କୋଲକାତା: ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ବୀରଭୂମ ଜିଲାରେ। ଜଣେ ମାନସିକ ବିକାରଗସ୍ତ ମହିଳାଙ୍କ ପାକସ୍ଥଳୀରୁ ବାହାରିଛି ୧.୫ କିଲୋଗ୍ରାମ ଓଜନର ଅଳଙ୍କାର ଏବଂ ୯୦ଟି କଏନ। ବୀରଭୂଜ ଜିଲାର ରାମପୁରହାଟ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଡାକ୍ତରମାନେ ମହିଳାଙ୍କ ପାକସ୍ଥଳୀରେ ଅପରେଶନ କରି ଏସବୁ ବାହାର କରିଛନ୍ତି।
ମହିଳାଙ୍କ ବୟସ ୨୬ ବର୍ଷ ହେବ। ମାରଗ୍ରାମ ଗ୍ରାମରେ ତାଙ୍କ ଘର। ତାଙ୍କୁ ହସ୍ପିଟାଲ ନେଇ ଆସିଥିବା ତାଙ୍କ ମା’ କୁହନ୍ତି, ଅନେକ ସମୟରେ ତାଙ୍କ ଘରୁ ଅଳଙ୍କାର ଗାଏବ ହେଉଥିବା ସେ ଜାଣୁଥିଲେ। କିନ୍ତୁ ସେଗୁଡ଼ିକ କୁଆଡ଼େ ଯାଉଥିବା ତାହା ଜାଣିପାରୁ ନ ଥିଲେ। ସେ ଯେତେବେଳେ ତାଙ୍କ ଝିଅକୁ ଏ ବିଷୟରେ ପଚାରୁଥିଲେ, ଝିଅ କାନ୍ଦୁଥିଲା। ତା’ର ମାନସିକ ସ୍ଥିତି ଠିକ୍ ନ ଥିଲା। ୨ମାସ ହେବ ତା’ ଦେହ ଅସୁସ୍ଥ ହୋଇପଡ଼ିଥିଲା। ତା’କୁ ଅନେକ ଘରୋଇ ହସ୍ପିଟାଲକୁ ନେଇଥିଲୁ। କିନ୍ତୁ ତା’ର ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହେଉ ନ ଥିଲା। ସେ ପୁଅ ଦୋକାନରୁ କିଛି କିଛି କଏନ ଆଣେ। କିନ୍ତୁ ତାହାକୁ କ’ଣ କରେ ଆମେ ଜାଣିପାରୁ ନ ଥିଲୁ। ତେଣୁ କିଛିଦିନ ହେବ ଆମେ ତା’ ଉପରେ ନଜର ରଖିଥିଲୁ। ଏହି ସମୟରେ ସେ କଏନଗୁଡ଼ିକୁ ଗିଳି ଦେଉଥିବା ଦେଖିବାକୁ ପାଇଥିଲୁ। ଫଳରେ ତା’କୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲୁ।
ସର୍ଜରୀ ବିଭାଗ ମୁଖ୍ୟ ସିଦ୍ଧାର୍ଥ ବିଶ୍ଵାସ କୁହନ୍ତି, ପାକସ୍ଥଳୀ ଏକ୍ସ-ରେ କରାଯିବା ପରେ ଅନେକ କଏନ ଏବଂ ଅଳଙ୍କାର ଥିବା ଦେଖିବାକୁ ମିଳିଥିଲା। ଅପରେଶନ ପରେ ପାକସ୍ଥଳୀରୁ ପ୍ରାୟ ୫ ଓ ୧୦ ଟଙ୍କିଆ ୯୦ଟି କଏନ ସମେତ ଚେନ୍, କାନଫୁଲ, ଚୁଡ଼ି, ପାଉଁଜି, ରିଷ୍ଟ ବ୍ୟାଣ୍ଡ, ଘଣ୍ଟା ବାହାରିଥିଲା। ଅଳଙ୍କାରଗୁଡ଼ିକ ମୁଖ୍ୟତଃ ତମ୍ବା ଓ କଂସାରେ ନିର୍ମିତ ବୋଲି ଜଣାପଡ଼ିଛି।



