ପୁଞ୍ଜିନିବେଶ କାର୍ଯ୍ୟକାରୀ କରିବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ:ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: ରାଜ୍ୟରେ ଶିଳ୍ପ ବିକାଶ ତ୍ୱରାନ୍ୱିତ ହୋଇଛି ଏବଂ ପୁଞ୍ଜିନିବେଶ କାର୍ଯ୍ୟକାରୀ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହୋଇପାରିଛି। ସଚିବାଳୟରେ ଏକ ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ଶିଳ୍ପ ସଂସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଏହି ଦ୍ୱିତୀୟ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୧୨ଟି ୟୁନିଟର ଭିତ୍ତିପ୍ରସ୍ତର ସ୍ଥାପନ ସହ ୭ଟି ମାନୁଫାକ୍‍ଚରିଂ ୟୁନିଟର ଉଦ୍‍ଘାଟନ କରିଥିଲେ। ଏହାଦ୍ୱାରା ୨,୬୭୫ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ବାସ୍ତବ ରୂପ ନେଇଛି। ଏହି ସମସ୍ତ ୟୁନିଟ ମାଧ୍ୟମରେ ୮୯୫୩ ଲୋକଙ୍କୁ କର୍ମନିଯୁକ୍ତି ସୁଯୋଗ ମିଳିବ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କଟକ ଜିଲା ଚୌଦ୍ୱାରରେ ୧୪୦ କୋଟି ଟଙ୍କାର ତୋଷାଳି ସିମେଣ୍ଟସର ସିମେଣ୍ଟ ପ୍ରକଳ୍ପ, କଳାହାଣ୍ଡି ଜିଲା କେସିଙ୍ଗାରେ ସାଦିପାଲି ସୋଲାରର୧୨୧.୪୦କୋଟିର ସୋଲାର ପ୍ଲାଣ୍ଟ, ସମ୍ବଲପୁର ଜିଲା ରପଙ୍ଗାରେ ଅପାରା ଇଣ୍ଡଷ୍ଟ୍ରୀର ୭୫ କୋଟିର ଆଲୁମିନିୟମ ଓ ଆଲଏ କଣ୍ଡକ୍ଟର ପ୍ରକଳ୍ପ , ଖୋର୍ଦ୍ଧା ଜୟମଙ୍ଗଳପୁରରେ ଫାଲକନ ମେରାଇନର ୬୨ କୋଟି ଟଙ୍କା ମୂଲ୍ୟର ଫିଡ୍‍ ପ୍ଲାଣ୍ଟ, ସମ୍ବଲପୁର କେଂଘାଟିରେ ହିମାଦ୍ରୀ କେମିକାଲ୍ସ ଆଣ୍ଡ ଇଣ୍ଡଷ୍ଟ୍ରୀଜ ୫୬.୬୩ କୋଟି ଟଙ୍କାର ପ୍ରକଳ୍ପ, ଖୋର୍ଦ୍ଧା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ଇଣ୍ଡୋ ନିଷାନ ଫୁଡ୍ସ ପ୍ରାଇଭେଟ ଲି.ର ୫୦.୪୪ କୋଟି ମୂଲ୍ୟର ୟୁନିଟ ସଂପ୍ରସାରଣ ଓ ଡେରାସରେ ବି ୱାନ ବିଜିନେସ ହାଉସ୨୪କୋଟି ଟଙ୍କାର ସି ଫୁଡ ପ୍ରୋସେସିଂ ପ୍ରକଳ୍ପର ଉଦଘାଟନ କରିଛନ୍ତି।
ସେହିପରି ସେ ସମ୍ବଲପୁର ରେଙ୍ଗାଳିରେ ଶ୍ୟାମ ମେଟାଲିକ୍ସର ୮୭୦.୨୦ କୋଟି ଟଙ୍କାର ଷ୍ଟିଲ ମେକିଂ ପ୍ରକଳ୍ପ, ବାଲେଶ୍ୱରର ବାଳଗୋପାଳ ଇଣ୍ଡଷ୍ଟ୍ରିିଆଲ ଇଷ୍ଟେଟରେ ଇମାମି ପେପରର ୬୫୦ କୋଟି ଟଙ୍କାର ପ୍ରକଳ୍ପ, ଖୋର୍ଦ୍ଧା ଛତାବରରେ ମନପସନ୍ଦ ବେଭରେଜେସର ୧୪୦ କୋଟି ମୂଲ୍ୟର ପାନୀୟଜଳ ପ୍ଲାଣ୍ଟ, ଗଞ୍ଜାମ ଜୟଶ୍ରୀରେ ଗ୍ରାସିମ ଇଣ୍ଡଷ୍ଟିଜର ୧୧୦ କୋଟି ମୂଲ୍ୟର କଷ୍ଟିକ ସୋଡା ପ୍ରକଳ୍ପ, ତାଳଚେରରେ ପ୍ରାକୃତିକ କୋଲ ୱାସେରୀର ୧୦୪.୪୦ କୋଟି ମୂଲ୍ୟର କୋଲ ୱାସେରୀ, ଛତ୍ରପୁରରେ ସରାଫ ଏଜେନ୍ସିର ୯୦.୯୭ କୋଟିର ଟିଟାନିୟମ ଡାଇଅକ୍ସାଇଡ ପ୍ଲା୍‍ଣ୍ଟ, ଚନ୍ଦକାରେ ମିଲ୍କ ମନ୍ତ୍ରାର ୬୦.୫ କୋଟି ଟଙ୍କା ମୂଲ୍ୟର ଦୁଗ୍ଧ ପ୍ରକ୍ରିୟାକରଣ ପ୍ରକଳ୍ପ, ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଶାହି ଏକ୍ସପୋର୍ଟ୍ସର ୫୧ କୋଟି ମୂଲ୍ୟର ପୋଷାକ ପ୍ରସ୍ତୁତି ପ୍ରକଳ୍ପ, ଖୋର୍ଦ୍ଧା ଅଁଳାପାଟଣାରେ କର୍ଲଅନର ୪୪.୫୦ କୋଟି ମୂଲ୍ୟର ଫୋମ ମ୍ୟାଟ୍ରେସ ପ୍ରସ୍ତୁତି ପ୍ରକଳ୍ପ, ନବରଙ୍ଗପୁରର ମୈଦାଳପୁରରେ ନବରଙ୍ଗପୁର ଷ୍ଟାର୍ଚ ଆଣ୍ଡ କେମିକାଲ୍ସର ୨୦ କୋଟି ଟଙ୍କା ମୂଲ୍ୟର ମକା ପ୍ରୋସେସିଂ ୟୁନିଟ, ଚନ୍ଦକାରେ ପ୍ରଗତି ମିଲ୍କର ୨.୬୪ କୋଟି ଟଙ୍କା ମୂଲ୍ୟର ଶୀତଳ ଭଣ୍ଡାର ଏବଂ ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ପ୍ରାଇମ ଫୁଡ ଟେକ୍‍ର ୧.୯୦ କୋଟି ଟଙ୍କା ମୂଲ୍ୟର ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାର ଶିଳ୍ପ ବିକାଶ କ୍ଷେତ୍ରରେ ୨୦୧୬ର ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ ଏକ ମାଇଲଖୁଣ୍ଟ ଥିଲା। ଏହା ଖଣି, ମେଟାଲ ଓ ଶକ୍ତି ଭଳି ପାରମ୍ପରିକ କ୍ଷେତ୍ର ବ୍ୟତୀତ ଅନ୍ୟ କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶ ଆଗ୍ରହ ସୃଷ୍ଟିରେ ସହାୟକ ହୋଇଥିଲା। ୨୦୧୭ ନଭେମ୍ବର ୧୬ରେ ପ୍ରଥମ ଭିତ୍ତିପ୍ରସ୍ତର ସ୍ଥାପନ ସମୟର ୨ଟି ପ୍ରକଳ୍ପକୁ ଆଜି ଉଦ୍‍ଘାଟନ କରାଯାଇଛି। ଆଉ ୬ ମାସରୁ ସାମାନ୍ୟ ଅଧିକ ସମୟ ମଧ୍ୟରେ ସେଗୁଡ଼ିକରୁ ଉତ୍ପାଦନ ଆରମ୍ଭ ହେବ। ପୁଞ୍ଜିନିବେଶ କାର୍ଯ୍ୟକାରିତା କ୍ଷେତ୍ରରେ ଓଡ଼ିଶା ୧ ନମ୍ବର ରାଜ୍ୟ ଭାବେ ନିଜକୁ ପ୍ରମାଣିତ କରିଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ-୨୦୧୮ର ଲୋଗୋ ଉନ୍ମୋଚନ କରିଥିଲେ। ଏହି ଦ୍ୱିତୀୟ ସଂସ୍କରଣ ଦ୍ୱିବାର୍ଷିକ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ ୨୦୧୮ ଭୁବନେଶ୍ୱରରେ ଆସନ୍ତା ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ହେବ।
ଶିଳ୍ପ ବିକାଶ କ୍ଷେତ୍ରରେ ଭିଜନ-୨୦୨୫ର ଅଂଶ ସ୍ୱରୂପ ୨.୫ଲକ୍ଷ କୋଟି ଟଙ୍କାର ନୂଆ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ସହ ୩୦ ଲକ୍ଷ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ସରକାର ସମସ୍ତ ପ୍ରମୁଖ କ୍ଷେତ୍ରରେ ଶିଳ୍ପ ବିକାଶକୁ ଗୁରୁତ୍ୱ ଦେଉଛନ୍ତି। ବିଭିନ୍ନ କ୍ଷେତ୍ର ପାଇଁ ବ୍ୟବସାୟିକ ଅନୁକୂଳ ସ୍ଥିତି ଏବଂ ବିଶ୍ୱଶ୍ରେଣୀୟ ଭିତ୍ତିଭୂମି ବିକାଶ ନିବେଶକଙ୍କୁ ଆକୃଷ୍ଟ କରିପାରିଛି। ଓଡ଼ିଶାରେ ୟୁନିଟ ସ୍ଥାପନ ଓ ପରିଚାଳନାକୁ ଅଧିକ ସହଜ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ୩ବର୍ଷ ହେଲା ବ୍ୟବସାୟ ସଂସ୍କାର କାର୍ଯ୍ୟକ୍ରମ ଚାଲୁ କରିଛନ୍ତି। ଏହି କାରଣରୁ ୨୦୧୬ର ଇଜ୍‍ ଅଫ ଡୁଇଙ୍ଗ ବିଜିନେସ୍‍ ରିପୋର୍ଟରେ ୯୨.୭୩ ସ୍କୋର ସହ ଓଡ଼ିଶା ‘ଲିଡର’ ଭାବେ ସ୍ୱୀକୃତି ପାଇଛି। ଏହାବ୍ୟତୀତ ପୁଞ୍ଜିନିବେଶ ପ୍ରସ୍ତାବ କାର୍ଯ୍ୟକାରୀ କରିବାରେ ଆସୋଚାମ ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟ ଭାବେ ମାନ୍ୟତା ଦେଇଛି। ଏହା ଦେଶର ତିନିଟି ରାଜ୍ୟ ମଧ୍ୟରେ ସ୍ଥାନିତ ହୋଇଛି। ୨୦୧୬-୧୭ରେ ଜାତୀୟ ଜିଏସଡିପି ଅଭିବୃଦ୍ଧି ହାର ୭.୧ ଥିବାବେଳେ ଓଡ଼ିଶାର ଜିଏସଡିପି ଅଭିବୃଦ୍ଧି ୭.୯୪ ରହିଛି। ଯାହା ଜାତୀୟ ହାର ଠାରୁ ଯଥେଷ୍ଟ ଅଧିକ।
ଉତ୍ସବରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିଶନର ଆର.ବାଲକ୍ରିଷ୍ଣନ, ଶିଳ୍ପ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply