ମୁମ୍ବଇ: ଜୁଲାଇ ମାସରେ ବିନା ଟିକେଟରେ ଯାତ୍ରା କରିଥିବା ୯୦ ହଜାରରୁ ଅଧିକ ଯାତ୍ରୀଙ୍କ ଉପରେ ଜରିମାନା ଲଗାଇଛି କେନ୍ଦ୍ର ରେଳବାଇ। ସେମାନଙ୍କ ନିକଟରୁ ଜରିମାନା ଆକାରରେ ୩.୮ କୋଟି ଟଙ୍କା ଆଦାୟ କରାଯାଇଛି। ରେଳବାଇ ସୂତ୍ରରୁ ପ୍ରକାଶ ଯେ ଜୁନ ମାସରୁ ବିନା ଟିକେଟରେ ରେଳଯାତ୍ରା ଆରମ୍ଭ ହୋଇ ତାହା ବୃଦ୍ଧି ପାଇବାରେ ଲାଗିଥିଲା। ସେହି ମାସରେ ଚଢଉ ସମୟରେ ୬୨ ହଜାର ଯାତ୍ରୀ ବିନା ଟିକେଟରେ ଯାତ୍ରା କରୁଥିବା ଜଣାପଡିଥିଲା ଏବଂ ସେମାନଙ୍କ ନିକଟରୁ ଜରିମାନା ବାବଦରେ ୨.୬ କୋଟି ଟଙ୍କା ଆଦାୟ କରାଯାଇଥିଲା।
ସଂପ୍ରତି ଅତ୍ୟାବଶ୍ୟକ ସେବା ସହିତ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ପାଇଁ ରେଳସେବା ଜାର ରହିଛି। ଏଥିସହିତ ଚିକିତ୍ସା ଉଦ୍ଦେଶ୍ୟରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ମଧ୍ୟ ରେଳବାଇ ସ୍ୱତନ୍ତ୍ର ଟ୍ରେନ ଚଳାଉଛି। କେନ୍ଦ୍ର ରେଳବାଇର ଜଣେ ଅଧିକାରୀ କହିଛନ୍ତି, କେବଳ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମତିପ୍ରାପ୍ତ ଲୋକମାନେ ଲୋକାଲ ଟ୍ରେନରେ ଯାତ୍ରା କରିବାକୁ ରେଳବାଇ ପକ୍ଷରୁ ପରାମର୍ଶ ଦିଆଯାଉଛି। ଅନେକ ଲୋକ କାଲ ପରିଚୟ ପତ୍ରରେ ଯାତ୍ରା କରୁଥିବା ଏବଂ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ଏହି ଲୋକମାନେ ଅନ୍ୟ ଲୋକର ଟିକେଟରେ ଅଥବା ଟିକେଟରେ ଜାଲିଆତି କରି ଟ୍ରେନ ଯାତ୍ରା କରୁଛନ୍ତି। ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ସହିତ ମିଶି ଯାତ୍ରୀମାନଙ୍କର ଯାତ୍ରା କରିବା ଉଦ୍ଦେଶ୍ୟ ଏବଂ ସେମାନେ ଟିକା ନେଇଛନ୍ତି କି ନାହିଁ ତାହା ଯାଞ୍ଚ ପ୍ରକ୍ରିୟା ଜାରି ରହିବ। ସେ ଆଉ ମଧ୍ୟ କହିଛନ୍ତି ଯେ ଚଳିତ ବର୍ଷ ଏପ୍ରିଲରୁ ଜୁଲାଇ ମଧ୍ୟରେ ମୋଟ ୩୦୪,୦୦୦ ଜଣ ଯାତ୍ରୀ ବିନା ଟିକେଟରେ ଯାତ୍ରା କରୁଥିବା ସମୟରେ ଧରାପଡିଥିଲେ। ସେମାନଙ୍କ ନିକଟରୁ ମୋଟ ୧୫.୯ କୋଟି ଟଙ୍କା ଜରିମାନା ଆଦାୟ କରାଯାଇଛି।
ମୁମ୍ବଇରେ ୯୦ ହଜାରରୁ ଅଧିକଙ୍କୁ ବିନା ଟିକେଟ ରେଳଯାତ୍ରୀଙ୍କୁ ଜରିମାନା
Popular Categories



