www.samajalive.in
Sunday, December 7, 2025
14.1 C
Bhubaneswar

ସେଣ୍ଟ୍ରାଲ ଟିମ ସିନା ପ୍ରତି ମାସରେ ଆସନ୍ତେ……

ବଡ଼ସାହି: ସେଣ୍ଟ୍ରାଲ ଟିମ ସିନା ପ୍ରତି ମାସରେ ଆସନ୍ତେ…. ଶନିବାର ବଡ଼ସାହି ଡ଼ାକ୍ତରଖାନାରେ ସ୍ୱାସ୍ଥ୍ୟସେବା ପାଇଁ ଅପେକ୍ଷାରେ ଥିବା ରୋଗୀ ଓ ତାଙ୍କ ଆତ୍ମୀୟଙ୍କ ପ୍ରତ୍ୟକଙ୍କ ମୁହଁରେ ଥିଲା ଏହି କଥା। ଅନ୍ୟ ଦିନ ମାନଙ୍କ ଠାରୁ ଡ଼ାକ୍ତରଖାନା ପରିବେଶ ଥିଲା ଆଜି ପୁରା ଅଲଗା ଅଲଗା। ପାଚେରୀ ଓ ପ୍ରବେଶ ଦ୍ୱାର ଠାରୁ ଆରମ୍ଭ କରି କାଜୁଆଲଟି,ଓେଟିଂ ହଲ, ଡ଼ାକ୍ତରଙ୍କ ଚାମ୍ପର, ଔଷଧ ବିତରଣ କେନ୍ଦ୍ର, ୱାର୍ଡ଼, ରୋଗୀଙ୍କ ଶଯ୍ୟା, ପାନୀୟଜଳ ଓ ପରିମଳ ବ୍ୟବସ୍ଥା ସବୁ କିଛି ଟିପଟପ୍‍। ନୂତନ ଗୃହ ପ୍ରତିଷ୍ଠା ବା ଗୃହ ପ୍ରବେଶ ପରି ଲାଗୁଥିଲା ସମସ୍ତଙ୍କୁ। ମହିଳା ସ୍ୱାସ୍ଥ୍ୟକର୍ମୀ, ଷ୍ଟାଫନର୍ସଙ୍କ ଠାରୁ ଆରମ୍ଭ କରି ଆଶାକର୍ମୀ ପର୍ୟ୍ୟନ୍ତ ସମସ୍ତେ ଡ୍ରେସକୋର୍ଡ଼ରେ ଥିବା ବେଳେ ନୂତନ ବସ୍ତ୍ର ପରିଧାନ କରିଥିଲେ। କାରଣ ଜିଲାର ସ୍ୱାସ୍ଥ୍ୟ ସେବା ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଦଳ ପରିଦର୍ଶନରେ ବଡ଼ସାହି ବ୍ଲକ ଗସ୍ତ କାର୍ୟ୍ୟକ୍ରମ ପାଇଁ ସମସ୍ତେ ଚଳଚଞ୍ଚଳ। ଦୁର୍ଗାପୂଜା ଛୁଟି ପୂର୍ବରୁ ଏନେଇ ଆରମ୍ଭ ହୋଇଥିଲା ପ୍ରସ୍ତୁତି। ବଡ଼ସାହି ସମେତ ବ୍ଲକରେ ଥିବା ଦେଉଳିଆ, ଶାକୁଆ, କମଳାଶୋଳ, ସାନକେରକ ଓ ମାଣତ୍ରୀରେ ଥିବା ୫ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ୩୮ଟି ଏଏନଏମ ସେଣ୍ଟରର ଅଫିସ ଘର ସହିତ ଷ୍ଟାଫ କ୍ୱାଟର, ପାଚେରୀ, ସୂଚନା ବ୍ୟାନର ଓ ପ୍ରାଚୀର ଦୃଶ୍ୟ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ଓ ନୂତନ ରଙ୍ଗ ମରାଯାଇଥିଲା। ପ୍ରତ୍ୟେକଙ୍କ ମୁହଁରେ ସେଣ୍ଟ୍ରାଲ ଟିମ୍‍ ଭିଜିଟ୍ରୟ ଭୟ। ରାଜ୍ୟ ଠାରୁ ଆରମ୍ଭ କରି ଜିଲାର ତୁଙ୍ଗ ଅଧିକାରୀ ବାରମ୍ବାର ଗସ୍ତ ଓ ତାଗିଦ ପରେ ରୂପରେଖ ବଦଳିଗଲା। କେନ୍ଦ୍ରସରକାର ଜାତୀୟ ସ୍ଥାସ୍ଥ୍ୟ ମିଶନ ଜରିଆରେ ପ୍ରଦାନ କରୁଥିବା ଅନୁଦାନ ତଳସ୍ତରରେ କିପରି ଖର୍ଚ୍ଚ ହେଉଛି, ତା’ର ଅନୁଧ୍ୟାନ ପାଇଁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କମନରିଭ୍ୟୁ ମିଶନର ଏକ ପ୍ରତିନିଧି ଦଳ ଶନିବାର ବଡ଼ସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ ଆସି ଫେରିଛନ୍ତି। ଏହି ଟିମ୍‍ ରେ ଜିଲା ପ୍ରୋଗ୍ରାମ ମ୍ୟାନେଜର ଅନୀଲ କୁମାର ମହାନ୍ତି, ଡାକ୍ତର ଅରୁଣ ଅଗ୍ରୱାଲ, ଡାକ୍ତର ବନ୍ଦନା ମିଶ୍ର, ଡାକ୍ତର ଆର୍‍.ଆର୍‍ ଶତପଥ ଓ ପ୍ରମୋଦ କୁମାର ମିଶ୍ର ପ୍ରମୁଖ ପରିଦର୍ଶନରେ ଆସି ବଡ଼ସାହି ଅଙ୍ଗନବାଡି କେନ୍ଦ୍ରରେ ପହଞ୍ଚି ମା’ ଓ ଶିଶୁର ଯତ୍ନ, ଗାଁ କଲ୍ୟାଣ ସମିତିର କାର୍ୟ୍ୟ, ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଥିଲେ। ନିରାମୟ ଯୋଜନାରେ ଔଷଧ ବିତରଣ, ଉତ୍ତମ ସ୍ୱାସ୍ଥ୍ୟସେବା, ଡାକ୍ତରଖାନାରେ ରୋଗୀମାନଙ୍କ ପ୍ରତି ଉତ୍ତମ ବ୍ୟବହାର ପ୍ରଦର୍ଶନ ସମ୍ପର୍କରେ ବୁଝିଥିଲେ। ପରେ ଏହି ଦଳ ଦେଉଳିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ମଧ୍ୟାହ୍ନରେ ବଡ଼ସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଥିଲେ। ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଯୋଜନାରେ ଚାଲିଥିବା କୁଷ୍ଠ, ଯକ୍ଷ୍ମା, ଦୃଷ୍ଟି, ଛାୟା ଅନ୍ତରା, ପରିମଳ, ପାନୀୟଜଳ ବ୍ୟବସ୍ଥା ଓ ପରିବେଶ ସ୍ୱଚ୍ଛତା ଆଦି ବିଭିନ୍ନ ଯୋଜନା ସମ୍ପର୍କରେ ଅନୁଧ୍ୟାନ କରିବା ସହିତ ଯୋଜନାର ସଫଳ ରୂପାୟନ ଦିଗରେ ସ୍ଥିତି ପରଖିଥିଲେ। ଅପପୁଷ୍ଟି, ପାନୀୟଜଳ, ଶୀତଳୀକରଣ ଔଷଧ ଓ ଶୌଚାଳୟ କ୍ଷେତ୍ରରେ ସଜାଗ ରହିବାକୁ ସେମାନେ ପରାମର୍ଶ ଦେଇଥିଲେ। ଡାକ୍ତରଖାନାରେ ଖାଲି ପଡିଥିବା ବିଶେଷଜ୍ଞ ଡାକ୍ତର ପୂରଣ ପାଇଁ ଅଞ୍ଚଳବାସୀ ଯୁକ୍ତି ସହିତ ଦାବି କରିଥିଲେ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories