ମୁମ୍ବଇ: ମୁମ୍ବଇରେ ବର୍ଷାକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଗୁରୁବାର ଏବଂ ଶୁକ୍ରବାର ସହରରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ କରାଇବା ପରେ ଲୋକେ ଚିନ୍ତିତ ହୋଇପଡ଼ିଛନ୍ତି। ମୁମ୍ବଇ ସମେତ ପାର୍ଶ୍ଵବର୍ତ୍ତୀ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାବେଳେ ଏ ନେଇ ପାଣିପାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି। ବର୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୨ ଦିନ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି।
ପାଣିପାଗ ବିଭାଗ ସୂଚନା ଅନୁସାରେ, ମୁମ୍ବଇରେ ଗୁରୁବାର ସକାଳୁ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ୨୦୪ ମିଲିମିଟରରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଶୁକ୍ରବାର ମଧ୍ୟ ପ୍ରବଳ ବର୍ଷା ହୋଇପାରେ। ସେହିପରି ରାୟଗଡ଼ ଜିଲାରେ ଗୁରୁବାର ପ୍ରବଳ ଏବଂ ଶୁକ୍ରବାର ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ଆଶିଷ ଶେଲାର ଟ୍ବିଟ୍ କରି ପ୍ରବଳ ବର୍ଷା ବେହାର ସମ୍ଭାବନା ରହିଥିବାରୁ ମୁମ୍ବଇ, ଠାଣେ ଏବଂ କୋଙ୍କଡ଼ର ସମସ୍ତ ସ୍କୁଲ ଏବଂ କଲେଜ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି। ରାଜ୍ୟର ବିଭିନ୍ନ ଜିଲାର ଜିଲାପାଳମାନେ ସ୍ଥାନୀୟ ଅଞ୍ଚଳରେ ପରିସ୍ଥିତିକୁ ଦେଖି ଏ ସମ୍ପର୍କରେ ନିଷ୍ପତ୍ତି ନେବାକୁ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।



