କାର୍ତ୍ତି, ତାଙ୍କ ପତ୍ନୀ ଶ୍ରୀନିଧି ଓ ମା ନଳିନୀଙ୍କ ନାମରେ ଆଇଟି ୪ଟି ମାମଲା ରୁଜୁ କରିଛି।