ଅନୁଗୋଳ: ଅନୁଗୋଳ ଅବକାରୀ ବିଭାଗ ହାବୁଡ଼ରେ ଗଞ୍ଜେଇ ମାଫିଆ। ଫୁଲବାଣୀରୁ କାର ଯୋଗେ ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ କରି ନେଉଥିବା ବେଳେ ଅବକାରୀ ବିଭାଗ ୧୫୦ କେଜି ଗଞ୍ଜେଇ ଜବତ କରିଛି । ଗଞ୍ଜେଇ ଚାଲାଣ କରୁଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଦୁଇଟି କାର ଜବତ କରିଛି।
ସୂଚନା ଅନୁସାରେ, ଫୁଲବାଣୀରୁ ବଡ଼ ପରିମାଣର ଗଞ୍ଜେଇ ଚାଲାଣ ହୋଇ ଅନୁଗୋଳ ରାସ୍ତା ଦେଇ ଯାଉଥିବା ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ଏହି ଖବର ପାଇବା ପରେ ଅନୁଗୋଳ ଅବକାରୀ ଅଧୀକ୍ଷକ ମଧୁସ୍ମିତା ନାୟକ ୩ଟି ଟିମ ଗଠନ କରି ଭିନ୍ନ ଭିନ୍ନ ସ୍ଥାନରେ ଛକି ରହିଥିଲେ । ଦୁଇଟି କାରରେ ଗଞ୍ଜେଇ ଆସୁଥିବା ବେଳେ ଗୋଟିଏ କାରକୁ ଦୁର୍ଗାପୁର ନିକଟରେ ଏବଂ ଆଉ ଗୋଟିଏ କାରକୁ ଜରପଡା ନିକଟରେ ଅଟକାଇ ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ ଉଭୟ କାରରୁ ୪ଟି ବସ୍ତାରେ ଥିବା ୧୫୦ କେଜି ଗଞ୍ଜେଇ ଜବତ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଘର ଫୁଲବାଣୀ ଜିଲ୍ଲାରେ ହୋଇଥିବା ବେଳେ ଜଣଙ୍କର ଅନୁଗୋଳ ଓ ଅନ୍ୟ ଜଣଙ୍କର ପୁରୀ ଜିଲ୍ଲାର ବୋଲି ଜଣାପଡ଼ିଛି । ତେବେ ଏହି ଗଞ୍ଜେଇ ବେପାରରେ ଅନ୍ୟ କାହାର ସମ୍ପୃକ୍ତି ଅଛି ଆଉ ଏହି ଗଞ୍ଜେଇ କେଉଁଆଡ଼େ ଚାଲାଣ ହେଉଥିଲା ସେ ନେଇ ଅଧିକ ତଦନ୍ତ କରୁଛି ଅବକାରୀ ବିଭାଗ।



