ଟୋକିଓ : ଚଳିତ ପାରାଅଲିମ୍ପିକ୍ସରେ ସୋମବାର ଭାରତୀୟଙ୍କ ପାଇଁ ଥିଲା ସ୍ବର୍ଣ୍ଣିମ ଦିନ। ପ୍ରତିଯୋଗିତାର ୮ମ ଦିନରେ ଭାରତୀୟ ପ୍ରତିଯୋଗୀ ଚମତ୍କାର ପ୍ରଦର୍ଶନ କରି ୨ଟି ଲେଖାଏଁ ସ୍ବର୍ଣ୍ଣ ଓ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ସହ ମୋଟ ୫ଟି ପଦକ ଜିତି ପାରିଛନ୍ତି। ବନ୍ଧୁକ ଚାଳନାରେ ଭାରତର ଅବନୀ ଲେଖାରା ଓ ଜାଭେଲିନ୍ ଥ୍ରୋରେ ସୁମିତ ଆଣ୍ଟିଲ ସ୍ବର୍ଣ୍ଣପଦକ ଜିତିଛନ୍ତି। ଜାଭେଲିନ୍ରେ ଭାରତର ଦେବେନ୍ଦ୍ର ଝାଝାରିଆ ଓ ଡିସ୍କସ ଥ୍ରୋ’ରେ ଯୋଗେଶ କାଠୁନିୟା ରୌପ୍ୟପଦକ ଜିତିଛନ୍ତି। ପୁଣି ଜାଭେଲିନ୍ରେ ସୁନ୍ଦର ସିଂହ ଗୁର୍ଜର କାଂସ୍ୟ ପଦକ ଜିତିଛନ୍ତି। ରବିବାର ଭାରତ ୨ଟି ପଦକ ଜିତିଥିବା ବେଳେ ସୋମବାରର ୫ଟି ପଦକକୁ ମିଶାଇ ଅଦ୍ୟାବଧି ଟୋକିଓ ପାରାଲିମ୍ପିକ୍ସରେ ଭାରତ ମୋଟ ୭ଟି ପଦକ ଜିତି ସାରିଲାଣି। ଭାରତୀୟ ପାରାଅଲିମ୍ପିକ୍ସ ଇତିହାସରେ ଏହା ଅଦ୍ୟାବଧି ସର୍ବଶ୍ରେଷ୍ଠ ପ୍ରଦର୍ଶନ। ୨୦୧୬ ରିଓ ପାରାଲିମ୍ପିକ୍ସରେ ଭାରତ ୨ଟି ସ୍ବର୍ଣ୍ଣ ଏବଂ ଗୋଟିଏ ଲେଖାଏଁ ରୌପ୍ୟ ଓ କାଂସ୍ୟ ସହ ମୋଟ ୪ଟି ପଦକ ଜିତିଥିଲା; ଯାହା ଟୋକିଓ ପାରାଅଲିମ୍ପିକ୍ସ ପୂର୍ବରୁ ଭାରତର ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା।
ପ୍ରଥମ ଭାରତୀୟ ମହିଳା ଭାବେ ପାରାଅଲିମ୍ପିକ୍ସ ସ୍ବର୍ଣ୍ଣପଦକ ଜିତି ନୂତନ ଇତିହାସ ରଚିଛନ୍ତି ୧୯ ବର୍ଷ ବୟସ୍କା ସୁଟର ଅବନୀ ଲେଖାରେ। ସୋମବାର ମହିଳା ଆର୍-୨ ୧୦ ମିଟର ଏୟାର ରାଇଫଲ ବର୍ଗରେ ପ୍ରଥମ ସ୍ଥାନରେ ରହି ଅବନୀ ସ୍ବର୍ଣ୍ଣପଦକ ଜିତିଛନ୍ତି। ଅବନୀ ବିଶ୍ବ କୀର୍ତ୍ତିମାନ ତଥା ନୂତନ ପାରାଅଲିମ୍ପିକ୍ସ କୀର୍ତ୍ତିମାନ ୨୪୯.୬ ପଏଣ୍ଟ ହାସଲକରି ପ୍ରଥମ ସ୍ଥାନରେ ରହିଥିଲେ। ଫଳରେ ମାତ୍ର ୪ର୍ଥ ଭାରତୀୟ ଏବଂ ସର୍ବପ୍ରଥମ ମହିଳା ଭାବେ ଅବନୀ ପାରାଅଲିମ୍ପିକ୍ସ ସ୍ବର୍ଣ୍ଣପଦକ ଜିତିଛନ୍ତି। ପୂର୍ବରୁ ମୁରଲୀକାନ୍ତ ପେଟ୍କର (୧୯୭୨), ଦେବେନ୍ଦ୍ର ଝାଝାରିଆ (୨୦୦୪ ଓ ୨୦୧୬) ଓ ମାରିୟାପ୍ପାନ୍ ଥାଙ୍ଗାଭେଲ୍ଲୁ (୨୦୧୬) ପାରାଅଲିମ୍ପିକ୍ସ ସ୍ବର୍ଣ୍ଣ ଜିତିଥିଲେ। ଜୟପୁର ବାସିନ୍ଦା ଅବନୀଙ୍କର ୨୦୧୨ରେ ଏକ କାର୍ ଦୁର୍ଘଟଣାରେ ମେରୁଦଣ୍ଡରେ ଆଘାତ ଲାଗିଥିଲା। ହେଲେ ହାର୍ ନ ମାନି ହ୍ବିଲ୍ଚେୟାରରେ ବସି ଅବନୀ ବନ୍ଧୁକ ଚାଳନା କରି ଆସି ସ୍ବର୍ଣ୍ଣପଦକ ଜିତି ପାରିଛନ୍ତି। ଅବନୀ ୨୪୯.୬ ପଏଣ୍ଟ ସହ ସ୍ବର୍ଣ୍ଣପଦକ ଜିତିଥିବା ବେେଳ ୨୦୧୬ ରିଓ ପାରାଲିମ୍ପିକ୍ସ ସ୍ବର୍ଣ୍ଣ ବିଜୟିନୀ ଚୀନ୍ର କ୍ବିପିଙ୍ଗ୍ ଝାଙ୍ଘ୍ ୨୪୮.୯ ପଏଣ୍ଟ ସହ ରୌପ୍ୟ ଏବଂ ବିଶ୍ବର ୧ନଂ ସୁଟର ୟୁକ୍ରେନ୍ର ଇରିନା ସ୍କେଟ୍ନିକ୍ ୨୨୭.୫ ପଏଣ୍ଟ ସହ କାଂସ୍ୟ ପଦକ ଜିତିଛନ୍ତି। ପ୍ରଥମଥର ପାରାଅଲିମ୍ପିକ୍ସ ଖେଳିଥିବା ଅବନୀଙ୍କ ବିଶ୍ବ ମାନ୍ୟତା ଏବେ ୫ ଥିବା ବେଳେ ଫାଇନାଲରେ ସେ ନିୟମିତ ୧୦ ପଏଣ୍ଟ ଲେଖାଏଁ ସ୍କୋର୍କରି ସ୍ବର୍ଣ୍ଣପଦକ ଜିତିଛନ୍ତି। ଯୋଗ୍ୟତା ରାଉଣ୍ଡରେ ଅବନୀ ୭ମ ସ୍ଥାନରେ ରହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ୍ରେ ଅବନୀଙ୍କ ସହ କଥାହୋଇ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।
ଟୋକିଓ ପାରାଅଲିମ୍ପିକ୍ସରେ ଭାରତ ପାଇଁ ୨ୟ ସ୍ବର୍ଣ୍ଣପଦକ ଜିତିଛନ୍ତି ଜାଭେଲିନ୍ ଫିଙ୍ଗାଳୀ ସୁମିତ ଆଣ୍ଟିଲ। ସୋମବାର ପୁରୁଷ ଏଫ୍୬୪ ବର୍ଗରେ ସୁମିତ ନିଜର ବିଶ୍ବ କୀର୍ତ୍ତିମାନ ଭାଙ୍ଗିବା ସହ ସ୍ବର୍ଣ୍ଣପଦକ ସହ ପୋଡିୟମ୍ରେ ଛିଡ଼ା ହୋଇ ପାରିଥିଲେ। ୫ମ ପ୍ରୟାସରେ ସୁମିତ ସର୍ବାଧିକ ୬୮.୫୫ ମିଟର ଦୂରତା ହାସଲ କରିଥିଲେ। ଗୋଟିଏ ଦିନରେ ସୁମିତ ୫ ଥର ନିଜର ବିଶ୍ବ କୀର୍ତ୍ତିମାନ ଭାଙ୍ଗି ପାରିଥିଲେ। ପୂର୍ବରୁ ତାଙ୍କର ବିଶ୍ବ କୀର୍ତ୍ତିମାନ ଥିଲା ୬୨.୮୮ ମିଟର। ତାଙ୍କର ଗୋଟିଏ ଥ୍ରୋ ଫାଉଲ ହୋଇଥିବା ବେଳେ ବାକି ୪ଟି ପ୍ରୟାସରେ ସେ ୬୬.୯୫, ୬୮.୦୮, ୬୫.୨୭, ୬୬.୭୧, ୬୮.୫୫ ମିଟର ଦୂରତା ହାସଲ କରିଥିଲେ। ୬୬.୨୯ ମିଟର ସହ ଅଷ୍ଟ୍ରେଲିଆର ମାଇକେଲ ବୁରିଆନ୍ ରୌପ୍ୟ ଓ ୬୫.୬୧ ମିଟର ସହ ଶ୍ରୀଲଙ୍କାର ଡୁଲାନ୍ କୋଡିଥୁୱାକୁ କାଂସ୍ୟପଦକ ଜିତିଥିଲେ। ହରିୟାଣାର ସୋନିପତ୍ ଜିଲାର ବାସିନ୍ଦା ୨୩ ବର୍ଷ ବୟସ୍କ ସୁମିତ ଆଣ୍ଟିଲ ପିଲାଦିନେ ଜଣେ ମଲ୍ଲଯୋଦ୍ଧା ଥିଲେ। ତେବେ ୨୦୧୫ରେ ମୋଟର ସାଇକଲ ଦୁର୍ଘଟଣା ଯୋଗୁଁ ବାମଗୋଡ଼ର ଆଣ୍ଠୁ ତଳକୁ କଟା ଯାଇଥିଲା। ପରେ ଜାଭେଲିନ୍ ଥ୍ରୋ ଅଭ୍ୟାସ ସେ କରିଥିଲେ। କୃତ୍ରିମ ଗୋଡ଼ ଲଗାଇ ସୁମିତ ଆଜି ଅଲିମ୍ପିକ୍ ଚମ୍ପିଆନ୍ ହୋଇ ପାରିଛନ୍ତି।
ଟୋକିଓ ପାରାଅଲିମ୍ପିକ୍ସରେ ଭାରତର ସ୍ବର୍ଣ୍ଣିମ ସୋମବାର : ଅବନୀ, ସୁମିତଙ୍କୁ ସ୍ବର୍ଣ୍ଣ
Popular Categories



