ଅଟ୍ଟାରୀ-ୱାଘା ସୀମାରେ ଇଦ୍ ମିଷ୍ଟାନ୍ନ ଆଦାନ ପ୍ରଦାନ ବନ୍ଦ
ନୂଆଦିଲ୍ଲୀ : ବିଶ୍ୱାସଘାତକତା ପୂର୍ବକ ପାକିସ୍ତାନ ବାରମ୍ବାର ଯୁଦ୍ଧବିରତି ଉଲ୍ଲଙ୍ଘନ କରିବା ଘଟଣାର ପ୍ରଭାବ ଭାରତ ସହିତ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ପଡ଼ିଛି। ପୂର୍ବ ପ୍ରଚଳିତ ଇଦ୍ ଅବସରରେ ଭାରତ-ପାକ୍ ମଧ୍ୟରେ ମିଷ୍ଟାନ୍ନ ଆଦାନ ପ୍ରଦାନ ପରମ୍ପରା ଚଳିତ ବର୍ଷ ବନ୍ଦ ହୋଇଛି। ଚଳିତବର୍ଷ ଇଦ୍ ଉପଲକ୍ଷେ ଅଟ୍ଟାରୀ-ୱାଘା ସୀମାନ୍ତରେ ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍) ଏବଂ ପାକିସ୍ତାନୀ ରେଞ୍ଜରଙ୍କ ମଧ୍ୟରେ ମିଷ୍ଟାନ୍ନ ଆଦାନ ପ୍ରଦାନ ହୋଇ ନାହିଁ। ଯୁଦ୍ଧବିରତି ପାଳନ ନେଇ ଜୁନ୍ ୪ରେ ବିଏସ୍ଏଫ୍ ଏବଂ ପାକିସ୍ତାନୀ ରେଞ୍ଜରଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଥିଲା। ମାତ୍ର ପାକିସ୍ତାନର ବାରମ୍ବାର ଯୁଦ୍ଧବିରତି ଉଲ୍ଲଙ୍ଘନ କାରଣରୁ ଉଭୟ ଦେଶ ମଧ୍ୟରେ ସରକାରୀସ୍ତରରେ ସମସ୍ତ ପ୍ରକାର ଆଲୋଚନା ବନ୍ଦ ରହିଛି।