www.samajalive.in
Tuesday, December 9, 2025
15.1 C
Bhubaneswar

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ ହତାଶ ହୋଇପଡିଛନ୍ତି। ମୁଣ୍ଡ ଝାଳ ତୁଣ୍ଡରେ ମାରି ଅକ୍ଳାନ୍ତ ପରିଶ୍ରମ କରି ଅମଳ କରିବାକୁ ଚାହିଁ ବସିଥିବା ଚାଷୀ ସେମାନଙ୍କ ଫସଲ ହାତୀ ପେଟକୁ ଯାଉଥିବା ଦେଖି ଧୈର୍ଯ୍ୟହରା ହୋଇପଡୁଛନ୍ତି। ସୁକାଶନ ଜଙ୍ଗଲରେ ରହୁଥିବା ହାତୀପଲ ନିକଟବର୍ତ୍ତୀ କନ୍ଦରପୁର ଗ୍ରାମର ଚାଷ ଜମିରେ ପଶି ବ୍ୟାପକ ଫସଲ ନଷ୍ଟ କରିଥିବା ଅଭିଯୋଗ ନେଇ ଗ୍ରାମର ଶତାଧିକ ଚାଷୀ ଚାରି ଦଫା ଦାବି ସହ ଶନିବାର ଆଠଗଡ଼ ବନଖଣ୍ଡ କାର୍ଯ୍ୟାଳୟ ଘେରାଉ କରିଥିଲେ।

ସୂଚନା ମୁତାବକ, ଶୁକ୍ରବାର ରାତିରେ ପ୍ରାୟ ୨୦ଟି ହାତୀ କନ୍ଦରପୁର ଓ ଫୁଲବାଡି ଗହିରରେ ପଶି ୨୫ ଏକରରୁ ଊର୍ଦ୍ଧ୍ବ ଜମିରେ ୫୦ରୁ ଉର୍ଦ୍ଧ୍ବ ଚାଷୀଙ୍କର ଲଙ୍କା, କଲରା, ବିନ୍, ଝୁଡୁଙ୍ଗ, ବୋଦି, ସୋରିଷ, ବିରି, କୋଳଥ ଚାଷକୁ ସମ୍ପୂର୍ଣ୍ଣ ନଷ୍ଟ କରିଛନ୍ତି। ଚାଷୀମାନେ ବିଲରେ ଗଛ ମାଡ଼ିବା ପାଇଁ ପୋତି ଥିବା ରଞ୍ଜା, ବାଉଁଶ ବାଡ଼ ଆଦି ସବୁ ଭାଙ୍ଗି ଦେଇଛନ୍ତି। କାଲି ରାତି ସାରା ଅନିଦ୍ରା ହୋଇ ଚାଷୀମାନେ ନିଜ ନିଜ ଚାଷକୁ ଜଗିଥିଲେ ସୁଦ୍ଧା ହାତୀପଲଙ୍କୁ ଆୟତ୍ତ କରିବାରେ ସକ୍ଷମ ହୋଇ ନ ଥିଲେ। ଏଥିରେ ସେମାନଙ୍କୁ ବନ କର୍ମଚାରୀ ସହଯୋଗ କରି ନ ଥିବା ଅଭିଯୋଗ କହିଛନ୍ତି । ସକାଳୁ ଚାଷୀମାନେ ନିଜ ନିଜ ଚାଷବାସର ଏଭଳି ଅବସ୍ଥା ଦେଖି ହତାଶ ହେବା ସହ ବନ ବିଭାଗକୁ ଜଣାଇବାକୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିବା ସତ୍ତ୍ଵେ କୌଣସି ଅଧିକାରୀ କ୍ଷେତ୍ରକୁ ଆସି ନ ଥିଲେ। ଶେଷରେ ବାଧ୍ୟ ହୋଇ କ୍ଷତିଗ୍ରସ୍ତ ଚାଷୀ ଆଠଗଡ଼ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ ଏବଂ ବନ ବିଭାଗ ଉଦ୍ଦେଶ୍ୟରେ ୪ ଗୋଟି ଦାବିକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

- Advertisement -

ଫସଲ କ୍ଷୟକ୍ଷତିର ତୁରନ୍ତ  ଆକଳନ କରି ଚାଷୀଙ୍କୁ ତ୍ୱରିତ କ୍ଷତିପୂରଣ ପ୍ରଦାନ କରିବା, ଚାଷ ଜମିକୁ ହାତୀ ଓ ଜଙ୍ଗଲ ଜନ୍ତୁଠାରୁ ରକ୍ଷା ପାଇଁ ଚାଷ ଜମି ଚାରିପଟେ ସୌର ତାରବାଡ ବ୍ୟବସ୍ଥା କରିବା, ଗ୍ରାମର ମୁଖ୍ୟ ରାସ୍ତା ତଥା ହାତୀ ଚଲା ପଥ ନିକଟରେ ସୋଲାର ଲାଇଟ୍ ସହ ସାଇରନ ବ୍ୟବସ୍ଥା, ହାତୀ ଘଉଡ଼ାଇବାକୁ ଚାଷୀଙ୍କୁ ଆବଶ୍ୟକ ଉଚ୍ଚ କ୍ଷମତା ସମ୍ପନ୍ନ ଟର୍ଚ୍ଚ ଲାଇଟ୍, ଆତସବାଜି, ଶବ୍ଦ ଯନ୍ତ୍ର ଆଦି ଯୋଗାଇଦେବା ଏବଂ ବନ ବିଭାଗର କ୍ଷେତ୍ର କର୍ମଚାରୀ ଚାଷୀଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ଆଦି ଦାବି ନେଇ ଚାଷୀମାନେ ଧାରଣାରେ ବସିଥିଲେ। ଆଠଗଡ଼ ବନଖଣ୍ଡ ଅଧିକାରୀ ଅନୁପସ୍ଥିତ ଥିବା ସ୍ଥଳେ ତାଙ୍କ ନିର୍ଦ୍ଦେଶରେ ଆଠଗଡ଼ ବନାଞ୍ଚଳ ଅଧିକାରୀ ସୁଷମା ସାହୁ ଓ ବନପାଳ ଧାରଣାରତ ଚାଷୀଙ୍କ ସହ ଆଲୋଚନା କରି ତାଙ୍କ ଦାବିଗୁଡ଼ିକୁ ପୂରଣ ପାଇଁ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନରତ ଚାଷୀ ଧାରଣାରୁ ଉଠିଥିଲେ। ଏହି ଆନ୍ଦୋଳନରେ ସମାଜସେବୀ ପ୍ରିୟବ୍ରତ ଦାସ, ଇନ୍ଦ୍ରମଣି ସୂତାର, ପ୍ରକାଶ ଚନ୍ଦ୍ର ଦଳାଇ, ଚାଷୀ କୃଷ୍ଣଚନ୍ଦ୍ର ରାଉତ, ଭୀମ ସେନ ସାହୁ, ପ୍ରତାପ ସାହୁ, ପରମାନନ୍ଦ ବେହେରା, ଜମ୍ବେଶ୍ଵର ରାଉତ, ତ୍ରିଲୋଚନ ରାଉତ, ସହଦେବ ସାହୁ, ବିରଞ୍ଚି ସାହୁ, ବିଚିତ୍ରାନନ୍ଦ ସାହୁ, ଲକ୍ଷ୍ମୀଧର ନାୟକ, ନଟବର ଦଳାଇ ପ୍ରମୁଖ ଶତାଧିକ ଚାଷୀ ସାମିଲ ହୋଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories