ଭୁବନେଶ୍ୱର: କୃଷି କ୍ଷେତ୍ରର ବିକାଶ ଏବଂ କୃଷକମାନଙ୍କ ଆୟ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୪ଟି ନୂଆ ପ୍ରକଳ୍ପକୁ ୨୦୧୯-୨୦ ବର୍ଷ ପାଇଁ ମଞ୍ଜୁରୀ ଦେଇଛନ୍ତି। ରାଜ୍ୟ ସଚିବାଳୟରେ ଅନୁଷ୍ଠିତ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ରାଜ୍ୟସ୍ତରୀୟ ମଞ୍ଜୁରୀ କମିଟି ବୈଠକରେ ଏହି ପ୍ରକଳ୍ପଗୁଡ଼ିକୁ ମଞ୍ଜୁର କରାଯାଇଛି।
ବୈଠକରେ ନୂଆ ପ୍ରକଳ୍ପଗୁଡ଼ିକ ଯେପରି ବାସ୍ତବ କ୍ଷେତ୍ରରେ କୃଷି ଉତ୍ପାଦନ, କୃଷକଙ୍କ ଆୟ ଏବଂ କୃଷି କ୍ଷେତ୍ରରେ ଆତ୍ମନିଯୁକ୍ତି ବୃଦ୍ଧି ଦିଗରେ ସହାୟକ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ବିଭାଗୀୟ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ କହିଛନ୍ତି, ବୈଠକରେ କ୍ଷେତ୍ର-କୃଷି, ପଶୁପାଳନ, ମତ୍ସ୍ୟ ଚାଷ, ଫସଲ ନଷ୍ଟକାରୀ କୀଟାଣୁ ପରିଚାଳନା, ରାଜ୍ୟରେ ସବୁଜ ବିପ୍ଳବର ଦୃଢ଼ୀକରଣ ଭଳି ୨୪ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି ଓ ସେହି ସବୁ ପ୍ରକଳ୍ପରେ ୨୫୦ କୋଟି ଟଙ୍କା ବିନିଯୋଗ ହେବ।



