ଲକ୍ଷ୍ନୌ: ବିବାହ ଉତ୍ସବ ସାରି ଘରକୁ ଫେରୁଥିବାବେଳେ ଏକ ସଡ଼କ ଦୁର୍ଘଟଣାରେ ୯ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଆହୁରି ୧୫ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଶିଶୁମାନଙ୍କ ସଂଖ୍ୟା ଅଧିକ। ଉତ୍ତରପ୍ରଦେଶର ହାପୁଡ଼ ନିକଟ ସାଦିକପୁର ଗାଁ ପାଖରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ହାପୁଡସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ, ଘୌଲାନା ଅଞ୍ଚଳର ଲୋଲେପୁର କୋଟଲା ନିବାସୀ ମେହରବାନଙ୍କ ଝିଅ ଗୁଲଫଶାଙ୍କର ରବିବାର ବିବାହ ଥିଲା। ମୀରଟ ଜିଲାର ନଙ୍ଗଲା ଗାଁରୁ ବରଯାତ୍ରୀ ଆସିଥିଲେ। ସେମାନେ ବୁଲନ୍ଦସହର ରୋଡ୍ ହାପୁଡ଼ସ୍ଥିତ ବଂଶ ଗାର୍ଡେନରେ ଆୟୋଜିତ ବିବାହ ଉତ୍ସବରେ ଯୋଗଦେଇଥିଲେ। ବିବାହ ଉତ୍ସବ ପରେ ରାତି ପ୍ରାୟ ୧୧ଟାରେ ବରଯାତ୍ରୀ ଦଳ ଏକ ପିକ୍ଅପ୍ ଭ୍ୟାନରେ ଗାଁକୁ ଫେରୁଥିଲେ। ହାପୁଡର ସାଦିକପୁର ଗାଁ ନିକଟରେ ଦ୍ରୁତଗତିରେ ଆସୁଥିବା ଏକ କ୍ୟାଣ୍ଟର ପିକ୍ଅପ୍ ଭ୍ୟାନକୁ ଧକ୍କା ଦେଇଥିଲା। ଫଳରେ ପିକଅପ୍ ଭ୍ୟାନଟି ଓଲଟି ପଡ଼ିଥିଲା। ସେଥିରେ ଥିବା ସମସ୍ତ ଲୋକ ଆହତ ହୋଇଥିଲେ। ପରେ ସେମାନଙ୍କ ମଧ୍ୟରୁ ୯ଜଣଙ୍କ ମୃତ୍ୟୁ ଘଟିଥିଲା।



