www.samajalive.in
Wednesday, December 10, 2025
15.1 C
Bhubaneswar

୨୭ଟି ଅଣ୍ଡାରୁ ଫୁଟିଲେ ଅଜଗର ଛୁଆ

ଖୋର୍ଦ୍ଧା ଜିଲ୍ଲା ଗଡ଼ ନିଆଳ ଗ୍ରାମରେ ଗତ ମେ ମାସ ୫ ତାରିଖରେ ଜଙ୍ଗଲ ଭିତରେ ଏକ ପଥର ଖୋଳରେ ଦେଖା ଦେଇଥିଲା ଏକ ଅଜଗର ସାପ। ସ୍ଥାନୀୟ ସାପ ଧରାଳିଙ୍କ ସହାୟତାରେ ବନ ବିଭାଗ ସାପକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କଲା ବେଳେ ଖବର ପାଇ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ତଥା ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟ ପ୍ରାଣୀ ତତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ ପହଞ୍ଚି ସେଇ ଖୋଲ ଭିତରେ ସାପଟି କିଛି ଅଣ୍ଡା ଦେଇ ତାକୁ ଜଗି ଥିବାର ଦେଖିବାକୁ ପାଇଥିଲେ। ଆଉ ସାପକୁ ନ ଧରିବା ପାଇଁ ନିର୍ଣ୍ଣୟ ନେଇଥିଲେ ଶୁଭେନ୍ଦୁ ଏବଂ ତାଙ୍କ ପରାମର୍ଶରେ ହଳଦିଆ ରେଞ୍ଜ ତରଫରୁ ୨୪ ଘଣ୍ଟିଆ ପହରା ବ୍ୟବସ୍ଥା କରାଯାଇଥିଲା। ଅଜଗର ଡେନକୁ ଲୋକଙ୍କୁ ନଛାଡିବା ପାଇଁ ବାରିକେଡ କରାଯାଇଥିଲା ଏବଂ କୌଣସି ଜନ୍ତୁ ସେହି ଯାଗାକୁ ନ ଯିବା ପାଇଁ ଜାଲ ମଧ୍ୟ ଘେରା ଯାଇଥିଲା। ତେବେ ୧୮ ଦିନ ପରେ ଅର୍ଥାତ ୨୨ ମେ ଦିନ ମା’ ଅଜଗର ଅଣ୍ଡା ଗୁଡିକୁ ବସାରେ ଛାଡି ବାହାରକୁ ପଳାଇ ଯାଇଥିଲା। ଦୀର୍ଘ ୧୦ ଘଣ୍ଟା ଅପେକ୍ଷା କରିବା ପରେ ବନ ବିଭାଗ ସ୍ନେକ ହେଲ୍ପ ଲାଇନ ସହାୟତାରେ ମା ଅଜଗରକୁ ଧରି ଚନ୍ଦକା ଅଭୟାରଣ୍ୟରେ ଛାଡି ଥିଲା। ଅଣ୍ଡା ଗୁଡିକୁ ପ୍ରଥମେ ନିଆଳ ଗ୍ରାମରେ ଥିବା ପ୍ରାଥମିକ ସ୍କୁଲରେ ରଖା ଯାଇଥିଲା। କିନ୍ତୁ ସେଠାରେ ମଧ୍ୟ ପିମ୍ପୁଡି ଭୟ ଦେଖା ଯିବାରୁ, ଦିନକ ପରେ ଅଣ୍ଡା ଗୁଡିକୁ ମିନଚିନ୍ ପାଟଣା ରେଞ୍ଜ କାର୍ଯ୍ୟାଳୟରେ ସ୍ନେକ ହେଲ୍ପ ଲାଇନ ତରଫରୁ କୃତ୍ରିମ ଉପାୟରେ ଫୁଟେଇବା ପାଇଁ ବ୍ୟବସ୍ଥା କରାଯାଇଥିଲା ।

ଗତକାଲି ଜୁନ ୨୯ ତାରିଖରେ ପ୍ରଥମ ଅଜଗର ଅଣ୍ଡା ଫୁଟି ବାହାରିଥିଲା। ଆଜି ଅବଶିଷ୍ଟ ଅଣ୍ଡା ଗୁଡିକ ଫୁଟିଥିଲେ। ସମୁଦାୟ ୨୭ଟି ଅଣ୍ଡା ଫୁଟି ପ୍ରାୟ ୨ ଫୁଟ ଲମ୍ବ ଏବଂ ବୁଢା ଆଙ୍ଗୁଠି ମୋଟାର ଅଜଗର ଛୁଆ ଜନ୍ମ ନେଇଛନ୍ତି ।

- Advertisement -

ସୂଚନାଯୋଗ୍ୟ, ଯେ ମା’ ଅଜଗର ସମୁଦାୟ ୩୦ ଅଣ୍ଡା ଦେଇଥିଲା, କିନ୍ତୁ ମା ଯେତେବେକେ ନିଜେ ଅଣ୍ଡା ଗୁଡିକର ଯତ୍ନ ନେଉଥିଲା, ସେତେବେଳେ ପିମ୍ପୁଡି ଆକ୍ରମଣରେ ଦୁଇଟି ଅଣ୍ଡା କଣା ହୋଇ ଭିତରେ ଥିବା ତରଳ ପଦାର୍ଥ ବାହାରକୁ ଆସିବା ସହିତ ସଂକ୍ରମଣ ହୋଇ ନଷ୍ଟ ହୋଇଯାଇଥିଲା। ସେତେବେଳେ କୌଣସି ରାସାୟନିକ ବ୍ୟବହାର ନକରି ଶୁଭେନ୍ଦୁ ରସୁଣ ବ୍ୟବହାର କରି ଅଜଗର ବସାରୁ ପିମ୍ପୁଡିଙ୍କୁ ତଡିବାକୁ ସକ୍ଷମ ହୋଇଥିଲେ। ଅଜଗର ବସାରେ ଯଦି ଅଣ୍ଡା ରହିଥାନ୍ତା ତେବେ ସବୁ ତକ ଅଣ୍ଡା ନିଶ୍ଚୟ ନଷ୍ଟ ହୋଇଥାନ୍ତା ବୋଲି କହିଛନ୍ତି ଶୁଭେନ୍ଦୁ ମଲ୍ଲିକ। ଆଉ ଗୋଟିଏ ଅଣ୍ଡା ଯେଉଁଟି କି ସବା ତଳେ ଥିଲା, ଉପରେ ଥିବା ୫ ଟି ଥାକ ଅଣ୍ଡା ର ଚାପ ପଡି କଣା ହେଇ ଯାଇଥିଲା । ଆଜି ଅଣ୍ଡା ଫୁଟିବା ପୂର୍ବରୁ ଅଣ୍ଡା ଗୁଡିକର ଓଜନ ହାରାହାରି ୨୫୦ ଗ୍ରାମ ହୋଇଥିବା ବେକେ ଲମ୍ବ ହାରାହାରି ୫-୧୦ ସେଣ୍ଟିମିଟର ଏବଂ ଚଉଡା ହାରାହାରି ୬.୫ ସେଣ୍ଟିମିଟର ହୋଇଥିଲା ।

ମେ ୫ ରୁ ଜୁନ ୩୦ ଦିନ ଯାଏଁ ଦୀର୍ଘ ୫୫ ଦିନ ପର୍ଯ୍ୟନ୍ତ ସ୍ନେକ ହେଲ୍ପ ଲାଇନର ସଦସ୍ୟମାନେ ସଦାସର୍ବଦା ଅଣ୍ଡା ଗୁଡିକର ହେପାଜତ କରି ଆସିଥିଲେ। ସ୍ନେକ୍ ହେଲ୍ପ ଲାଇନ ତରଫରୁ ଶୁଭେନ୍ଦୁ ମଲ୍ଲିକଙ୍କ ନେତୃତ୍ୱରେ ସିଲକା ସେଲୋନୀ, ଲଳିତ ମୋହନ ପଣ୍ଡା, ଆଶିଷ ବେହେରା, ଦୁର୍ଗା ମାଧବ ମହାପାତ୍ର, ହେମନ୍ତ ବେହେରା ଆଦି ଅଣ୍ଡାକୁ ଫୁଟେଇବା ପାଇଁ ବନ କର୍ମଚାରୀ ମାନଙ୍କୁ ସହାୟତା କରିଥିଲେ ।

ଆସନ୍ତା କାଲି ୨୭ ଟି ଯାକ ଅଜଗର ସାପ ଛୁଆଙ୍କୁ ଚନ୍ଦକା ଅଭୟାରଣ୍ୟ ମଧ୍ୟରେ ଅଲଗା ଅଲଗା ପ୍ରାକୃତିକ ପରିବେଶରେ ଛାଡିବା ପାଇଁ ବ୍ୟବସ୍ଥା କରାଯିବ । ସମସ୍ତ ସାପ ଛୁଆ ଙ୍କୁ ଏକାଠି ଛାଡିଲେ ସେମାନଙ୍କ ମଧ୍ୟରେ ଖାଦ୍ୟ ପାଇଁ ପ୍ରତିଦ୍ବନ୍ଦିତା ହେଇପାରେ, ତେଣୁ ଆମେ ୩ ଟି ସ୍ଥାନରେ ସେମାନଙ୍କୁ ଛାଡିବା ପାଇଁ ବିଚାର କରୁଛୁ ବୋଲି ଶୁଭେନ୍ଦୁ କହିଛନ୍ତି ।

ତେବେ ଏହି ଭଳି କାମ ଏକ ଐତିହାସିକ ସଫଳତା ବୋଲି କହିଛନ୍ତି ହଳଦିଆ ରେଞ୍ଜର ଜୟକୃଷ୍ଣ ପଣ୍ଡା । ଏହି ସଫଳତା କୁ ପାଳନ କଟିବା ପାଇଁ ଅଜଗର ଛୁଆ ଙ୍କ ଜନ୍ମ ଖୁସି ଅବସରରେ ହକଡ଼ିଆ ରେଞ୍ଜ ତରଫରୁ କେକ ମଧ୍ୟ କଟା ଯାଇଥିଲା ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories