ଭାରତୀୟ ସଂସ୍କୃତିରେ ଗୁରୁଙ୍କ ମହିମା ଅବର୍ଣ୍ଣନୀୟ। ଗୁରୁଙ୍କୁ ସ୍ବୟଂ ପରମାତ୍ମାଙ୍କ ସ୍ବରୂପ ବୋଲି ସ୍ବୀକାର କରାଯାଇଥାଏ। ଗୁରୁ ଜ୍ଞାନର ପ୍ରକାଶପୁଞ୍ଜ। ଏହି ପାର୍ଥିବ ଶରୀରର ପ୍ରକାଶ ତ ଜନନୀଙ୍କ ଗର୍ଭରୁ ହୋଇଥାଏ। ହେଲେ ସେହି କାୟା (ଶରୀର)କୁ ସଂସ୍କାରିତ କରି ଆପଣା ଅଭୀଷ୍ଟ (ଲକ୍ଷ୍ୟ) ସିଦ୍ଧି ଦିଗରେ ଆଗେଇନେବା ଦାୟିତ୍ବ ନ୍ୟସ୍ତ ଥାଏ ଗୁରୁଙ୍କ ଉପରେ। ଭାରତୀୟ ସଂସ୍କୃତିରେ ବେଦବ୍ୟାସ ଜ୍ଞାନର ପ୍ରକାଶ ସହ ଏହାର ପ୍ରଚାର-ପ୍ରସାର କରିଥିଲେ। ଗୁରୁ ଭାବରେ ସେ ବରେଣ୍ୟ, କାରଣ ସକଳ ମନୁଷ୍ୟକୁ ଆଚ୍ଛନ୍ନ କରିଥିବା ଅଜ୍ଞାନାନ୍ଧକାରକୁ ଦୂରୀଭୂତ କରି ସେ ଆଲୋକିତ କରିଥିଲେ। ଗୁରୁଜ୍ଞାନର ଦିବ୍ୟପୁଞ୍ଜ, ଊର୍ଜାର ସ୍ବରୂପ, କରୁଣା ଓ ଦୟାର ସ୍ରୋତ। ଗୁରୁ ମାନବୀୟ ଚେତନାକୁ ପରିଷ୍କୃତ ଏବଂ ପରିମାର୍ଜିତ କରି ଏହାକୁ ଦିବ୍ୟ ଏବଂ ପାବନ କରିଥାନ୍ତି। ଅନ୍ତରସ୍ଥ ଆଧ୍ୟାତ୍ମିକ ଚେତନାକୁ ଜାଗ୍ରତ କରି ଗୁରୁ ସତ୍ୟ-ଶିବ-ସୁନ୍ଦର ସହ ସାକ୍ଷାତ୍କାର ଭୂମିକା ଗ୍ରହଣ କରାଇଥାନ୍ତି।
ଗୁରୁଙ୍କ ସାନ୍ନିଧ୍ୟରେ ଜଡ଼ବତ୍ ଏବଂ ପାଷାଣ ଚେତନା ପରିମାର୍ଜିତ ହୋଇ ପରଶ ମଣି ସଦୃଶ (ପରଶମଣି ସ୍ପର୍ଶରେ ଲୁହା ସ୍ବର୍ଣ୍ଣ ହେବା) ଏକ ବାକ୍ୟରେ କହିଲେ ଗୁରୁ ଲୁହାକୁ ସ୍ବର୍ଣ୍ଣ କରିଦେଇଥାନ୍ତି। ଶିଷ୍ୟର ଚୈତନ୍ୟ ଶକ୍ତି ଲୌହ ସଦୃଶ ମଳିନ (ତେଜହୀନ) ହୋଇଥାଏ। ଏହାକୁ ପରିଷ୍କୃତ, ପରିମାର୍ଜିତ କରି ସ୍ବର୍ଣ୍ଣରେ ପରିଣତ କରିଥାଏ ଗୁରୁଙ୍କର କରୁଣାମୟ ଓ ସ୍ନେହପୂର୍ଣ୍ଣ ହାତର ପରଶ। ଗୁରୁଙ୍କ ସାନ୍ନିଧ୍ୟରେ ଜୀବନର ଦିଶା-ଦଶା, ଦୁଇଟିଯାକ ପରିବର୍ତ୍ତନ ହୋଇଯାଇଥାଏ। ଗୁରୁଙ୍କ କୃପା ଓ ଶିଷ୍ୟଙ୍କ ସମର୍ପଣ ଭାବ, ଦୁଇଟିର ସମ୍ମେଳନରେ ଶିଷ୍ୟର ଜୀବନରେ ସମ୍ପୂର୍ଣ୍ଣ ରୂପାନ୍ତରଣ ସମ୍ଭବ ହୋଇଥାଏ। ଦୃଶ୍ୟମାନ ଜଗତରେ, ବାହ୍ୟ ରୂପରେ ଗୁରୁଙ୍କ କାୟା ପଞ୍ଚଭୌତିକ ତତ୍ତ୍ବରେ ବିନର୍ମିତ ଭଳି ଜଣାପଡ଼ିଥାଏ। ବସ୍ତୁତଃ ତାଙ୍କର ଅନ୍ତଃପ୍ରଦେଶ ପରମାତ୍ମଚେତନାର ନିବାସସ୍ଥଳୀ। ଗୁରୁ ଅନ୍ଧକାରରୁ ଆଲୋକ ଦିଗକୁ ନେଇଯାଇଥାନ୍ତି। ଅଜ୍ଞାନରୁ, ଜ୍ଞାନଲାଭ ଦିଗକୁ ଓ ନଶ୍ବର ଶରୀରର ମୋକ୍ଷ ପ୍ରାପ୍ତି ମାର୍ଗରେ ନେଇଯାଆନ୍ତି। ଗୁରୁ ସ୍ବୟଂ ବେଦ ସଦୃଶ। ‘ବେଦ’ ଶବ୍ଦର ଅର୍ଥ ବିଶେଷ ଜ୍ଞାନ ବା ଧର୍ମାଧର୍ମ ଜ୍ଞାନ ଅର୍ଜନ। ଜ୍ଞାନପ୍ରାପ୍ତିର ନିର୍ଦିଷ୍ଟ ସୀମା ନାହିଁ। ଜ୍ଞାନ ଅନନ୍ତ, ଏହାର ଅନ୍ତନାହିଁ। ଗୁରୁଙ୍କ କୃପା ବିନା ଜ୍ଞାନପ୍ରାପ୍ତି ଅସମ୍ଭବ। ଭାରତୀୟ ସଂସ୍କୃତିରେ ଗୁରୁଙ୍କ ଭୂମିକାକୁ ସେହି କାରଣରୁ ସର୍ବୋଚ୍ଚ ସ୍ଥାନ ଦିଆଯାଇ କୁହାଯାଇଛି- ‘ଗୁରୁବ୍ରହ୍ମା ଗୁରୁବିଷ୍ଣୁଃ ଗୁରୁେର୍ଦବୋ ମହେଶ୍ବରଃ, ଗୁରୁଃ ସାକ୍ଷାତ୍ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ।’



