କଟକ: କଟକ ଏସ.ସି.ବି. ମେଡିକାଲ୍ କଲେଜରେ ଚଳିତ ବର୍ଷର ପ୍ରଥମ ସ୍ୱାଇନ୍ ଫ୍ଲୁ ରୋଗୀ ଚିହ୍ନଟ ହୋଇଛନ୍ତି। ରୋଗୀ ଜଣକ ଢେଙ୍କାନାଳ ଅଞ୍ଚଳର ହୋଇଥିବା ବେଳେ ସ୍ୱତନ୍ତ୍ର ୱାର୍ଡ଼ରେ ରଖି ତାଙ୍କର ଚିକିତ୍ସା କରାଯାଉଛି। ସୂଚନା ଅନୁଯାୟୀ, କିଛିଦିନ ପୂର୍ବରୁ ଏସ୍.ସି.ବି. ମେଡିକାଲରେ ସ୍ୱାଇନ୍ ଫ୍ଲୁ ହେବା ଆଶଙ୍କାରେ ୩ ଜଣଙ୍କୁ ଭର୍ତ୍ତି କରାଯାଇଥିଲା। ସେମାନଙ୍କୁ ସ୍ୱତନ୍ତ୍ର ୱାର୍ଡ଼ରେ ରଖି ଚିକିତ୍ସା କରାଯିବା ସହ ସେମାନଙ୍କ ରକ୍ତ ଓ ସ୍ୱାବ୍ ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଗବେଷଣା ତଥା ପରୀକ୍ଷା କେନ୍ଦ୍ରକୁ ପଠାଯାଇଥିଲା। ତେବେ ୩ଟି ନମୁନା ମଧ୍ୟରୁ ୨ଟି ନେଗେଟିଭ୍ ବାହାରିଥିବାବେଳେ ଗୋଟିଏ ନମୁନାରେ ସ୍ୱାଇନ୍ ଫ୍ଲୁ ପଜିଟିଭ୍ ରହିଛି।
ଅନ୍ୟପକ୍ଷରେ ଏସ୍.ସି.ବି. ପକ୍ଷରୁ କୁହାଯାଇଛି, ବର୍ତ୍ତମାନ ସ୍ଥିତିରେ ସ୍ୱାଇନ୍ ଫ୍ଲୁକୁ ନେଇ ଆତଙ୍କିତ ହେବାର କାରଣ ନାହିଁ। ଜଣେ ସ୍ୱାଇନ୍ ଫ୍ଲୁ ରୋଗୀ ଚିହ୍ନଟ ହୋଇଥିଲେ ମଧ୍ୟ ଆବଶ୍ୟକ ଚିକିତ୍ସା ମାଧ୍ୟମରେ ସେ ସୁସ୍ଥ ହୋଇପାରିବେ। ତେବେ ଏଥିପାଇଁ ସତର୍କତା ଏବଂ ସଚେତନତା ଜରୁରୀ।



