QNETIC – Mobile

ସଂଖ୍ୟାଲଘୁ ଛାତ୍ରବୃତ୍ତି ନାଁରେ ୧୪୪ କୋଟି ଚଳୁ

ନୂଆଦିଲ୍ଲୀ: କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରଣାଳୟ ଦ୍ବାରା ମାଧ୍ୟମିକ ଶ୍ରେଣୀ ସଂଖ୍ୟାଲଘୁ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ଛାତ୍ରବୃତ୍ତିରେ ବଡ଼ ଧରଣର ଦୁର୍ନୀତି ସାମ୍ନାକୁ ଆସିଛି। ମଦ୍ରାସା ଓ ଆଦିବାସୀ ବିଦ୍ୟାଳୟକୁ ପ୍ରଦାନ କରାଯାଉଥିବା ଏହି ପାଣ୍ଠି ହିତାଧିକାରୀ ଛାତ୍ରଛାତ୍ରୀଙ୍କୁ ମିଳିନଥିବା ସ୍ବତନ୍ତ୍ର ତଦନ୍ତରୁ ଜଣାପଡ଼ିଛି। ମୋଟ ୨୧ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ​‌େ​‌ର ୮କୋଟି ଛାତ୍ରବୃତ୍ତି ଜାଲ୍‌ ହୋଇଛି ଓ ସେଥିରୁ ୮୦ ପ୍ରତିଶତ ମୁସଲମାନ ସଂସ୍ଥାଙ୍କୁ ଦିଆଯାଇଥିବା ଜଣାପଡ଼ିଛି। ଏହି ୨୧ ରାଜ୍ୟର ନକଲି ୧୫୭୨ ସଂଖ୍ୟାଲଘୁ ଅନୁଷ୍ଠାନ ନାମରେ ୮୩୦ଟି ସଂଗଠନ ଗତ ୫ ବର୍ଷ ମଧ୍ୟରେ ଜାଲିଆତି କରି ୧୪୪ କୋଟି ୭୮୩ ଲକ୍ଷ ଟଙ୍କା ଆତ୍ମସାତ୍‌ କରିଛନ୍ତି। ଛାତ୍ରବୃତ୍ତି ହାତେଇଥିବା ମଦ୍ରାସା ମଧ୍ୟରୁ ୫୩ ପ୍ରତିଶତ ଜାଲ୍‌ ହୋଇଥିବାବେଳେ ଏଥିସହ ସମ୍ପୃକ୍ତ ବହୁ ଅଧିକାରୀ ମଧ୍ୟ ନକଲି ବୋଲି ଜଣାପଡ଼ିଛି। ଏକ ଗୋଷ୍ଠୀ ଜାଲ୍‌ ଆକାଉଣ୍ଟରେ ଏହି ଟଙ୍କା ଉଠାଇଥିଲେ। ଦଶନ୍ଧି ଧରି ଏଭଳି ଦୁର୍ନୀତି ଚାଲିଆସିଥିଲାବେଳେ ୨୦୧୬ରୁ ଛାତ୍ରବୃତ୍ତିର ଡିଜିଟାଇଜେସନ୍‌ ଆରମ୍ଭ ପରେ ଏହା ସାମ୍ନାକୁ ଆସିଥିଲା। ୨୦୧୮-୧୯ରେ ଅନୁମୋଦିତ ୨୨୩୯ ଛାତ୍ରବୃତ୍ତିରେ ଗୋଟିଏ ସମାନ ମୋବାଇଲ ଫୋନ୍‌ ନମ୍ବର ରହିଥିଲା। ସେହିପରି ୨୦୧୦-୨୦ରେ ଏମିତି ୫୭୭ଟି ବୃତ୍ତିରେ ସମାନ ମୋବାଇଲ ନମ୍ବର ଥିଲା। କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରଣାଳୟ ପକ୍ଷରୁ ୨୦୧୯-୨୦ରେ ଝାଡ଼ଖଣ୍ଡରେ ଏପରି କିଛି ଅଭିଯୋଗର ତଦନ୍ତ କଲାବେଳେ ଆଳୁ ଖୋଳୁଖୋଳୁ ମହାଦେବ ବାହାରିଲା ଭଳି ବିପୁଳ ଦୁର୍ନୀତି ଧରାପଡ଼ିଥିଲା। ଏଥିରେ ବ୍ୟାଙ୍କ ଅଧିକାରୀ, ସ୍କୁଲ ତଥା ସରକାରୀ କର୍ମଚାରୀଙ୍କୁ ନେଇ ଚାଲିଥିବା ରାକେଟର ସମ୍ପୃକ୍ତି ଜଣାପଡ଼ିଥିଲା। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ମଧ୍ୟ ୨୦୨୦ରେ ଏହାର ତଦନ୍ତ କରାଇଥିଲେ। ୨୦୦୭-୦୮ରେ ଜାତୀୟ ସଂଖ୍ୟାଲଘୁ ଆୟୋଗ ପ୍ରତିଷ୍ଠା ପରେ ସ୍କୁଲ ଓ ବିଶ୍ବବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀଙ୍କୁ ବୃତ୍ତି ଯୋଜନା କାର୍ଯ୍ୟକାରୀ ହୋଇଥିଲା।

ଇତିମଧ୍ୟରେ ୮କୋଟିରୁ ଅଧିକ ବୃତ୍ତି ପ୍ରଦାନ କରାଯାଇଛି। ୨୦୨୨-୨୩ ବର୍ଷରେ ୨୬ଲକ୍ଷରୁ ଅଧିକଙ୍କ ପାଇଁ ବୃତ୍ତି ମଞ୍ଜୁର ହୋଇଛି। ଆୟୋଗର ପୋର୍ଟାଲରୁ ମିଳିଥିବା ତଥ୍ୟାନୁସାରେ ଏହାର ୮୬ ପ୍ରତିଶତ ହିତାଧିକାରୀ ହେଉଛନ୍ତି ମୁସଲମାନ। ବୃତ୍ତି ଟଙ୍କା ପ୍ରତ୍ୟକ୍ଷ ହିତାଧିକାରୀଙ୍କ ଆକାଉଣ୍ଟରେ ଜମା ହେବା ବ୍ୟବସ୍ଥା ହୋଇଛି। ଅନ୍ୟପକ୍ଷରେ ମାଗଣା ଶିକ୍ଷା ଯୋଜନା ଯୋଗୁଁ ସ୍କୁଲସ୍ତରରେ ପ୍ରାୟ ୪୦ଲକ୍ଷ ଆବେଦନକୁ ବାଦ୍‌ ଦିଆଯାଇଛି। ୨୦୨୨ ପର୍ଯ୍ୟନ୍ତ ବୃତ୍ତି ବାବଦରେ ୨୨ ହଜାର କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ତହବିଲ୍‌ରୁ ପ୍ରଦାନ କରାଯାଇଛି। ବାର୍ଷିକ ପ୍ରାୟ ୨୩୦୦ କୋଟି ଟଙ୍କା ଦିଆଯାଉଛି; ତେବେ ୪୦ଲକ୍ଷ ଆବେଦନ ବାତିଲ ହେବା ପରେ ତା’ ଉପରେ କେହି ପ୍ରଶ୍ନ ଉଠାଉନାହାନ୍ତି। ପୁନଶ୍ଚ ଗୋଟିଏ ବ୍ୟାଙ୍କ ଶାଖା, ସମାନ ଫୋନ୍‌ ନମ୍ବର , ଗୋଟିଏ ଶ୍ରେଣୀ ଓ ଗୋଟିଏ ସ୍କୁଲର ପିଲାଙ୍କ ନାମରେ ବୃତ୍ତି ଟଙ୍କା ମଞ୍ଜୁର ହୋଇଛି। କେଉଁଠି ଛାତ୍ରୀଙ୍କ ନାମରେ ମଞ୍ଜୁର ଟଙ୍କା ଛାତ୍ର ପାଇଛନ୍ତି ତ’ ଆଦିବାସୀ ସ୍କୁଲ ନାମରେ ସଂଖ୍ୟାଲଘୁ ସ୍କୁଲକୁ ବୃତ୍ତି ମଞ୍ଜୁର ହୋଇଛି। ଛାତ୍ରାବାସ ନଥିବା ସ୍କୁଲ ମଧ୍ୟ ଛାତ୍ରାବାସ ଥିବା ଦର୍ଶାଇ ବୃତ୍ତି ଟଙ୍କା ହାତେଇଛନ୍ତି। କେତେକ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଅନୁପାତ ତୁଳନାରେ ଅଧିକ ବୃତ୍ତି ପ୍ରଦାନ କରାଯାଇଥିବା ଦେଖାଯାଇଛି।

ନିକଟରେ ଶେଷ ହୋଇଥିବା ସଂସଦର ମୌସୁମୀ ଅଧିବେଶନରେ ମନ୍ତ୍ରୀ ସ୍ମୃତି ଇରାନୀ କହିଥିଲେ ଯେ ଏହି ଦୁର୍ନୀତିର ତଦନ୍ତ ଭାର ନ୍ୟାସନାଲ କମିସନ ଫର ଆପ୍ଲାଏଡ ଇକୋନୋମିକ ରିସର୍ଚ୍ଚ (ଏନ୍‌ସିଏଇଆର)କୁ ପ୍ରଦାନ କରାଯାଇଛି। ମୋଟ ୩୪ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୧୦୦ ଜିଲାକୁ ନେଇ ତଦନ୍ତ ଚାଲିଥିବାବେଳେ ୧ଲକ୍ଷ ୮୦ହଜାର ସଂଖ୍ୟାଲଘୁ ପ୍ରତିଷ୍ଠାନକୁ ଏହାର ପରିସରଭୁକ୍ତ କରାଯାଇଛି। ୨୦୨୦ର ଏଭଳି ଦୁର୍ନୀତି ଅଭିଯୋଗ ଉପରେ ସିବିଆଇ ମଧ୍ୟ ତଦନ୍ତ କରୁଛି। କେତେକ ରାଜ୍ୟରେ ଏ ନେଇ ଏତଲା ଦାୟର ହୋଇଛି। ଛତିଶଗଡ଼ରେ ୬୨, ରାଜସ୍ଥାନରେ ୯୯ଟି ପ୍ରତିଷ୍ଠାନ ଜାଲ୍‌ ଥିବାବେଳେ କର୍ଣ୍ଣାଟକରେ ୬୪ ପ୍ରତିଶତ, ଆସାମରେ ୬୮ ପ୍ରତିଶତ, ଉତ୍ତର ପ୍ରଦେଶରେ ୪୪ ପ୍ରତିଶତ ଓ ପଶ୍ଚିମବଙ୍ଗରେ ୩୯ ପ୍ରତିଶତ ଜାଲ୍‌ ବୋଲି ଜଣାପଡ଼ିଛି। କେରଳର ମାଲ୍ଲାପୁରମ୍‌ରେ ଗୋଟିଏ ବ୍ୟାଙ୍କ ବାସ୍ତବ ଛାତ୍ର ସଂଖ୍ୟାଠାରୁ ୬୬ହଜାର ଅଧିକ ସଂଖ୍ୟାଲଘୁ ଛାତ୍ରଙ୍କୁ ବୃତ୍ତି ଦେଇଛି। ଜାମ୍ମୁ-କାଶ୍ମୀରରେ ୫ହଜାର ଛାତ୍ରଙ୍କ ସ୍ଥାନରେ ୭ହଜାରଙ୍କୁ ବୃତ୍ତି ଦିଆଯାଇଛି। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଆବେଦନ ଖାରଜ ହୋଇଥିବାବେଳେ ନକଲି ହିତାଧିକାରୀ ବିପୁଳ ବୃତ୍ତି ହାତେଇଥିବା ତଦନ୍ତରୁ ଜଣାପଡ଼ିଛି।

Comments are closed.