ନୂଆଦିଲ୍ଲୀ: ଦେଶର ୨୫ ହାଇକୋର୍ଟରେ ୪୧୪ ବିଚାରପତି ପଦବୀ ଖାଲି ପଡ଼ିଛି। ଆଇନ ମନ୍ତ୍ରଣାଳୟରୁ ଏହି ତଥ୍ୟ ମିଳିଛି। ବିଚାରପତି ଅଭାବରୁ ପୁରୁଣା ମାମଲାଗୁଡ଼ିକର ବିଚାର ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି। ପାଖାପାଖି ୪୩ ଲକ୍ଷରୁ ଅଧିକ ମାମଲା ଅନେକ ବର୍ଷ ଧରି ବିଚାରାଧୀନ ରହିଥିବାବେଳେ ନ୍ୟାୟିକ ପ୍ରକ୍ରିୟା ମଧ୍ୟ ବିଳମ୍ବିତ ହେଉଛି।
ଆଇନ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଦେଶରେ ରହିଥିବା ବିଭିନ୍ନ ହାଇକୋର୍ଟରେ ୧୦୭୯ଟି ସ୍ବୀକୃତିପ୍ରାପ୍ତ ବିଚାରପତି ପଦବୀ ରହିଛି। ଗତ ସେପ୍ଟେମ୍ବର ୧ ତାରିଖ ସୁଦ୍ଧା ମୋଟ ୪୧୪ ପଦବୀ ଖାଲି ରହିଛି। ଗତ ଅଗଷ୍ଟରେ ଖାଲିପଡ଼ିଥିବା ବିଚାରପତି ପଦବୀ ସଂଖ୍ୟା ୪୦୯ ଥିଲାବେଳେ ଜୁଲାଇରେ ୪୦୩ ଥିଲା। ସେହିପରି ଜୁନରେ ଏହି ସଂଖ୍ୟା ୩୯୯, ମେ ମାସରେ ୩୯୬, ଏପ୍ରିଲରେ ୩୯୯, ମାର୍ଚ୍ଚରେ ୩୯୪, ଫେବୃୟାରୀରେ ୪୦୦ ଏବଂ ଜାନୁୟାରୀରେ ୩୯୨ ପଦବୀ ଖାଲି ରହିଥିଲା।
୩ ସଦସ୍ୟ ବିଶିଷ୍ଟ ସୁପ୍ରିମକୋର୍ଟ କଲେଜିୟମ ହାଇକୋର୍ଟ ବିଚାରପତିଙ୍କ ପାଇଁ ଆଶାୟୀମାନଙ୍କ ନାମ ସୁପାରିସ କରିଥାଏ। ସୁପ୍ରିମକୋର୍ଟରେ ନିଯୁକ୍ତି ଲାଗି ୫ ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ବିଚାରପତିଙ୍କ ନାମ ସୁପାରିସ୍ କରିଥାନ୍ତି।



